୭୦ଟି ଦେଶରେ କାୟା ବିସ୍ତାର କଲାଣି କରୋନା, ସାରା ବିଶ୍ବରେ ମୃତ୍ୟୁ ସଂଖ୍ୟା ଟପିଲାଣି ୩ ହଜାର
3/03/2020 at 7:45 AM

ନୂଆଦିଲ୍ଲୀ ୩।୩: ସାରା ବିଶ୍ବରେ କରୋନା ମୃତ୍ୟୁସଂଖ୍ୟା ୩ ହଜାର ଟପିଛି । ୭୦ଟି ଦେଶରେ ଏବେ ଏହି ଭାଇରସ୍ ପ୍ରବେଶ କରିସାରିଲାଣି । ଅଷ୍ଟ୍ରେଲିଆ ଓ ଥାଇଲାଣ୍ଡରେ ଗତକାଲି ପ୍ରଥମ ଥର ପାଇଁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ଅଧିକାଂଶ ଦେଶ ଚୀନକୁ ସେମାନଙ୍କ ବିମାନ ବାତିଲ କରିଛନ୍ତି ।

ଚୀନରେ ରବିବାର ୫୪୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚୀନ୍ ପରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଦକ୍ଷିଣ କୋରିଆ । ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୭ ଶହ ଟପିଛି । ୨୦ ଜଣ ପ୍ରାଣ ହରାଇସାରିଲେଣି । ଇରାନରେ ୯୭୮ ଜଣ ଆକ୍ରାନ୍ତ ହୋଇଛନ୍ତି । ୫୪ ଜଣଙ୍କର ମୃତ୍ୟୁ ଘଟିଲାଣି । ସେହିପରି ଆମେରିକାରେ ୨ ଜଣଙ୍କ ମୃତ୍ୟୁ ହୋଇଛି ।

ଦିନକୁ ଦିନ ବ୍ୟାପୀ ଚାଲିଥିବା ଏହି ଭାଇରସ୍ କେମିତି ନିୟନ୍ତ୍ରଣ ହେବ ତାହା ସାରା ବିଶ୍ବ ପାଇଁ ଚିନ୍ତାର ବିଷୟ ହେଲାଣି । ଏତିକି ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଯେଉଁ ତଥ୍ୟ ଦେଇଛି ତାହା ସଂଘାତିକ । WHO ରିପୋର୍ଟ ଅନୁଯାୟୀ ଚୀନ୍ ବାହାରେ କରୋନା ୯ ଗୁଣା ଅଧିକ ହାରରେ ବ୍ୟାପୁଛି । ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କଲାଣି କରୋନା ।