ଚେନ୍ନାଇ,୩୦/୧୧: ତାମିଲନାଡୁ ସରକାର କରୋନା କଟକଣାକୁ ଡିସେମ୍ବର ୩୦ ଯାଏଁ ବୃଦ୍ଧି କରିଛନ୍ତି । ଏଠାରେ ଯୁକ୍ତ ତିନି ଶେଷ ବର୍ଷର ପରୀକ୍ଷା ଡିସେମ୍ବର ୭ରୁ ଆରମ୍ଭ ହେବ । ଏହା ବ୍ୟତୀତ ଚେନ୍ନାଇ ମରିନା ବିଚ୍ ମଧ୍ୟ ଡିସେମ୍ବର ୧୪ରୁ ଖୋଲିବ । କିନ୍ତୁ ବିଚ୍କୁ ଆସୁଥିବା ପର୍ଯ୍ୟଟକ କୋଭିଡ୍ ଗାଇଡଲାଇନ୍ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏତତ୍ ବ୍ୟତୀତ ବିଚରେ ସର୍ବାଧିକ ୫୦ଜଣଙ୍କୁ ଏକାଥରକେ ପ୍ରବେଶ ଅନୁମତି ମିଳିବ । ଦେଶରେ ଏବେ କରୋନା ମାମଲା କମୁଥିବା ବେଳେ ଶୀତ ଋତୁରେ ଏହା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏପରିକି ଦ୍ୱିତୀୟ ଲହର ଆଶଙ୍କା ରହିଛି । ଏହାକୁ ନଜରରେ ରଖି ତାମିଲନାଡୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।
ସୂଚନାଯୋଗ୍ୟ, ଶନିବାର ତାମିଲନାଡୁରେ ୧୪୩୦ଟି ପଜିଟିଭ୍ କେସ୍ ଆସିଛି । ଏହାସହ ମୋଟ୍ ମାମଲା ୭୭୯୦୪୬କୁ ବୃଦ୍ଧି ପାଇଛି । ରାଜ୍ୟର ୭ ଜିଲ୍ଲାରେ କରୋନା ମାମଲାରେ ପୁଣି ବୃଦ୍ଧି ଘଟିଛି । ଚେନ୍ନାଇରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି ।