କରୋନାରୁ ରକ୍ଷା ପାଇବାକୁ ହେଲେ ଆପଣନ୍ତୁ ଭାରତର ଏହି ଶୈଳୀ- ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ
4/03/2020 at 10:24 PM

ନୂଆଦିଲ୍ଲୀ ୦୪।୦୩- ସମଗ୍ର ଦୁନିଆ କରୋନା ଭୂତାଣୁକୁ ନେଇ ଆତଙ୍କିତ ଅବସ୍ଥାରେ ରହିଛି। କରୋନା ସଂକ୍ରମଣ ବ୍ୟାପକତାକୁ ରୋକିବା ପାଇଁ ଯଥା ସମ୍ଭବ ଉପାୟ ତଥା ପ୍ରତିଷେଧକମୂଳକ ବ୍ୟବସ୍ଥା କରାଯାଉଛି। ଏବେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କରୋନାରୁ ରକ୍ଷା ପାଇବା ପାଇଁ ଭାରତୀୟ ଶୈଳୀରେ ଅଭିବାଦନ କରିବାକୁ କହିଛନ୍ତି।
ଇସ୍ରାଏଲର ପ୍ରଧାନମନ୍ତ୍ରୀ ଏକ ସାମ୍ଵାଦିକ ସମ୍ମିଳନୀରେ କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ଉପାୟ ବାହାର କରିବାକୁ କହିଛନ୍ତି। ଏହି ସମୟରେ ସେ ଇସ୍ରାଏଲ ଲୋକଙ୍କୁ କରୋନାରୁ ରକ୍ଷା ପାଇବାକୁ ହେଲେ କର ମର୍ଦ୍ଦନ ନୁହଁ ଭାରତୀୟ ଶୈଳୀରେ ‘ନମସ୍ତେ’ କରିବାକୁ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଡାକ୍ତରୀ ବିଶେଷଜ୍ଞ ମଧ୍ୟ କରୋନା ସଂକ୍ରମିତ ବ୍ୟକ୍ତିଙ୍କଠୁ ଅଢେଇ ଫୁଟ୍ ଦୂରରେ ରହିବାକୁ କହିଛନ୍ତି। ସଂକ୍ରମଣରୁ ରକ୍ଷା ପାଇବା ଲାଗି ରୋଗୀଙ୍କ ପାଖକୁ କଦାପି ଯାଅ ନାହିଁ ଏବଂ ହାତ ମିଳାଅ ନାହିଁ। ଯଦି ସମ୍ଭବ ମାସ୍କ ବ୍ୟବହାର କରନ୍ତୁ। ସମୟ ସମୟରେ ନିଜ ହାତକୁ ଭଲ ଭାବେ ସଫା କରନ୍ତୁ। ଉଲ୍ଲେଖଯୋଗ୍ୟ, ସମଗ୍ର ଦୁନିଆରେ କରୋନା ଭାଇରସରେ ଏ ପର୍ଯ୍ୟନ୍ତ ୩୨୦୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟି ସାରିଲାଣି।
ଅନ୍ୟପଟେ ଭାରତରେ କରୋନାରେ ଅଦ୍ୟାବଧି ୨୯ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଭାରତରେ କରୋନା ମାମଲା ସାମ୍ନାକୁ ଆସିବା ପରେ ସରକାର ସତର୍କ ହୋଇ ଉଠିଛନ୍ତି। ମେଟ୍ରୋଠୁ ନେଇ ଅଫିସ ଏବଂ ସ୍କୁଲ ପର୍ଯ୍ୟନ୍ତ ସାବଧାନତା ଅବଲମ୍ବନ କରାଯାଉଛି।