ମେରଠ ୧୬/୦୯ : ଉତ୍ତର ପ୍ରଦେଶ ମେରଠରେ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହେବାର ୧୩୦ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି। ତେବେ ଘରକୁ ଫେରିବା ପରେ ବୁଧବାର ଦିନ ତାଙ୍କୁ କିଛି ସମୟ ପାଇଁ ଅକ୍ସିଜେନ ସପୋର୍ଟରେ ରଖିବାକୁ ପଡିଥିଲା। ବିଶ୍ୱାସ ସାଇନି ଏପ୍ରିଲ ୨୮ ତାରିଖରେ କରୋନାରେ ସଂକ୍ରମିତ ହୋଇଥିଲେ। ପ୍ରଥମେ ଘରେ ହିଁ ତାଙ୍କର ଚିକିତ୍ସା କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାୟ ମାସେ ଯାଏଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତାପରେ ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇ ଚିକିତ୍ସା ଚାଲିଥିଲା।
ବିଶ୍ୱାସ ସାଇନିଙ୍କ ଚିକିତ୍ସା କରୁଥିବା ଡାକ୍ତର ଏମସି ସାଇନି କହିଛନ୍ତି ଯେ ଯେତେବେଳେ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା ସେତେବେଳେ ତାଙ୍କ ଅବସ୍ଥା ଏତେ ଗୁରୁତର ଥିଲା ଯେ ଡାକ୍ତର ବି ଆଶା ଛାଡି ଦେଇଥିଲେ। କିନ୍ତୁ ବିଶ୍ୱାସ ସାଇନି ବଞ୍ଚିବାର ଆଶା ଓ ଚିକିତ୍ସା ପାଇଁ ଏହା ସମ୍ଭବ ହୋଇପାରିଛି।
୧୩୦ ଦିନ ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବିଶ୍ୱାସ ସାଇନି କହିଛନ୍ତି ଯେ ଘରକୁ ଫେରି ସେ ବହୁତ ଆଶ୍ୱସ୍ତ ଓ ଭଲ ଅନୁଭବ କରୁଛନ୍ତି। ୧୩୦ ଦିନ ପରେ ସେ ନିଜ ଘରେ ଓ ନିଜ ପରିବାର ସଦସ୍ୟଙ୍କ ମଧ୍ୟରେ ଅଛନ୍ତି। ତାଙ୍କ ଅବସ୍ଥା ଯେତେବେଳେ ଗୁରୁତର ଥିଲା ସେତେବେଳେ ସେ ବି ଡରିଯାଇଥିଲେ, ଲୋକଙ୍କୁ ପ୍ରାଣ ହରାଉଥିବା ଦେଖି ସେ ବି ଭୟଭୀତ ହୋଇଯାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ସାହସ ଦେଇଥିଲେ ଓ ସୁସ୍ଥ ହେବା ଉପରେ ଫୋକ୍ସ କରିବାକୁ କହିଥିଲେ। ଡାକ୍ତରଙ୍କ ଚିକିତ୍ସା ଓ ପରିବାରର ପ୍ରାର୍ଥନା ଯୋଗୁଁ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି କହିଛନ୍ତି।