ଭୀମସାର ସୁପରିଟେଣ୍ଡଣ୍ଟ ଅଫିସରେ ପଶିଲା କରୋନା : ଜଣେ କର୍ମଚାରୀ କୋଭିଡ଼ ସଂକ୍ରମିତ, ୨ଦିନ ପାଇଁ ଅଫିସକୁ ସାମୟିକ ଭାବେ ବନ୍ଦ
19/08/2020 at 7:29 AM

ସମ୍ବଲପୁର ୧୯।୦୮: ବୁର୍ଲା ଭୀମସାର ସୁପରିଟେଣ୍ଡଣ୍ଟ ଅଫିସରେ ପଶିଲା କରୋନା । ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ଦେଲେ ଭୀମସାର ସୁପରିଟେଣ୍ଡଣ୍ଟ ଜୟଶ୍ରୀ ଦୋରା । କର୍ମଚାରୀ ଜଣକ ପଜିଟିଭ୍ ଚିହ୍ନଟ ପରେ ଅଫିସକୁ ସାନିଟାଇଜ କରି ସିଲ୍ କରିଦିଆଯାଇଛି। ୨ ଦିନ ପାଇଁ ସାମୟିକ ଭାବେ ବନ୍ଦ କରାଯାଇଛି।
ସୁପରିଟେଣ୍ଡଣ୍ଟ ଅଫିସରେ କର୍ମଚାରୀ ଜଣଙ୍କ କେମିତି କରୋନା ସଂସ୍ପର୍ଶରେ ଆସିଲେ, ସେନେଇ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। କଣ୍ଟାକ୍ଟ ଟ୍ରେସିଂକୁ ଆଧାର କରି ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କ୍ବାରେଣ୍ଟାଇନରେ ପଠାଯିବ। କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା କର୍ମଚାରୀ ଭୀମସାର ବ୍ଲଡ ବ୍ୟାଙ୍କରେ ମଧ୍ୟ କାମ କରୁଥିବାରୁ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଛି। ବ୍ଲଡ ବ୍ୟାଙ୍କକୁ ମଧ୍ୟ ସାନିଟାଇଜ୍ କରାଯାଇଛି । ଏବେ ଜରୁରୀକାଳୀନ କାମ ପାଇଁ ଅନ୍ୟ ଗୃହରେ ସୁପରିଟେଣ୍ଡଣ୍ଟ ଅଫିସ କାର୍ଯ୍ୟକାରୀ କରିବ ବୋଲି ସୁପରିଟେଣ୍ଡଣ୍ଟ ସୂଚନା ଦେଇଛନ୍ତି ।