ରାଜ୍ୟରେ କରୋନା ଅପଡେଟ୍‌

Published By : Prameya-News7 Bureau | May 05, 2020 IST

ଭୁବନେଶ୍ବର୫/୫: ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ । ବେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭୫ ରେ ପହଞ୍ଚିଛି । ପୂର୍ବରୁ ଅପରାହ୍ନରେ ଆଉ ୩ଜଣ ଓ ସକାଳେ ଗଞ୍ଜାମର ଜଣେ ଓ ସନ୍ଧ୍ୟାରେ ରାଉରକେଲାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏବେ ବାଲେଶ୍ୱରରେ ନୂଆ କେସ୍ ସାମ୍ନାକୁ ଆସିଛି । ଅପରାହ୍ନରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କଟକର ତିଗିରିଆ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୨ଜଣ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡିଛି । ସେହିପରି ଯାଜପୁରରେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ  ଟେନସନ୍‌ ବଢ଼ୁଛି । ଲୋକଙ୍କୁ ସଚେତନ ପାଇଁ ଭିନ୍ନ ଏକ ତରିକା ଆପଣେଇଛନ୍ତି ଜିଲ୍ଲାପାଳ।

ପୁଣି କଟକ ଜିଲ୍ଲାକୁ ଫେରିଛି କରୋନା । ତିଗିରିଆରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ୩୪ ବର୍ଷୀୟ ଏହି ଆକ୍ରାନ୍ତ ଜଣଙ୍କ ସୁରଟରୁ ଫେରିଥିବା ସ୍ପଷ୍ଟ କରାଯାଇଛି । ପୂର୍ବରୁ କଟକ ସହରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେପଟେ ବାଲେଶ୍ବରରେ ପୁଣି ଦୁଇଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ୫୦ ବର୍ଷୀୟା ମହିଳା ଓ ଅନ୍ୟ ଜଣେ ୨୬ ବର୍ଷର ଯୁବକ ଅଛନ୍ତି । ଉଭୟ ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଫେରିଥିଲେ। ଏଥିସହ ବାଲେଶ୍ବର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି ।

ଗଞ୍ଜାମରେ ମଧ୍ୟ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ୧୮ ବର୍ଷୀୟ ଯୁବକ ଏବଂ ସୁରଟ ଫେରନ୍ତା । ସୁରଟରୁ ଫେରି ସେ କ୍ବାରେଣ୍ଟାଇନରେ ଥିଲେ । ଏହା ପୂର୍ବରୁ ଶନିବାର ୨ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗଂଜାମ ଓଡିଶା କରୋନା ମ୍ୟାପ୍‌ରେ ଯୋଡ଼ି ହୋଇଯାଇଥିଲା । ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଗଞ୍ଜାମ ଜିଲ୍ଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ତେବେ ଗଞ୍ଜାମ ଜିଲ୍ଲାରୁ କ୍ବାରେଣ୍ଟାଇନ୍ ନିୟମ ଭଙ୍ଗା ଯାଉଥିବା ଖବର ଆସୁଥିବାରୁ ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରାଇ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ସେପଟେ ଯାଜପୁରରେ ଗତକାଲି ୪ ପଜିଟିଭ୍ ଚିହ୍ନଟ ହେବା ପରେ  ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୨ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ୪ ପଜିଟିଭ୍ ବରୀ ନିର୍ବାଚନ ମଣ୍ଡଳୀ ଏରବାଙ୍କ ପଞ୍ଚାୟତର । ଆକ୍ରାନ୍ତଙ୍କ ଚିହ୍ନଟ ପରେ ଏରବାଙ୍କ ପଞ୍ଚାୟତର ୩ଟି ଗାଁକୁ ୧୫ଦିନ ପାଇଁ କଣ୍ଟେନମେଣ୍ଟେ  ଜୋନ ଭାବେ ଘୋଷଣା କରାଯାଇଛି । ଏହାସହ ଯାଜପୁର ,ଦଶରଥପୁର ଏବଂ କୋରେଇ ବ୍ଲକରେ କଣ୍ଟେନମେଣ୍ଟ ଥିବା କଟକଣା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜିଲ୍ଲାପ୍ରଶାସନ ସୂଚନା ଦେଇଛି । ସେହିପରି ଜିଲ୍ଲାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ପରେ ଲୋକଙ୍କୁ ସଚେତନତା କରିବା ପାଇଁ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏକ ଅଭିନବ ଉପାୟ ଆପଣାଇଛନ୍ତି। ଲୋକଙ୍କୁ ଅଭିନୟ ମାଧ୍ୟମରେ ସତର୍କ ରହିବାକୁ ବୁଝାଉଛନ୍ତି । ଏଥିରେ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ହରି ହର ସ୍ବାଇଁ , ପୋଲିସ ପ୍ରଶାସନିକ ଅଧିକାରୀମାନେ ଅଭିନୟ କରିଛନ୍ତି । ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୀବ ମହାନ୍ତି ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ।

ସେପଟେ ସୁରଟ‌ରୁ ଫେରିଥିବା ୧୨ ଜଣ ଲୋକ ଭୁବନେଶ୍ବରର କଳ୍ପନା ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳିଛି । ଏହି ପ୍ରବାସୀ ଓଡିଆଙ୍କ ହାତରେ ଷ୍ଟାମ୍ପ ଲାଗିଛି । ଗତ ୩ ତାରିଖରେ ସୁରଟରୁ ୬୦ ଜଣ ଯାତ୍ରୀ ବାହାରିଥିଲେ । ସେମାନଙ୍କ ମଧ୍ୟରୁ ୧୨  ଜଣ ଆଜି ସକାଳେ କଳ୍ପନାରେ ଓହ୍ଲାଇ ଥିଲେ । ଏହା ପରେ ସେମାନେ ୧୦୦କୁ ଫୋନ କରିଥିଲେ ସୁଦ୍ଧା କିଛି ସହଯୋଗ ନମିଳିବାରୁ ସେମାନେ ଭୁବନେଶ୍ବରରେ ବୁଲୁଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ ମଧ୍ୟରୁ ୫ ଜଣ ଭୁବନେଶ୍ବରରୁ ଚାଲି ଚାଲି ଯାଜପୁର ଓ ଭଦ୍ରକ ଯାଉଥିବା ଜଣାପଡିଛି ।

ସେହିଭଳି ରାଜଧାନୀ ବଡଗଡ ବ୍ରିଟ୍ କଲୋନୀରେ କୋଲକାତାରୁ ଫେରିଥିବା ଜଣେ ବ୍ୟକ୍ତିଙ୍କୁ ନେଇ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । ବ୍ୟକ୍ତି ଜଣଙ୍କ ନିଜ ଘରେ ହୋମ୍ କ୍ବାରାଣ୍ଟାଇନ୍‌ରେ ଥିଲେ । ହେଲେ ସେ ସେଠାରେ ରହିପାରିବେନି ବୋଲି ଲୋକେ ଦାବି କରି ରାସ୍ତାରୋକ କରିଥିଲେ । ବୁଧବାର ୬ ଜଣ ନୂଆ ପଜିଟିଭ୍ ଚିହ୍ନଟ ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୫କୁ ବୃଦ୍ଧି ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.