କରୋନା ପିକ୍‌ରେ ଭୁବନେଶ୍ୱର, ୭ ହଜାର ଟପିଲା ଆକ୍ରାନ୍ତ ସଂଖ୍ୟା ; ଆହୁରି ମାସେ ସତର୍କ ରହିବାକୁ ବିଏମ୍‌ସି କମିଶନରଙ୍କ ପରାମର୍ଶ

Published By : Prameya-News7 Bureau | August 23, 2020 IST

ଭୁବନେଶ୍ୱର ୨୩।୦୮: ୨୫ ଦିନରେ ରାଜଧାନୀରେ ଦୁଇଗୁଣା ହୋଇଯିବେ ସକ୍ରିୟ ରୋଗୀ। ସହରରେ ଏବେ ୨୭୫୪ ସକ୍ରିୟ ରୋଗୀ ଥିବାବେଳେ ଅଗଷ୍ଟ ୩୧ ସୁଦ୍ଧା ୩୪୨୯ ସକ୍ରିୟ ରୋଗୀ ହୋଇଯିବେ। ସେପ୍ଟେମ୍ବର ୧୫ ସୁଦ୍ଧା ଏହି ସଂଖ୍ୟା ୫ହଜାର ଛୁଇଁଯିବ। ଅର୍ଥାତ୍‌ ୨୫ଦିନରେ ସକ୍ରିୟ ରୋଗୀ ସଂଖ୍ୟାରେ ଆଉ ୨୨୪୬ ଯୋଡି ହେବେ ବୋଲି ବିଏମ୍‌ସି ଆକଳନ କରିଛି। ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏହି ସୂଚନା ଦେଇଛନ୍ତି।

ଯଦି ୨୫ଦିନରେ ସକ୍ରିୟ ରୋଗୀ ସଂଖ୍ୟା ଦୁଇ ଗୁଣା ବଢିବ ଏହି ହାରରେ ହିସାବ କଲେ ମୋଟ ରୋଗୀ ସଂଖ୍ୟା ଅନେକ ଗୁଣା ବଢ଼ିଯିବ। ଏହା ପୁଣି ହୃତ୍‌କମ୍ପନ ବଢାଇଛି। ରାଜଧାନୀରେ ସଂକ୍ରମଣ ଏବେ ପିକ୍‌ରେ ଅଛି ବୋଲି ବିଏମ୍‌ସି କମିଶନର କହିଛନ୍ତି। ତେବେ ଗତ ମାସରେ ହୋଇଥିବା ସେରୋ ସର୍ଭେଲାନ୍ସରେ ୧.୨୪ପ୍ରତିଶତଙ୍କ ଶରୀରରେ ଆଣ୍ଟିବଡ଼ି ମିଳିଛି। ବ୍ରହ୍ମପୁରରେ ଏହା ୩୧ପ୍ରତିଶତ ଥିବାବେଳେ ପୁନେରେ ୫୫ପ୍ରତିଶତ ଥିବା ସର୍ଭେରୁ ଜଣାପଡିଛି। ମୁମ୍ବାଇରେ ୪୦ପ୍ରତିଶତ, ଅହମ୍ମଦାବାଦରେ ୨୦ପ୍ରତିଶତ, ଯୋଧପୁର ଓ ଅମୃତସରରେ ୨୦ରୁ ୪୦ପ୍ରତିଶତ ଓ ଦିଲ୍ଲୀରେ ୨୯ପ୍ରତିଶତ ରହିଛି। କିନ୍ତୁ ଏହି ସବୁ ସହର ତୁଳନାରେ ରାଜଧାନୀରେ କମ୍‌ ସଂକ୍ରମିତ ଅଛନ୍ତି। ଏହା ଦେଶର ଅନ୍ୟତମ ସୁରକ୍ଷିତ ରାଜଧାନୀ ହୋଇପାରିଛି ବୋଲି କମିଶନର ଶ୍ରୀ ଚୌଧୁରୀ କହିଛନ୍ତି।

{"id":305338,"sizeSlug":"large"}

ରାଜଧାନୀରେ ସଂକ୍ରମଣ ଏବେ ପିକ୍‌ରେ ଅଛି ବୋଲି ବିଏମ୍‌ସି କମିଶନର କହିଛନ୍ତି। ନିକଟରେ ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳିଛି। ଟେଷ୍ଟିଂ ସଂଖ୍ୟା ବଢିଛି । ପୂର୍ବରୁ ଦିନକୁ ୧୨୦୦ରୁ ୧୪୦୦ ଟେଷ୍ଟିଂ ହେଉଥିଲା । ଏବେ ଦୈନିକ ୨୫୦୦ରୁ ୩୦୦୦ ଟେଷ୍ଟିଂ ହେଉଛି । କ୍ୟାପିଟାଲ ହସ୍ପିଟାଲ, ଏମ୍‌ସ, ସମ୍‌, ଆପୋଲୋ ଓ ଅନ୍ୟ ଘରୋଇ ଲାବ୍‌ରେ କୋଭିଡ୍‌ ଟେଷ୍ଟ୍‌ ହେଉଛି । ସହରର ୨୧ଟି ସିଏଚ୍‌ସି ଓ ପିଏଚ୍‌ସିରେ ମାଗଣା ଆଣ୍ଟିଜେନ୍‌ ପରୀକ୍ଷା ହେଉଛି । ନିକଟରେ ଗୋଟିଏ ସପ୍ତାହରେ ପଜିଟିଭ୍‌ ହାର ୧୦ପ୍ରତିଶତ ଥିଲା । ଅଧିକ ଟେଷ୍ଟିଂ ହେଉଥିବାରୁ ଅଧିକ ଆକ୍ରାନ୍ତ ବାହାରୁଛନ୍ତି ।

ଏହି ଦୃଷ୍ଟିରୁ ଚଳିତ ମାସ ବହୁତ ଗୁରୁତ୍ୱପୂର୍ଣ୍ଣ। ସଂକ୍ରମଣ ପିକ୍‌ରେ ଥିବାରୁ ଆମେ ସମସ୍ତେ ସଚେତନ ହେବାକୁ ପଡ଼ିବ। ଅତି କମ୍‌ରେ ଗୋଟିଏ ମାସ ସମ୍ପୂର୍ଣ୍ଣ ସତର୍କ ରହିବା। ନିଜେ ନିଜକୁ ଜଗିବା। ନିଜ ସୁରକ୍ଷା ନିଜେ କରିବା। କୋଭିଡ୍‌ରୁ ସୁରକ୍ଷିତ ରହିବା ପାଇଁ ୩ଟି ନିୟମକୁ କଡାକଡି ମାନିବା। ନିଶ୍ଚିତ ଭାବେ ମାସ୍କ ପିନ୍ଧିବା। ବାହାରକୁ ଗଲେ ଶାରିରୀକ ଦୂରତା ରକ୍ଷା କରିବା। ହାତକୁ ବାରମ୍ବାର ସଫା କରିବା ବା ସାନିଟାଇଜ୍‌ କରିବା। ଏହି ୩ଟି ନିୟମକୁ ସବୁ ରାଜଧାନୀବାସୀ ମାନିବାକୁ କମିଶନର ଅପିଲ୍‌ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.