OYO ହୋଟେଲ କାରବାରକୁ କରୋନା ଝଟକା, ୫ ହଜାର କର୍ମଚାରୀଙ୍କୁ ଘାରିଛି ଚାକିରୀ ଚିନ୍ତା
5/03/2020 at 6:19 PM

ନୂଆଦିଲ୍ଲୀ ୫।୩: କରୋନା ସଂକ୍ରମଣ ଓୟୋ ହୋଟେଲ କାରବାରକୁ ପ୍ରଭାବିତ କରିଛି। ପରିସ୍ଥିତି ଏପରି ହୋଇଛି ଯେ କମ୍ପାନୀ ଏବେ ୫ ହଜାର କର୍ମଚାରୀଙ୍କ ଚାକିରୀ ଛଟେଇ ଲାଗି ଯୋଜନା କରୁଥିବା ଜଣାପଡିଛି। ଏଥିରେ କମ୍ପାନୀର ଭାରତ, ଆମେରିକା ଓ ଚୀନର କର୍ମଚାରୀ ଅଧିକମାତ୍ରାରେ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି।

କମ୍ପାନୀ ଏବେ ତାର ଗ୍ଲୋବାଲ ୱାର୍କଫୋର୍ସରୁ ୫ ହଜାର କର୍ମଚାରୀଙ୍କୁ ବାହାର କରିବା ଲାଗି ଯୋଜନାରେ ରହିଛି। ଯଦି ଏହା କାର୍ଯ୍ୟକାରୀ ହୁଏ ତେବେ କମ୍ପାନୀର ମୋଟ କର୍ମଚାରୀ ସଂଖ୍ୟା ୨୫ ହଜାରକୁ ହ୍ରାସ ହେବ। ତେବେ ଏଥିରେ ସବୁଠୁ ଅଧିକ ଜବକଟ୍ ଚୀନରେ ହେବ। ଏହିଠାରୁ ହିଁ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା। ଏଣୁ ଚୀନରେ ଓୟୋର କାରବାର ଏବେ ସମ୍ପୂର୍ଣ୍ଣ ଠପ ହୋଇଯାଇଛି।

ଓୟୋ ହୋଟେଲ୍ସ ଏକ ଭାରତୀୟ ଷ୍ଟାର୍ଟ-ଅପ ହୋଇଥିବା ବେଳେ ଏଥିରେ ଜାପାନୀ ବହୁରାଷ୍ଟ୍ରୀୟ କମ୍ପାନୀ ସଫ୍ଟବ୍ୟାଙ୍କ ଗ୍ରୁପ କର୍ପୋରେସନ ନିବେଶ କରିଛି। ୨୦୧୩ ମସିହାରେ ସ୍ଥାପିତ ଏହି କମ୍ପାନୀର ମୂଲ୍ୟ ଏବେ ୧୦ ବିଲିୟନ ଡଲାରରେ ପହଞ୍ଚିଛି। ସଫ୍ଟ ବ୍ୟାଙ୍କ ଭିଜନ ଫଣ୍ଡ ଓୟୋରେ ୧.୫ ବିଲିୟନ ଡଲାର ନିବେଶ କରିଛି। ୨୦୨୦ରେ କମ୍ପାନୀର ଫୋକସ ଗ୍ରୋଥ ବଢାଇବା ସହ ପ୍ରଫିଟ ଉପରେ ଥିଲା। ତେବେ ଏହା ପୂର୍ବରୁ କରୋନା ଓୟୋର ସମସ୍ତ ଯୋଜନା ଚୌପଟ କରିଦେଇଥିବା ଏହାର ସଂସ୍ଥାପକ ତଥା ସିଇଓ ରିତେଶ ଅଗ୍ରୱାଲ ବ୍ଲୁମବର୍ଗ ଟେଲିଭିଜନକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି।

ଚୀନରେ କମ୍ପାନୀର ୬ହଜାର ଫୁଲ ଟାଇମ କର୍ମଚାରୀ ଅଛନ୍ତି। କରୋନା ସଂକ୍ରମଣ କାରଣରୁ ଟ୍ରଭେଲ କଟକଣା ଥିବାରୁ ଏବେ ଚୀନରେ ହୋଟେଲ ବ୍ୟବସାୟ ଗୁରୁତର ପ୍ରଭାବିତ ହୋଇଛି। ଏଣୁ ଚୀନରେ କମ୍ପାନୀ ୫୦ ପ୍ରତିଶତ କର୍ମଚାରୀ ଛଟେଇ କରିବ ବୋଲି ଆଶଙ୍କା କରାଯାଉଛି। ଭାରତରେ କମ୍ପାନୀର ୧୦ ହଜାର କର୍ମଚାରୀ ଅଛନ୍ତି। ଏମାନଙ୍କ ମଧ୍ୟରୁ ୧୨ ପ୍ରତିଶତ କର୍ମଚାରୀ ଚାକିରୀ ହରେଇବାର ଏବେ ଆଶଙ୍କା କରାଗଲାଣି।