କେରଳରୁ ଫେରିଥିବା ଦାଦନ ଶ୍ରମିକ ବ୍ରହ୍ମପୁର MKCGରେ ଭର୍ତ୍ତି, କରୋନା ସନ୍ଦେହରେ ଅଟକାଇଲେ ଡାକ୍ତର

Published By : Prameya-News7 Bureau | March 14, 2020 IST

ବ୍ରହ୍ମପୁର ।୩: ସାରା ବିଶ୍ବକୁ ଏବେ କୋରନା ଭୟ ଘାରିଛି । କୋରନାକୁ ନେଇ ସବୁଠି ଆତଙ୍କ। ଭାରତରେ ଏପର୍ଯ୍ୟନ୍ତ ୮୫ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲାର ଜଣେ ଦାଦନ ଶ୍ରମିକ କେରଳରୁ ଫେରିଥିବା ବେଳେ ନିଜ ଗାଁକୁ ଯାଇପାରୁନାହାନ୍ତି । ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଟକି ରହିଛନ୍ତି । ଶୁକ୍ରବାରଠାରୁ ସେ ମେଡିକାଲରେ ଅଟକିଥିବା ଜଣାପଡିଛି ।

କେରଳରୁ ଫେରିବା ପରେ ଦାଦାନ ଶ୍ରମିକ ଜଣଙ୍କ ଅସୁସ୍ଥତା ଅନୁଭବ କରିଥିଲେ । ଫଳରେ ତାଙ୍କୁ ବ୍ରହ୍ମପୁର ଏମକେସିଜିରେ ଚିକିତ୍ସା କରାଯାଇଥିଲା । ତେବେ ତାଙ୍କୁ ଜ୍ବର ହୋଇଥିବା ଯୋଗୁଁ କାଳେ ସେ କୋରନା ସଂକ୍ରମିତ ହୋଇଥିବେ ସନ୍ଦେହ କରି ବ୍ରହ୍ମପୁର ବଡ ମେଡିକାଲରେ ଡାକ୍ତରମାନେ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି ।

ସଂପୃକ୍ତ ଦାଦନ ଶ୍ରମିକଙ୍କ ଘର ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ୍ ଅଞ୍ଚଳରେ ବୋଲି ଜଣାପଡିଛି । ଏ ସଂପର୍କରେ ଗାଁକୁ ଜଣାଇବା ପରେ ଗ୍ରାମବାସୀମାନେ ଚିକିତ୍ସା ପରେ ଗାଁକୁ ଆସିବାକୁ କହିଥିବା ସଂପୃକ୍ତ ଶ୍ରମିକ ଜଣଙ୍କ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମୁକାବିଲା ପାଇଁ ୨ଶହ କୋଟି ଟଙ୍କାର ପାଣ୍ଠି ମଧ୍ୟ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ମାର୍ଚ୍ଚ ୩୧ ଯାଏଁ ସବୁ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ସେହିପରି ସିନେମା ହଲ୍, ସୁଇମିଂ ପୁଲ୍, ଜିମ୍ ଆଦି ବନ୍ଦ କରିବାକୁ ମଧ୍ୟ ରାଜ୍ୟ ସରକାର ଘୋଷଣା କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.