ଦିଲ୍ଲୀରେ କରୋନାର ତୃତୀୟ ଲହରି, ମାନିଲେ କେଜ୍ରିଓ୍ୱାଲ୍‌

Published By : Prameya-News7 Bureau | November 05, 2020 IST

ନୂଆଦିଲ୍ଲୀ ୦୫।୧୧ : ସମୟ ଗଡିବା ସହ ନୂଆ ନୂଆ ଭୟ ସୃଷ୍ଟି କରୁଛି କରୋନା ।  ଦେଶରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୮୩ ଲକ୍ଷ ଅତିକ୍ରମ କରିସାରିଛି । କେବଳ ଦିଲ୍ଲୀରେ ମୋଟ ରୋଗୀଙ୍କ ସଂଖ୍ୟା ୪ ଲକ୍ଷରୁ ଅଧିକ ହୋଇଛି । ଗତ କିଛିଦିନ ମଧ୍ୟରେ ଦେଶର ରାଜଧାନୀରେ ଦ୍ରୁତ ଗତିରେ କରୋନା ରୋଗୀ ଦେଖାଦେଇଛନ୍ତି । ଏହାକୁ ନେଇ ଦିଲ୍ଲୀ ସରକାର ବିଶ୍ବାସ କରିଛନ୍ତି ଏହା ହେଉଛି କରୋନାର ତୃତୀୟ ଲହର । ତେବେ ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି ।

ଏନେଇ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ କହିଛନ୍ତି ଯେ ଦିଲ୍ଲୀରେ କରୋନାର ତୃତୀୟ ଲହର ସଂକ୍ରମଣ ହେଉଥିବା ମନେକରି ସମୀକ୍ଷା ବୈଠକ ଡକାଯାଇଛନ୍ତି । ଅପରାହ୍ନ ୪ଟା ସମୟରେ ଏହି ବୈଠକ ବସିବ । ଏହି ବୈଠକରେ ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ଆଇସିୟୁ ବେଡ, ଭେଣ୍ଟିଲେଟର ଏବଂ ବେଡ ଉପରେ ଆଲୋଚନା ହେବ । କରୋନା ସଂକ୍ରମଣ ବଢିବା ପରେ କେତେକ ହସପିଟାଲରେ ଭେଣ୍ଟିଲେଟର ସିମିତ ହୋଇଥିଲା । ବୈଠକରେ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବ । ଏପରିକି ବେସରକାରୀ ହସପିଟାଲ ଗୁଡିକୁ ନଜରରେ ରଖିଛନ୍ତି କେଜ୍ରିଓ୍ବାଲ । ତେବେ ଗତକାଲି ଦିଲ୍ଲୀରେ କରୋନା ଭାଇରସର ୬୭୨୫ ନୂଆ ମାମଲା  ସାମ୍ନାକୁ ଆସିଥିଲା । ତେବେ ଦିଲ୍ଲୀରେ ଏପର୍ଯ୍ୟନ୍ତ ୪ ଲକ୍ଷ ୩ ହଜାର ୯୬ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.