ମାତ୍ର ୨୨ଶହ ଟଙ୍କାରେ କରୋନା ପରୀକ୍ଷା , ସମ୍‌ ସମେତ ୪ ସଂସ୍ଥାକୁ ଅନୁମତି

Published By : Prameya-News7 Bureau | July 04, 2020 IST

ଭୁବନେଶ୍ୱର ୦୪।୦୭ : ୨୨୦୦ ଟଙ୍କାରେ କରିହେବ କରୋନା ପରୀକ୍ଷା । ଏଥିପାଇଁ ସମ୍‌ ହସ୍ପିଟାଲ ସମେତ ୪ଟି ଘରୋଇ ପରୀକ୍ଷାଗାରକୁ ଅନୁମୋଦନ ଦେଇଛି ଆଇସିଏମଆର । ସମ୍‌ ବ୍ୟତୀତ ଆପୋଲୋ ହସ୍ପିଟାଲ, ଇନ୍‌ଡିଏନଏ ଲାଇଫ୍‌ ସାଇନ୍ସ, ଜେଏନ୍‌ଏକ୍ସ ଡାଇଗ୍ନୋଷ୍ଟିକରେ କୋଭିଡ୍‌ ପରୀକ୍ଷା କରିହେବ । ଯଦି କୌଣସି ବ୍ୟକ୍ତି ଆର୍‌ଟି-ପିସିଆର୍‌ କୋଭିଡ୍‌ ପରୀକ୍ଷା କରିବାକୁ ଇଚ୍ଛା କରନ୍ତି, ତେବେ ସର୍ବାଧିକ ୨୨୦୦ ଟଙ୍କାରେ (ଜିଏସଟି ଓ ଆନୁସଙ୍ଗିକ ଦେୟ ସହ) ଏସବୁ କେନ୍ଦ୍ରରେ ନିଜର ପରୀକ୍ଷା କରାଇପାରିବେ । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସବୁ ଘରର ତଥ୍ୟ ସଂଗ୍ରହ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଯାହାର ଲକ୍ଷଣ ଥିବ, ତା’ର କରୋନା ପରୀକ୍ଷା ହେବ । ଏଭଳି ପଦକ୍ଷେପ ଯୋଗୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିପାରେ । ମାତ୍ର ଏହାଦ୍ୱାରା କରୋନା ସଂକ୍ରମଣ ବ୍ୟାପିବାକୁ ରୋକାଯାଇପାରିବ ।

ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି, ଆଗାମୀ ୪୫ ଦିନ ପର୍ଯ୍ୟନ୍ତ ଗ୍ରାମାଞ୍ଚଳର ପ୍ରତି ଘର ଓ ସହରାଞ୍ଚଳର ବସ୍ତି ଅଞ୍ଚଳରେ ଘରକୁ ଘର ବୁଲି ସର୍ଭେ କରାଯିବ । ଆଶା କର୍ମୀମାନେ ପ୍ରତି ଘରକୁ ଯାଇ ପ୍ରତ୍ୟେକ ଲୋକଙ୍କ ତଥ୍ୟ ସଂଗ୍ରହ କରିବେ । କିଏ କେଉଁଠାରୁ ଆସିଛି? କରୋନା ଲକ୍ଷଣ ଅଛି କି ନାହିଁ? ଏହାବାଦ୍‌ ମଧୁମେହ, ହାଇପର ଟେନସନ୍‌, ଟିବି, ଯକ୍ଷ୍ମା ଆଦି ରୋଗରେ ପୀଡ଼ିତ କି ନାହିଁ? ଏ ନେଇ ତଥ୍ୟ ସଂଗ୍ରହ କରାଯିବ । ତେଣୁ ସର୍ଭେବେଳେ ଆଶା କର୍ମୀଙ୍କୁ କେହି ବି କୌଣସି ତଥ୍ୟ ଲୁଚାଇବା ଉଚିତ୍‌ ନୁହେଁ । ସାମାନ୍ୟ ଲକ୍ଷଣ ଥିଲେ ବି ଜଣାଇବା ଜରୁରୀ । କୋଭିଡ୍‌ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ପ୍ରଥମେ କୋଭିଡ୍‌ କେୟାର ହୋମ୍‌କୁ ପଠାଯିବ । ପଜିଟିଭ୍‌ ଚିହ୍ନଟ ହେଲେ, ତାଙ୍କୁ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା କରାଯିବ। କୋଭିଡ୍‌ ନେଗେଟିଭ୍‌ ଆସିଲେ ମଧ୍ୟ କ୍ୱାରେଣ୍ଟାଇନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ

କୋଭିଡ୍‌ ୧୯ ପ୍ରତିରୋଧ କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି । ତେଣୁ ସାମାନ୍ୟତମ ଲକ୍ଷଣ ଥିଲେ ବି କେହି ଏ ବାବଦରେ ଲୁଚାନ୍ତୁ ନାହିଁ । ତୁରନ୍ତ ସରକାରଙ୍କୁ ଜଣାଇବା ଦରକାର । ହୋମ୍‌ କ୍ୱାରେଣ୍ଟାଇନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ସରକାରଙ୍କୁ ଜଣାଇବା ଜରୁରୀ । କରୋନା ମୁକାବିଲାରେ ଲୋକଙ୍କ ଜୀବନ ଜୀବିକା ରକ୍ଷାକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ତେଣୁ ଯିଏ ବି ନିୟମ ଖିଲାପ କରି ନିଜ ତଥା ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବ, ଏବେ ସେମାନଙ୍କ ବିରୋଧରେ କଠୋରରୁ ଅତି କଠୋର କାର୍ଯ୍ୟାନୁଷ୍ଠାନ ନେବେ ସରକାର । ଏ ନେଇ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଜିଲ୍ଲା ପ୍ରଶାସନ, ପୌର ପ୍ରଶାସନ ଓ ପୁଲିସକୁ ଏ ଦିଗରେ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି ।

ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରେ ନିୟମ ପାଳନ କରି କ୍ୱାରେଣ୍ଟାଇନ ଶେଷ କରିଥିବା ପ୍ରବାସୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଏ ବାବଦରେ ୬୫ କୋଟି ୭ ଲକ୍ଷ ୯୯ ହଜାର ଟଙ୍କା ଦିଆଯାଇଛି । ଏ ସମସ୍ତ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଭରଣା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.