କରୋନା ଭୟ, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨୮ ଛୁଇଁଲା : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ କହିଲେ ସ୍ଥିତି ଉପରେ ନଜର, ବିଦେଶରୁ ଆସୁଥିବା ସମସ୍ତଙ୍କର ହେବ ସ୍ବାସ୍ଥ୍ୟ ପରୀକ୍ଷା
4/03/2020 at 1:10 PM

ନୂଆଦିଲ୍ଲୀ ୪।୩: ସାରା ବିଶ୍ବରେ କରୋନା ଭାଇରସ୍ କାୟା ବିସ୍ତାର କରୁଥିବା ବେଳେ ଭାରତ ସତର୍କତା ଅବଲମ୍ବନ କରିଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ଯେ, ଏପର୍ଯ୍ୟନ୍ତ ଭାରତରେ ୨୮ ଜଣ କରୋନା ଭାଇରସ୍ ରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରେ ଦିଲ୍ଲୀର ଜଣେ ରହିଛନ୍ତି । ଏହି ୨୮ଜଣଙ୍କ ମଧ୍ୟରୁ କେରଳର ତିନି ଜଣ ରୋଗୀ ଭଲ ହୋଇଛନ୍ତି । ବର୍ତ୍ତମାନ ବିଦେଶରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯାଞ୍ଚ କରାଯିବ । ପୂର୍ବରୁ କେବଳ ୧୨ଟି ଦେଶ ପାଇଁ ଏଭଳି ଆଡଭାଇଜରୀ ଜାରି ହୋଇଥିଲା ।

ଏହି ଭାଇରସ୍ ର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି। ବୁଧବାର ପୂର୍ବାହ୍ନରେ କେନ୍ଦ୍ର ମନ୍ତ୍ରୀ ହର୍ଷବର୍ଦ୍ଧନ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରି ପ୍ରସ୍ତୁତିର ତଦାରଖ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ବୁଧବାର ଘୋଷଣା କରିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ୧୫ଟି ଲ୍ୟାବ ଅଛି ଯେଉଁଠାରେ କରୋନା ଭାଇରସ୍ ପରୀକ୍ଷା କରାଯାଉଛି । ବର୍ତ୍ତମାନ ସରକାରଙ୍କ ଦ୍ବାରା ଆଉ ୧୯ଟି ଲ୍ୟାବ୍ ପ୍ରସ୍ତୁତ କରାଯିବ ।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି କରୋନା ଭାଇରସ୍ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ଭାରତକୁ ଆସୁଥିବା ସମସ୍ତ ବିଦେଶୀ ନାଗରିକଙ୍କୁ ଯାଞ୍ଚ କରାଯିବ । ପ୍ରଥମେ କେବଳ ୧୨ଟି ଦେଶର ଲୋକଙ୍କୁ ଯାଞ୍ଚ କରାଯାଉଥିଲା । ସମସ୍ତ ଡାକ୍ତରଖାନାରେ ଭଲ ଗୁଣବତ୍ତା ବିଶିଷ୍ଟ ଆଇସୋଲେସନର ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ ଏଭଳି ନିଷ୍ପତ୍ତି ନିଆଯାଇଛି।

ଦିଲ୍ଲୀରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂପର୍କରେ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି ଯେ, ମଙ୍ଗଳବାର ଦିନ ଦିଲ୍ଲୀରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଯେଉଁ ବ୍ୟକ୍ତି ୬ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ । ଆଗ୍ରାରେ ରହୁଥିବା ୬ ଜଣ ସମ୍ପର୍କୀୟଙ୍କର ଯାଞ୍ଚ କରାଯାଇଥିଲା । ଦିଲ୍ଲୀର ସଂପୃକ୍ତ ବ୍ୟକ୍ତିଙ୍କ ସହ ମୋଟ୍ ୬୬ ଜଣ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ଆଗ୍ରା ସ୍ଥିତ ବ୍ୟକ୍ତିଙ୍କ ଘରଠାରୁ ୫ କିଲୋମିଟର ପରିଧିରେ ରହୁଥିବା ସମସ୍ତଙ୍କର ଯାଞ୍ଚ କରାଯାଇଛି।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ମୋଟ୍ ୧୮ ଟି କରୋନା ଭାଇରସ୍ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । ସେଥିମଧ୍ୟରୁ ୧୫ ଜଣ ଇଟାଲୀରୁ ଭାରତ ବୁଲିବାକୁ ଆସିଥିଲେ । ସମସ୍ତଙ୍କର ଯାଞ୍ଚ କରାଯାଉଛି । ସେମାନଙ୍କୁ ଆଇଟିବିପି କେନ୍ଦ୍ରକୁ ନିଆଯାଇଛି । ଯେଉଁଠାରେ କରୋନା ଭାଇରସ୍ ପାଇଁ ଏକ ଶିବିର କରାଯାଇଛି ।