ହୋଲି ପୂର୍ବରୁ ପୁଣି ଡରେଇଲା କରୋନା, ୧ ସପ୍ତାହ ହେଲା ବଢୁଛି ସଂକ୍ରମିତଙ୍କ ସଂଖ୍ୟା
5/03/2023 at 7:12 PM

ନୂଆଦିଲ୍ଲୀ ୫।୩: ପାଖେଇ ଆସୁଛି ହୋଲି, ଲୋକେ ନିଜନିଜ ଘରମୁହାଁ ହେଲେଣି, ଏଥିରେ କରୋନା ଭାଇରସ ବିପଦ ମଧ୍ୟ ବଢୁଛି। ସୂଚନା ମୁତାବକ ଗତ ଏକ ସପ୍ତାହ ହେଲା କରୋନା ମାମଲାରେ ୩ ଗୁଣା ବୃଦ୍ଧି ହେଲାଣି। ସପ୍ତାହକ ପୂର୍ବେ କରୋନାର ନୂଆ ମାମଲା ୧୦୦ରୁ କିଛି ଅଧିକ ଥିଲା, ଯାହା ଏବେ ୩୦୦ ପାର ହୋଇଯାଇଛି। ଏଣୁ ଲୋକଙ୍କୁ ପୁଣି କରୋନା ଡର ଘାରିଲାଣି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ତାଜା ତଥ୍ୟ ଜାରି କରି ଗତ ୨୪ ଘଣ୍ଟାରେ କରୋନାର ୩୨୪ ନୂଆ କେସ୍ ସାମ୍ନାକୁ ଆସିଥିବା ସୂଚିତ କରିଛନ୍ତି।

ଗତ ଫେବୃଆରୀ ୨୨ ତାରିଖ ପରଠାରୁ ଲଗାତାର କରୋନା ସଂକ୍ରମଣ ଦେଶରେ ବଢିବା ଆରମ୍ଭ କରିଛି। ସେବେଠାରୁ ଦୈନିକ ସଂକ୍ରମଣ ୩୦୦ ପାଖଆଖରେ ରହୁଛି। ତେବେ ରବିବାର ଏହି ସଂଖ୍ୟା ସାମାନ୍ୟ ବଢି ଯାଇଛି ଏହି ସଂଖ୍ୟା ୩୨୪ ହୋଇଯାଇଛି। ଯାହାକୁ ନେଇ ଏବେ ଲୋକଙ୍କ ଚିନ୍ତା ବଢିଯାଇଛି। ଏହା ସହିତ ଦେଶରେ ଆକ୍ଟିଭ କରୋନା ସଂଖ୍ୟା ୨୭୯୧ ହୋଇଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟଙ୍କ ଦ୍ୱାରା ଗତ ଦିନରେ ଜାରି ତଥ୍ୟ ଅନୁସାରେ ଦେଶରେ ସକ୍ରିୟ କୋଭିଡ ମାମଲା ସଂଖ୍ୟା ୨,୪୩୯ ଥିଲା। ଯାହା ୧ ମାର୍ଚ୍ଚ ବେଳକୁ ୨,୩୩୫ ଥିଲା। ତେବେ ରବିବାର ସକ୍ରିୟ ମାମଲା ସଂଖ୍ୟା ପୁଣି ବଢି ୨,୫୨୫ ପାଖାପାଖି ପହଞ୍ଚିଯାଇଛି।

ମାର୍ଚ୍ଚ ୧ ତାରିଖ ଦିନ ୨୬୮ ନୂଆ ମାମଲା ସାମ୍ନାକୁ ଆସିଥିଲା। ଏହା ପୂର୍ବରୁ ୨୮ ଫେବୃଆରୀରେ ଏହି ସଂଖ୍ୟା ୨୪୦ ଥିଲା। ଏଥିରେ କରୋନା ମୃତ୍ୟୁ ନେଇ ଆସୁଥିବା ସୂଚନା ଅନୁସାରେ ଗତ ସପ୍ତାହରେ କରୋନାରେ ଆକ୍ରାନ୍ତ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଗୋଟିଏ ମୃତ୍ୟୁ କେରଳରେ ହୋଇଥିବା ବେଳେ ୨ଟି ମହାରାଷ୍ଟ୍ରରେ ହୋଇଛି। ଫଳରେ ଦେଶରେ ମୋଟ କରୋନା ମୃତକଙ୍କ ସଂଖ୍ୟା ୫ଲକ୍ଷ ୩୦ ହଜାର ୭୭୫ ହୋଇଯାଇଛି। ଗତମାସରେ କରୋନାର ବେଗ ଧିମା ପଡିଯାଇଥିଲା। ହେଲେ ଏବେ ହୋଲି ଉତ୍ସବ ଯେତିକି ପାଖଉଛି କରୋନା ମାମଲା ସଂଖ୍ୟାରେ ମଧ୍ୟ ସେହିପରି ବୃଦ୍ଧି ଦେଖାଯାଇଛି।