AIIMSର ୫ମହଲାରୁ ଡେଇଁ ଜୀବନ ହାରିଲେ କରୋନା ସଂକ୍ରମିତ, ଡାକ୍ତରଙ୍କର ମଧ୍ୟ ମୃତ୍ୟୁ

Published By : Prameya-News7 Bureau | May 27, 2021 IST

ପାଟନା ୨୭।୫: ବିହାର ରାଜଧାନୀ ପାଟନା ସ୍ଥିତ AIIMSରେ ବୁଧବାର ସନ୍ଧ୍ୟା ପ୍ରାୟ ସାଢେ ୫ଟା ବେଳେ ଜଣେ କରୋନା ରୋଗୀ ଆତ୍ମହତ୍ୟା କରିଛନ୍ତି । ସୂଚନାନୁସାରେ, ବେଗୁସରାୟ ଜିଲ୍ଲାର ଚିରତୌଲା ଗାଁର ୫୭ ବର୍ଷ ବୟସ୍କ ରାମଚନ୍ଦ୍ର ଶାହା AIIMSର ପଞ୍ଚମ ମହଲାର ଶୌଚାଳୟରୁ ଡେଇଁ ପଡିଥିଲେ । ଏହାପରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

ଉଲ୍ଲେଖଯୋଗ୍ୟ ଯେ, ମୃତ ବ୍ୟକ୍ତି ବେଙ୍ଗାଲୁରୁ ସ୍ଥିତ ରାଇସ୍ ମିଲରେ ଶ୍ରମିକ ଠିକାଦାର ଭାବେ କାମ କରୁଥିଲେ । ମେ’ ୨ ତାରିଖରେ ସେ ବେଙ୍ଗାଲୁରୁରୁ ଗାଁକୁ ଆସିଥିଲେ । ମେ’ ୧୨ରେ କରୋନା ଲକ୍ଷଣ ଦେଖାଯିବା ପରେ ମେ’ ୧୮ରେ ପାଟନା AIIMSରେ ଭର୍ତ୍ତି ହୋଇଥିଲେ । ସେଠାରେ ସେ ବୁଧବାର ଦିନ ଆତ୍ମହତ୍ୟା କରିଛନ୍ତି ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଫୁଲୱାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଜାରି ରଖିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ମୃତକଙ୍କ ପୁଅ ଗୋପାଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେ କହିଛନ୍ତି ଯେ, ଶେଷଥର ଭିଡିଓ କଲ୍ ରେ ବାପା ଇସାରା ଦେଇଦେଇଥିଲେ ଯେ ସେ ଆଉ ବଞ୍ଚିବେ ନାହିଁ । ଏହାପରେ ସେ ଏପରି କରିଛନ୍ତି । ପୋଲିସ ଅଧିକାରୀ କହିଛନ୍ତି ଯେ, ରୋଗୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ଶବକୁ AIIMS ଶବାଗାରରେ ରଖାଯାଇଛି । ଘଟଣାର ତଦନ୍ତ ଜାରି ରହିଛି ।

ଅନ୍ୟପଟେ ବୁଧବାର ଦିନ AIIMS ରେଜିଡେଣ୍ଟ ଡାକ୍ତର ପ୍ରଦୀପ କୁମାରଙ୍କର କରୋନାରେ ମୃତ୍ୟୁ ଘଟିଛି । ପ୍ରଦୀପ ମୂଳତଃ ବିହାରର ଶିବହାର ଜିଲ୍ଲାର କୋଲୁହୁଟିକା ଗାଁର ଥିଲେ । ସେ ପାଟନା AIIMSରେ JR ଭାବରେ ନିଯୁକ୍ତି ପାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.