ପୁଣି ଫେରୁଛି କରୋନା, ଏଣେ ପ୍ରକୋପ କରୁଛି H3N2, ଜାଣନ୍ତୁ କିପରି ରହିବେ ସତର୍କ
15/03/2023 at 4:20 PM

ନୂଆଦିଲ୍ଲୀ ୧୫।୩: ଗତ କିଛି ସମୟ ହେଲା ଭାରତରେ କରୋନା ସଂକ୍ରମଣ ହ୍ରାସ ହୋଇଥିଲା। ତେବେ ପୁଣି ଥରେ କରୋନା ଭାଇରସ ସଂକ୍ରମଣ ହାର ବଢିବାରେ ଲାଗିଛି। କୋଭିଡ-୧୯ ସାଙ୍ଗକୁ ଏବେ ଦେଶରେ ଏଚ୍୩ଏନ୨ ଇନଫ୍ଲୁଏଞ୍ଜା-ଏ ଭାଇରସ ମାମଲା ମଧ୍ୟ ବଢୁଛି। ଅର୍ଥାତ ଭାରତରେ ଏବେ ଏଚ୍୩ଏନ୍୨ ସାଙ୍ଗକୁ ପୁଣି କରୋନା ସଂକ୍ରମଣ ବଢିବା ଏବେ ଲୋକଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଗୋଟିଏ ଦିନରେ ୨ ଗୁଣା ହୋଇଯାଇଛି।
ଗୋଟିଏପଟେ କରୋନା ଓ ଅନ୍ୟପଟେ ଏଚ୍୩ଏନ୨ ବଢୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ତେବେ ଦୁଇ ପ୍ରକାର ଭୂତାଣୁ ଜନିତ ବିପଦରେ ଲୋକେ କିପରି ନିଜକୁ ସୁରକ୍ଷିତ ରଖିବେ ଏବେ ଚିନ୍ତାରେ ପଡିଛନ୍ତି। ତେବେ ଏପରି ପରିସ୍ଥିତିରେ ଡାକ୍ତର କଣ କହୁଛନ୍ତି ଆସନ୍ତୁ ଜାଣିବା।

ଏଚ୍୩ଏନ୍୨ ଇନଫ୍ଲୁଏଞ୍ଜା-ଏ ଭାଇରସର ଉପପ୍ରକାର ଅଟୋ। ଏହି ଭୂତାଣୁରେ ସଂକ୍ରମିତ ବ୍ୟକ୍ତିଙ୍କ କାସ ବା ଛିଙ୍କ ମାଧ୍ୟମରେ ସୁସ୍ଥ ଲୋକଙ୍କ ନିକଟକୁ ପହଞ୍ଚି ଥାଏ। ଏହି ଭୂତାଣୁ ସଂକ୍ରମଣର ସାଧାରଣ ଲକ୍ଷଣ ଫ୍ଲୁ ଭଳି ହୋଇଥାଏ। ଏଣୁ ଭୂତାଣୁ ଦ୍ୱାରା ସଂକ୍ରମିତ ହେଲେ ସାମାନ୍ୟ ଜ୍ୱର ବା ଥଣ୍ଡା ଲାଗିଥାଏ। କାସ ସହିତ ଗଳା ଗତଗତ କରିଥାଏ, ନାକରୁ ପାଣି ବୋହିଥାଏ ବା କେତେକ ମାମଲାରେ ନାକ ବନ୍ଦ ରହେ। ମୁଣ୍ଡ ବିନ୍ଧିବା ସହିତ ଥକ୍କା ମଧ୍ୟ ଲାଗିଥାଏ, କେତେକ କ୍ଷେତ୍ରରେ ଝାଡ଼ା ବା ବାନ୍ତି ମଧ୍ୟ ହୋଇଥାଏ। ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେଲେ ନିଶ୍ୱାସପ୍ରଶ୍ୱା ନେବ୨ ମଧ୍ୟ କଷ୍ଟ ହୋଇଥାଏ। ଭୂତାଣୁର ଲକ୍ଷଣ ପ୍ରାୟ ୨୧ ଦିନ ପର୍ଯ୍ୟନ୍ତ ରହିଥାଏ।
ଅପରପଟେ କୋଭିଡ-୧୯ ସାର୍ସକୋଭ-୨ ଭୂତାଣୁ ଯୋଗୁ ବ୍ୟାପିଥାଏ। ଗୁରଗାଓଁର ସି.କେ.ବିରଲା ହସ୍ପିଟାଲର କ୍ରିଟିକାଲ କେୟାର ଓ ପଲ୍ମନୋଲଜି ବିଭାଗର ମୁଖ୍ୟ ଡା. କୂଲଦୀପ କୁମାର ଗ୍ରୋଭର କୋଭିଡ ଭାଇରସ ଓ ଏଚ୍୩ଏନ୍୨କୁ ଦୁଇଟି ଅଲଗା ଅଲଗା ଭୂତାଣୁଙ୍କ ପ୍ରକୋପ ବୋଲି କହିଛନ୍ତି। ଏଣୁ ଉଭୟ ସଂକ୍ରମଣର ପ୍ରକୃତି ଓ ଆବୃତ୍ତି ପୃଥକ ହୋଇଥାଏ ବୋଲି ସେ କହିଛନ୍ତି। ସେହିପରି ମ୍ୟାକ୍ସ ସୁପର ସ୍ପେସଲିଟି ହସ୍ପିଟାଲର ଇଟରନାଲ ମେଡିସିନ ଡାଇରେକ୍ଟର ଡା. ରୋମେଲ ଟିକୁ ଅନ୍ୟ ଭୂତାଣୁ ଭଳି ଏଚ୍୩ଏନ୍୨ ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ସାବଧାନତା ଅବଲମ୍ବନ କରିବା ବାଞ୍ଛନୀୟ ବୋଲି କହିଛନ୍ତି।

