ଦିଲ୍ଲୀରେ ବଢ଼ୁଛି କରୋନା ସଂକ୍ରମଣ; ଗତ ୨୪ ଘଣ୍ଟା ମଧ୍ୟରେ ସାମ୍ନାକୁ ଆସିଲା ୭୩୫ ନୂଆ ମାମଲା, ୩ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | June 12, 2022 IST

ନୂଆଦିଲ୍ଲୀ ୧୨/୦୬ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଲାଗାତାର ବଢ଼ିବାରେ ଲାଗିଛି। ଏହା ମଧ୍ୟରେ ରବିବାର ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୭୩୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କୋଭିଡରେ ୩ ଜଣ ପ୍ରାଣ ହରାଇଛନ୍ତି। ଏହି ସଂକ୍ରମଣ ହାର ଗତ ୪୨ ଦିନ ମଧ୍ୟରେ ସବୁଠୁ ଅଧିକ ରହିଛି। ରବିବାର ନୂଆ ସଂକ୍ରମଣ ସହିତ ସଂକ୍ରମଣ ହାର ୪.୩ ପ୍ରତିଶତ ରହିଛି। ଏହା ପୂର୍ବରୁ ମେ ୧ରେ ସଂକ୍ରମଣ ହାର ୪.୯ ଥିବାବେଳେ ମେ ୧୫ରେ ଜଣଙ୍କର ମୃତ୍ୟୁ ହୋଇଥିଲା।      

ସ୍ୱାସ୍ଥ୍ୟ ବିଭାଗ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬,୮୭୮ଟି କରୋନା ପରୀକ୍ଷା କରାଯାଇଛି। ଏହା ମଧ୍ୟରୁ ୧୧,୫୭୭ ଟି ଆରଟିପିସିଆର ପରୀକ୍ଷା ହୋଇଥିବା ବେଳେ ୫, ୩୨୧ ଜଣଙ୍କର ଆଣ୍ଟିଜେନ୍‌ ପରୀକ୍ଷା ହୋଇଥିଲା। ସେହିପରି ଏହା ମଧ୍ୟରେ ୫୩୭ ଜଣ କରୋନା ସଂକ୍ରମିତ କରୋନାକୁ ହରାଇଛନ୍ତି। ଡାକ୍ତରଖାନାରେ କରୋନା ରୋଗୀଙ୍କ ସଂଖ୍ୟା  ୧୦୦ରେ ପହଞ୍ଚିଛ କିନ୍ତୁ ଏହାର ଗୋଟିଏ ଦିନ ପୂର୍ବରୁ ୯୪ ଜଣ ରୋଗୀ ଥିଲେ। ସେମାନଙ୍କ ମଧ୍ୟରୁ ଆଇସିୟୁରେ ୩୨ଜଣ, ଅକ୍ସିଜେନ୍‌ ସପୋର୍ଟରେ ୨୯ ଜଣ ଓ ଭେଣ୍ଟିଲେଟର୍‌ରେ ୭ ଜଣ ରୋଗୀ ଅଛନ୍ତି ।

ବର୍ତ୍ତମାନ ଦିଲ୍ଲୀରେ ମୋଟ୍‌ କରୋନା ସକ୍ରିୟ ରୋଗୀଙ୍କ ସଂଖ୍ୟା ବଢ଼ି ୨,୪୪୨ରେ ପହଞ୍ଚିଛି। ଯାହାକି ଗୋଟିଏ ଦିନ ପୂର୍ବରୁ  ୨,୨୪୭ ଥିଲା। ସେହିପରି ସେଠାରେ ଏବେ ୧୮୦ଟି କଣ୍ଟେଣ୍ଟମେଣ୍ଟ  ଜୋନ୍‌ ଥିବାବେଳେ ୩୦୫ ଜଣ ଲୋକ କୋଭିଡ ସହାୟତା ପାଇଁ ହେଲ୍ପ ଲାଇନ୍‌ ନମ୍ୱରରେ ପରାମର୍ଶ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.