କରୋନା ୨୦୧୯ରେ ନୁହେଁ ପ୍ରଥମେ ୨୦୧୨ରୁ ମଣିଷ ଦେହକୁ ଆସିଛି

Published By : Prameya-News7 Bureau | August 18, 2020 IST

ନ୍ୟୁୟର୍କ ୧୮।୮: କରୋନା ଭାଇରସ ଗତ ବର୍ଷ ଡିସେମ୍ୱର ମାସରେ ଚୀନ୍‌ର ୱୁହାନରୁ ବ୍ୟାପିବା ଆରମ୍ଭ କରିଥିଲା ବୋଲି ସମସ୍ତେ ମନେ କରୁଛନ୍ତି । ଏହି ଭାଇରସ ଯୋଗୁ ଏବେ ସମଗ୍ର ବିଶ୍ୱରେ ୭,୬୦,୦୦୦ ଲୋକ ପ୍ରାଣ ହରାଇସାରିଲେଣି । ଏହି ଭାଇରସ ଯେପରି ମଣିଷ ଦେହରେ ବ୍ୟାପୁଛି, ସେଥିରୁ ମଣିଷ ଦେହ ସହିତ ସିଏ ବହୁତ ସହଜରେ ଖାପଖୁଆଇ ପାରୁଛି ବୋଲି ମନେ କରାଯାଉଛି । ଏହି କାରଣରୁ ବୈଜ୍ଞାନିକମାନେ ସନ୍ଦେହ କରିଥିଲେ ଯେ କରୋନା ଭାଇରସ ବହୁ ପୂର୍ବରୁ ମଣିଷ ଦେହକୁ ଆସିସାରିଛି । ଗତ ଡିସେମ୍ୱରରେ ନୁହେଁ । ଏବେ ଏହି ଅନୁମାନ ସତ ହୋଇଥିବାର ଜଣାପଡିଛି ।

ଏକ ରିପୋର୍ଟ ଅନୁଯାୟୀ, କରୋନା ଭାଇରସ ପ୍ରଥମେ ୨୦୧୨ ମସିହାରେ ମଣିଷ ଦେହକୁ ଆସିଥିଲା । ଚୀନ୍‌ର ୟୁନାନ୍‌ ପ୍ରଦେଶ ଅନ୍ତର୍ଗତ ମୋଇଜାଙ୍ଗ ଖଣି ଭିତରେ କିଛି ଶ୍ରମିକ ବାଦୁଡିର ମଳ ସଫା କରୁଥିଲେ । ସେମାନେ ପ୍ରାୟ ଦୁଇ ସପ୍ତାହ ଯାଏଁ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହାପରେ ସେମାନଙ୍କ ଭିତରୁ ୬ ଜଣ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କ ଦେହରେ ନିମୋନିଆ ଜନିତ ଲକ୍ଷଣ ପ୍ରକାଶ ପାଇଥିଲା । ସେମାନଙ୍କୁ ଜ୍ୱର ହେବା ସହିତ ଶୁଖିଲା କାଶ ହେଉଥିଲା । ସେଇ ୬ ଜଣଙ୍କ ଭିତରୁ ୩ ଜଣ ପ୍ରାଣ ହରାଇଥିଲେ । ସେମାନଙ୍କ ଦେହର ନମୁନା ସେତେବେଳେ ୱୁହାନ ସ୍ଥିତ ଲାବ୍‌କୁ ପଠାଯାଇଥିଲା । ଚୀନ୍‌ର ଜଣେ ଗବେଷକ ଏହା ଉପରେ ଏକ ଥେସିସ୍‌ ଲେଖିଥିଲେ। ଏହି ଥେସିସ୍‌କୁ ଆଧାର କରି ପାଶ୍ଚାତ୍ୟ ଦେଶର ଦୁଇ ଜଣ ଗବେଷକ ଦାବି କରିଛନ୍ତି ଯେ ୱୁହାନ ଲାବରୁ ହିଁ ଏହି ଭାଇରସ ଗତ ବର୍ଷ ଶେଷ ଭାଗରେ ଲିକ୍‌ ହୋଇଛି ବୋଲି ସେମାନେ ଏବେ ନିଶ୍ଚିତ ହୋଇଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.