ସେକ୍ସ ରାକେଟରୁ କରୋନା ପଜିଟିଭ୍: କଟକ ଡିସିପି କହିଲେ, 'ଜାରି ରହିଛି ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ'

Published By : Prameya-News7 Bureau | August 24, 2020 IST

କଟକ୨୪/୮: ସେକ୍ସ ରାକେଟରେ ଗିରଫ ହୋଇଥିବା ଅଭିଯୁକ୍ତ କରୋନା ପଜିଟିଭ୍। ବର୍ତ୍ତମାନ ଅଭିଯୁକ୍ତର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। କଟକ ଡିସିପି ପ୍ରତୀକ ସିଂ ଏ ସଂପର୍କରେ ସୂଚନା ଦେଇଛନ୍ତି। ଏମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର କରୋନା ଟେଷ୍ଟ କରାଯିବ। କଟକ ସହରର ପୂର୍ବାଞ୍ଚଳ ବିଦ୍ୟାଧରପୁର ଇଲାକାରେ ଦୀର୍ଘ ଦିନ ହେଲା ଚାଲିଥିବା ଏକ ସେକ୍ସ ରାକେଟକୁ ଚାଉଳିଆଗଞ୍ଜ ଥାନା ପୁଲିସ ଠାବ କରିଥିଲା।ଏହି ଘଟଣାରେ ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପୁଲିସ ଜଣେ ଗ୍ରାହକ ସମେତ ରାକେଟ୍ ଚଲାଉଥିବା କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରିଥିଲା।

ମିଳିଥିବା ସୂଚନା ଅନୁସାରେ, ବିଦ୍ୟାଧରପୁର ଅଞ୍ଚଳର ଏକ ଭଡ଼ା ଘରେ ଦୀର୍ଘ ଦିନ ହେଲା ସେକ୍ସ ରାକେଟ୍ ଚାଲୁଥିବାର ଅଭିଯୋଗ ହୋଇଆସୁଥିଲା । ସ୍ଥାନୀୟ ଲୋକେ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖି ପୁଲିସକୁ ଖବର ଦେଇ ଆସୁଥିଲେ । ଶନିବାର ଦିନ ବେଳେ ଉକ୍ତ ଘରେ ଏଭଳି କିଛି ଅସାମାଜିକ କାର୍ଯ୍ୟ ଚାଲିଥିବା ପୁଲିସକୁ ଖବର ମିଳିଥିଲା। ସଙ୍ଗେ ସଙ୍ଗେ ପୁଲିସର ଏକ ଟିମ୍‌ ସେଠାରେ ଚଢ଼ଉ କରି ଉକ୍ତ ଘରୁ ଜଣେ ଯୁବତୀ ଓ ଯୁବକଙ୍କୁ ଅସଂଯତ ଅବସ୍ଥାରେ ଠାବ କରିଥିଲେ ।

ସେହି ଘରେ ରହୁଥିବା ଆଉ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ କାବୁ କରିଥିଲା । ଥାନାରେ ଜେରା ବେଳେ ବ୍ୟକ୍ତିଜଣକ ସେଠାରେ ସେକ୍ସ ରାକେଟ୍ ଚଲାଉଥଲା ଓ ଯୁବକ ଜଣେ ଗ୍ରାହକ ଥିଲା ବୋଲି ଉକ୍ତ ବ୍ୟକ୍ତି ପୁଲିସ ଆଗରେ ସ୍ୱୀକାର କରିଛି । ଉଦ୍ଧାର ହୋଇଥିବା ୨୪ ବର୍ଷିୟା ଯୁବତୀ ଜିଲ୍ଲା ବାହାରର । ସେଠାକୁ ସେ କିପରି ଆସିଲେ ସେନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି । ଘରେ ରହୁଥିବା ୪୮ ବର୍ଷିୟ ବ୍ୟକ୍ତି ଓ ଗ୍ରାହକ ହୋଇ ଆସିଥିବା ୪୨ ବର୍ଷିୟ ଯୁବକଙ୍କୁ ଚାଉଳିଆଗଞ୍ଜ ଥାନା ପୁଲିସ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.