'କରୋନା ଭୟାବହତା ସତ୍ତ୍ବେ ମନୁଷ୍ୟ ଜାତି ବଞ୍ଚି ରହିବ'- ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ

Published By : Prameya-News7 Bureau | July 17, 2020 IST

ଭୁବନେଶ୍ୱର,୧୭/୦୭: କରୋନା ଭୟାବହତା ସତ୍ତ୍ବେ ମନୁଷ୍ୟ ଜାତି ବଞ୍ଚି ରହିବ । କାଳର ଇତିହାସରେ ଏହିପରି ସମୟ ହିଁ ମନୁଷ୍ୟକୁ ଆତ୍ମଶକ୍ତି ଜାଗ୍ରତ କରିବାର ଶିକ୍ଷା ଦେଇଥାଏ । ଆତ୍ମଶକ୍ତି ଜାତ ସହିତ ବିଜ୍ଞାନ, ସମାଜ ଏବଂ ଈଶ୍ୱରଙ୍କ ଉପରେ ବିଶ୍ୱାସ ଦ୍ୱାରା ଆମେ ଏହି ସଂକଟକୁ ଅତିକ୍ରମ କରିପାରିବା ବୋଲି ବିଶିଷ୍ଟ ଆଧ୍ୟାତ୍ମିକ ଚିନ୍ତକ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ କହିଛନ୍ତି ।

ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଡ. ସୁଧାଂଶୁ ଭୂଷଣ ମିଶ୍ରଙ୍କ ୭୯ତମ ଜନ୍ମତିଥି ଉପଲକ୍ଷେ ଆୟୋଜିତ ସ୍ମାରକୀ ବକ୍ତୃତାମାଳାରେ ମୁଖ୍ୟଅତିଥି ଭାବେ ଗୁରୁଜୀ ଡ. ଶତପଥୀ ଯୋଗଦେଇଥିଲେ । ଏହି ଅବସରରେ ସେ କହିଲେ, ଅତୀତରେ ଯେତେବେଳେ ଏପରି ସମୟ ଆସିଛି ପ୍ରତିଥର ମନୁଷ୍ୟ ଜାତି ସଂଗ୍ରାମ କରି ସେଥିରୁ ମୁକୁଳି ଆସିଛି । ଯେତେବେଳେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ଉଦ୍ଭାବନ ହୋଇନଥିଲା ସେତେବେଳେ ମଧ୍ୟ କେବଳ ପ୍ରଭୁଙ୍କ ଉପରେ ଭରସା ରଖି ମନୁଷ୍ୟ ଜାତି ପ୍ରକୃତିର ମୁକାବିଲା କରିପାରିଥିଲା । ବିଜ୍ଞାନ ଓ ବିଭୁ-ବିଶ୍ୱାସ ମଧ୍ୟରେ ସମାଜରେ ଦେଖା ଦେଉଥିବା ଦ୍ୱନ୍ଦ୍ୱକୁ ଦୂର କରିବାକୁ ଯାଇ ଗୁରୁଜୀ କହିଲେ, ଗତକାଲି ଯଜ୍ଞ ମାଧ୍ୟମରେ ଈଶ୍ୱରଙ୍କୁ ଅନୁଭବ କରିହେଉଥିଲା, ଆଜି ବିଜ୍ଞାନ ମାଧ୍ୟମରେ ତାହା ହେଉଛି ।

ସ୍ୱର୍ଗତ ସୁଧାଂଶୁ ଭୂଷଣଙ୍କ ସ୍ମୃତିଚାରଣ କରି ଗୁରୁଜୀ କହିଲେ, ବାସ୍ତବ ଅର୍ଥରେ ସେ ଜଣେ ଭଲ ମଣିଷର ପ୍ରତୀକ ଥିଲେ । ତାଙ୍କ ନିକଟରେ ପଦବିର ଅହଂକାର ନଥିଲା । ଯିଏ ତାଙ୍କ ନିକଟକୁ ଆସୁଥିଲେ, ତାଙ୍କର ସେ କିପରି ଉପକାର କରିପାରିବେ ସେ କଥା ଚିନ୍ତା କରୁଥିଲେ । ବିଜ୍ଞାନର ଛାତ୍ର ହୋଇଥିଲେ ମଧ୍ୟ ଆଧ୍ୟାତ୍ମିକତା ଭାବନାକୁ ସେ ମନରୁ ଦୂରେଇ ଦେଇନଥିଲେ । ଏହି ଅବସରରେ ସ୍ୱେଚ୍ଛାସେବୀ ସଂଗଠନ “ମମତା’ର ତ୍ୟାଗପୂର୍ଣ୍ଣ ସେବାମୟ କାର୍ଯ୍ୟକୁ ଗୁରୁଜୀ ଉଚ୍ଚ ପ୍ରଶଂସା କରିଥିଲେ ।

ପ୍ରାରମ୍ଭରେ “ମମତା’ର ଅଧ୍ୟକ୍ଷା ଡ. ବିଜୟା ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ଦିଲ୍ଲୀପ ଦ୍ୱିବେଦୀ ସୂଚନା ପ୍ରଦାନ କରିଥିଲେ । ଡ. ମଧୁମିତା ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ। କୋଭିଡ୍‌-୧୯ ସମୟରେ “ମମତା’ର କାର୍ଯ୍ୟ ସମ୍ପର୍କରେ ମେଜର କଳ୍ପନା ଦାସ ସୂଚନା ଦେଇଥିଲେ। ଏହି ଅବସରରେ ସୁଧାଂଶୁ ବାବୁଙ୍କ ସାନ୍ନିଧ୍ୟରେ ଦୀର୍ଘ ଦିନରୁ ରହିଥିବା ପଦ୍ମଶ୍ରୀ ଉପାଧିପ୍ରାପ୍ତ ପ୍ରଫେସର ରାଧାମୋହନ ଏବଂ ସାବରମତୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ କିସ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ସ୍ମାରକୀ ବକ୍ତୃତା ପ୍ରଦାନ କରି ସୁଧାଂଶୁ ବାବୁଙ୍କ ମହନୀୟ ଦରଦୀ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ଡ. ବିଜୟା ମିଶ୍ରଙ୍କ ଦ୍ୱାରା ଓଡ଼ିଆରେ ଅନୁବାଦିତ ତଥା “ସାଇ ନିର୍ମାଲ୍ୟ’ ଓ ସାଇକଥା ପବ୍ଲିକେସନ୍‌ ପକ୍ଷରୁ ପ୍ରକାଶିତ “ସରଳ ସାଇ ସତ୍‌ଚରିତ’ ପୁସ୍ତକକୁ ଗୁରୁଜୀ ଡ. ଶତପଥୀ ଉନ୍ମୋଚନ କରିଥିଲେ । ଶେଷରେ ସୁଜୟା ଶର୍ମା ଧନ୍ୟବାଦ ଦେଇଥିଲେ । କୋଭିଡ୍‌-୧୯ ଯୋଗୁ କାର୍ଯ୍ୟକ୍ରମ ଅନ୍‌ଲାଇନ୍‌ ମାଧ୍ୟମରେ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.