ଓ୍ବାସିଂଟନ୍ ୦୩/୧୨: ଦୀର୍ଘ ଦିନର ପ୍ରତିକ୍ଷା ଆଣିଦେଇଛି ଖୁସି ଖବର। ଲୋକଙ୍କ ପାଖରେ ପହଞ୍ଚିବାକୁ ଯାଉଛି ମହାମାରୀ କରୋନା ପ୍ରତିଷେଧକ। ଟିକା ମିଳିବାକୁ ନେଇ ଆଶା ସଞ୍ଚାର ହୋଇଥିବା ବେଳେ ଇଂଲଣ୍ଡରେ ଖୁବଶୀଘ୍ର ଟିକାକରଣ ଆରମ୍ଭ ହେବାକୁ ଯାଉଛି। ବ୍ରିଟେନ୍ ସହ ଋଷରେ ବି ଟିକାକରଣ ଆରମ୍ଭ ହେବ। ଠିକ୍ ଏହାରି ଭିତରେ ଆମେରିକାରୁ ଆସିଛି ବଡ଼ ଖବର । ଆମେରିକାର ୩ ପୂର୍ବତନ ରାଷ୍ଟ୍ରପତି ନିଷ୍ପତ୍ତି କରିଛନ୍ତି ସେମାନେ କ୍ୟାମେରା ସାମ୍ନାରେ କରୋନା ଭ୍ୟାକସିନ୍ ନେବେ।
ଯଦିଓ ଇଂଲଣ୍ଡ ସମେତ ଅନ୍ୟ କିଛି ଦେଶ ସେମାନଙ୍କ ଟିକା ଉପଲବ୍ଧ କରାଇବା ସହ ଲୋକଙ୍କୁ ଦେବେ ବୋଲି ପ୍ରସ୍ତୁତି ଆରମ୍ଭ କରିଛନ୍ତି। କିନ୍ତୁ କରୋନା ଟିକାକୁ ନେଇ ଲୋକଙ୍କ ମନରେ ଭୟ ବସା ବାନ୍ଧିଛି। ଏହି ଭୟକୁ ଦୂର କରିବା ପାଇଁ ଆମେରିକାର ୩ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଜର୍ଜ ବୁସ୍ ଓ ବିଲ୍ କ୍ଲିଣ୍ଟନ ଏକା ସହିତ କ୍ୟାମେରା ସମ୍ନାରେ ଟିକା ଗ୍ରହଣ କରିବେ ବୋଲି ଘୋଷଣା କରିଛନ୍ତି।
ସିଏନଏନ୍ର ଏକ ରିପୋର୍ଟ ଅନୁସାରେ ବାରାକ ଓବାମା କହିଛନ୍ତି ଶୀର୍ଷ ଆମେରିକା ଡାକ୍ତର ଆନ୍ଥନୀ ଫୈସୀଙ୍କ ଉପରେ ତାଙ୍କର ପୁରା ଭରସା ଅଛି। ସେ ହିଁ କହିଛନ୍ତି ଭ୍ୟାକ୍ସିନ ସୁରକ୍ଷିତ। ତେଣୁ ମୁଁ ଏହାର ଡୋଜ୍ ନେବାକୁ ଯାଉଛି। ଟିଭିରେ ଲାଇଭ୍ ସୋ’ ମାଧ୍ୟମରେ ଏହି ଟିକା ନେଇପାରିବି ବୋଲି ଓବାମା କହିଛନ୍ତି। ଏହା ସହ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁସ୍ ମଧ୍ୟ ଖୁସିରେ କ୍ୟାମେରା ସାମ୍ନାରେ କରୋନା ଟିକା ନେବେ ବୋଲି ତାଙ୍କ ଚିଫ ଅଫ ଷ୍ଟାଫ୍ ଫ୍ରେଡି ଫୋର୍ଡ କହିଛନ୍ତି।
ଆମେରିକାର ଅନ୍ୟ ଜଣେ ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କ ପ୍ରବକ୍ତା ଆଞ୍ଜେଲ ଉରେନା କହିଛନ୍ତି, ସ୍ବାସ୍ଥ୍ୟ ଅଧିକାରୀଙ୍କ ପ୍ରାଥମିକତା ଭିତ୍ତିରେ କ୍ଲିଣ୍ଟନ ନିଶ୍ଚିତ କରୋନା ଭ୍ୟାକ୍ସିନ୍ ଗ୍ରହଣ କରିବେ। ସେ ସାର୍ବଜୀନକ ଭାବେ କରୋନା ଟିକା ନେବେ ବୋଲି ମଧ୍ୟ ଉରେନା କହିଛନ୍ତି।