'ଦୀପାବଳି ବେଳକୁ କରୋନାର ପ୍ରକୋପ କମିଯିବ, ନିୟନ୍ତ୍ରଣକୁ ଆସିଯିବ', ଦୃଢୋକ୍ତି କଲେ ସ୍ୱାସ୍ଥ୍ୟମନ୍ତ୍ରୀ

Published By : Prameya-News7 Bureau | August 31, 2020 IST

ନୂଆଦିଲ୍ଲୀ, ୩୧|୦୮:   ଦୀପାବଳି ସୁଦ୍ଧା କରୋନା ନିୟନ୍ତ୍ରଣ ମଧ୍ୟକୁ ଚାଲି ଆସିବ । ଏହା ଦାବି କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଗଣମାଧ୍ୟମକୁ ଏହା କହିଛନ୍ତି ।

ସେ କହିଛନ୍ତି ଯେ,. ଭାରତ କରୋନା ମୁକାବିଲାରେ ବହୁତ ଆଗରେ ରହିଛି । ଚଳିତ ବର୍ଷ ଦୀପାବଳି ସୁଦ୍ଧା କରୋନା ଭାଇରସ ନିୟନ୍ତ୍ରଣକୁ ଚାଲି ଆସିବ । ନେତା ଓ ସାଧାରଣ ଜନତା ମିଳିତ ଭାବେ ଏହି ଭାଇରସର ମୁକାବିଲା କରୁଛନ୍ତି । ଭାରତରେ କରୋନା ଆସିବା ପୂର୍ବରୁ ସ୍ୱାସ୍ଥ୍ୟ ଅଧିକାରୀମାନେ ବୈଠକ କରିସାରିଥିଲେ ।

ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସର ମୁକାବିଲା ପାଇଁ ଏକ କମିଟି ଗଠନ କରିଛନ୍ତି । ଏହି କମିଟି ଏବେସୁଦ୍ଧା ୨୨ଥର ବୈଠକ କରିଛି । ଫେବ୍ରୁଆରୀରେ ଦେଶରେ କେବଳ ଗୋଟିଏ ଲ୍ୟାବ୍ ଥିଲା । ଏବେ ୧୫୮୩ଟି ଲ୍ୟାବ୍ ତିଆରି ହୋଇଛି ।୧୦୦୦ରୁ ଅଧିକ ସରକାରୀ ଲ୍ୟାବ୍ ଅଛି । ଦେଶରେ ପ୍ରତିଦିନ ୧୦ ଲକ୍ଷ ଟେଷ୍ଟ୍ କରାଯାଉଛି ।

ସେ ଆହୁରି କହିଛନ୍ତି ଯେ, ଦେଶରେ ଏନ୯୫ ମାସ୍କ ଓ ଭେଣ୍ଟିଲେଟରର ଅଭାବ ନାହିଁ । ଦେଶରେ ପ୍ରତିଦିନ ୫ ଲକ୍ଷ ପିପିଇକିଟ୍ ତିଆରି କରାଯାଉଛି । ୨୫ଟି କମ୍ପାନୀ ଭେଣ୍ଟିଲେଟର୍ ପ୍ରସ୍ତୁତ କରୁଛନ୍ତି । ଭାକସିନର ଟ୍ରାଏଲ୍ ଚାଲିଛି । ଚଳିତ ବର୍ଷ ଶେଷସୁଦ୍ଧା ଭାକସିନ୍ ଆସିବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ, ଦେଶରେ ପ୍ରାୟ ୧୭୦ଟି ଭାକସିନ୍ ଉପରେ କାମ ଚାଲୁଛି । ଅତିକମରେ ୩୦ଟି ଭାକସିନର ହ୍ୟୁମାନ୍ ଟ୍ରାଏଲ୍ ଶେଷ ପର୍ଯ୍ୟାରେ ପହଁଚିଛି । ଯେଉଁଥିରେ ଭାରତର କୋଭାକ୍ସିନ୍ ଓ ଅକ୍ସଫୋର୍ଡର କୋଭିସିଲ୍ଡ ସାମିଲ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.