କରୋନା ଭୟରେ ଆତ୍ମହତ୍ୟା : ବ୍ଲେଡ୍‌ରେ ହାତ କାଟି ଯୁବକ ମୃତ, ଟ୍ରେନ୍ ଆଗକୁ ଡେଇଁଲେ ଅନ୍ୟ ଜଣେ

Published By : Prameya-News7 Bureau | March 22, 2020 IST

ବରେଲି ୨୨।୩: କରୋନା ଭାଇରସ୍ ସହିତ ମୁକାବିଲା କରିବା ପାଇଁ ଲୋକମାନେ ନିଜକୁ ଘରେ ବନ୍ଦୀ କରି ରଖିଥିବାବେଳେ ଗାଜିଆବାଦ ନିକଟ ହାପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ପିଲଖୁଆ ପୋଲିସ ଷ୍ଟେସନ ଅଞ୍ଚଳରେ କରୋନା ଭାଇରସ ସଂକ୍ରମିତ ହେବା ସନ୍ଦେହରେ ବ୍ଲେଡରେ ଗଳା କାଟି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି । ସେହିପରି ବରେଲିର ଜଣେ ବ୍ୟକ୍ତି ଟ୍ରେନ୍ ଆଗରେ ଡେଇଁପଡି ନିଜ ଜୀବନ ଦେଇଛନ୍ତି। ଉଭୟ ଯୁବକ ଅନେକ ଦିନ ଧରି ଜ୍ବର ଏବଂ ଗଳାରେ ଯନ୍ତ୍ରଣା ଅନୁଭବ କରୁଥିଲେ । ମୃତ ଯୁବକ ଜଣଙ୍କ ସୁଶୀଲ ବୋଲି ଜଣାପଡିଛି।

ସୁଶୀଲ ଏଭଳି ପଦକ୍ଷେପ ନେବା ପୂର୍ବରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଛାଡିଯାଇଛନ୍ତି। ଏହି ସୁଇସାଇଡ୍ ନୋଟରେ ସେ ପରିବାରର ଯତ୍ନ ନେବା ଏବଂ କରୋନା ପରୀକ୍ଷା କରିବା ବିଷୟରେ କହିଛନ୍ତି। ଯୁବକ ସୁଇସାଇଡ୍ ନୋଟରେ କ୍ଷମା ମଧ୍ୟ ମାଗିଛନ୍ତି। ଯୁବକଙ୍କ ଆତ୍ମହତ୍ୟା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

ସେହିଭଳି ବରେଲିରେ ଏକ ମାଲବାହୀ ଟ୍ରେନ୍ ଆଗରେ ଡେଇଁ ଜୀବନ ଦେଇଛନ୍ତି ଅନ୍ୟ ଜଣେ ଯୁବକ । ଆତ୍ମହତ୍ୟା କରିବା ପୂର୍ବରୁ ବରେଲି ଜଙ୍କସନରେ ବସିଥିବା ଯୁବକ ଜଣଙ୍କ ବାରମ୍ବାର କହିଥିଲେ ଯେ ତାଙ୍କର କରୋନା ଭାଇରସ୍ ସଂକ୍ରମଣ ଅଛି। ଆରପିଏଫ ଏବଂ ସ୍ବାସ୍ଥ୍ୟ ବିଭାଗର ଟିମ୍ ଯୁବକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି। ପୋଲିସ ସୋସିଆଲ ମିଡିଆ ମାଧ୍ୟମରେ ମୃତଦେହ ଚିହ୍ନଟ କରିବାରେ ଲାଗିଛି ।

ଉଭୟ ମାମଲାରେ ପୋଲିସ ତଦନ୍ତ କରୁଛି । ହାପୁଡରେ ସୁଇସାଇଡ୍ ନୋଟ୍ ଆଧାରରେ ପରୁଇଭର ଲୋକଙ୍କୁ ଯାଞ୍ଚ ପାଇଁ ପଠାଯାଉଛି ଏବଂ ସେମାନଙ୍କୁ ଆଇସୋଲେସନରେ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଛି।

ତେବେ କରୋନା ଭାଇରସର ଭୟ ନାହିଁ ବୋଲି କେନ୍ଦ୍ର ଓ ରାଜ୍ୟ ସରକାର ବାରମ୍ବାର ଅପିଲ୍ କରୁଛନ୍ତି। କିନ୍ତୁ କିଛି ଲୋକ ଏହାକୁ ଭୟ କରି ଏପରି ପଦକ୍ଷେପ ନେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.