ସେ କହିଛନ୍ତି ଯେ ଲୋକେ ଫେସ ମାସ୍କ ଲଗାଇବାକୁ ଏବେ ଆଉ ଜରୁରି ମଣୁ ନାହାନ୍ତି। ତେବେ ମାସ୍କ ଫ୍ଲୁ ପ୍ରସାରକୁ ରୋକିପାରେ ବୋଲି ଡା.ଟିକୁ କହିଛନ୍ତି। ଅପରପଟେ ଅପଲୋ ହସ୍ପିଟାଲର ଏମଡି ଡା. ସଙ୍ଗୀତା ରେଡ୍ଡୀ ଦେଶରେ ବଢୁଥିବା କରୋନା ସଂକ୍ରମଣରୁ ନେଇ ଚିନ୍ତିତ ହେବାର କିଛି ନାହିଁ ବୋଲି କହିଛନ୍ତି। କାରଣ ଦେଶରେ କୋଭିଡ ଭାକ୍ସିନେସନ ଅଭିଯାନ ଓ ଇଫେକ୍ଟିଭ ଭାକ୍ସିନ ଯୋଗୁ ବଢୁଥିବା ମାମଲା ଏତେ ଚିନ୍ତାଜନକ ନୁହେଁ ବୋଲି କହିଛନ୍ତି।
କୋଭିଡ-୧୯ କାସିବା, ଛିଙ୍କିବା ଓ କଥା ହେଲେ ଜଣକ ଠାରୁ ଅନ୍ୟ ଜଣକୁ ସଂକ୍ରମିତ କରିଥାଏ। ସଂକ୍ରମିତଙ୍କଠାରେ କାସ, ଛିଙ୍କ, ଥଣ୍ଡା, ଛାତିରେ ଯନ୍ତ୍ରଣା, ଶୁଣିବାକୁ ଅସୁବିଧା ଓ କୌଣସି ବାସ୍ନା ନ ହେବା ଲକ୍ଷଣ ଦେଖାଯାଇଥାଏ। କୋଭିଡ-୧୯ରୁ ବର୍ତ୍ତିବା ପାଇଁ ଭିଡଭାଡ ଅଞ୍ଚଳରୁ ଦୂରେଇ ରହିବା ସହ ସମୟ ସମୟରେ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି।