ଦେଶରେ ୫୦ ହଜାର ଅତିକ୍ରମ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୩୫୦୦ରୁ ଅଧିକ ସଂକ୍ରମିତ

Published By : Prameya-News7 Bureau | May 07, 2020 IST

ନୂଆଦିଲ୍ଲୀ ୭।୫ : ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୫୦ ହଜାର ଅତିକ୍ରମ କରିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୨ ହଜାର ୯୫୨ରେ ପହଞ୍ଚିଛି । ଏଥିମଧ୍ୟରୁ ୧୭୮୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ହଜାର ୨୬୭ ଲୋକ ସୁସ୍ଥ ହୋଇଛନ୍ତି। ଦେଶରେ ୩୫ ହଜାର ୯୦୨ ସକ୍ରିୟ ମାମଲା ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରାୟ ୩୫୦୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପ୍ରାୟ ୯୦ ଜଣଙ୍କର ମୃତ୍ୟୁ ଘଟିଛି । ଗତ ୩ ଦିନ ମଧ୍ୟରେ ସଂକ୍ରମଣ ହାର ସବୁଠାରୁ ଅଧିକ ରହିଛି । ଦେଶରେ ମେ ୪ ରେ ୪୧ ହଜାର ସଂକ୍ରମିତ ହୋଇଥିଲେ । ଆଜି ସକାଳ ସୁଦ୍ଧା ପ୍ରାୟ ୫୩ ହଜାରକୁ ବୃଦ୍ଧି ପାଇଛି ।

ମହାରାଷ୍ଟ୍ର କରୋନା ଦ୍ବାରା ଅଧିକ ପ୍ରଭାବିତ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ୧୬ ହଜାର ୭୫୮ ସଂକ୍ରମିତ ହୋଇଥିବା ବେଳେ ୬୫୧ ଜଣଙ୍କର ମୃତ୍ୟୁ ହୋଇଛି । ୩୦୯୪ ଜଣ ଲୋକ ଆରୋଗ୍ୟ ହୋଇଛନ୍ତି । ମହାରାଷ୍ଟ୍ର ପରେ ଗୁଜୁରାଟରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏପର୍ଯ୍ୟନ୍ତ ୬ ହଜାର ୬୨୫ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୯୬ ଜଣଙ୍କର ମୃତ୍ୟୁ ହୋଇଛି ।

ସେହିଭଳି ଦିଲ୍ଲୀରେ କରୋନା ରୋଗୀଙ୍କ ସଂଖ୍ୟା ୫ ହଜାରରୁ ଅଧିକ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୫୫୩୨ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୫ ଜଣଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୮୨୯ ଜଣ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୫ ଜଣଙ୍କର ମୃତ୍ୟୁ ହୋଇଛି। ଏହାପରେ ରାଜସ୍ଥାନରେ ୩୩୧୭ ଜଣ ସଂକ୍ରମିତ ହୋଇଥିବା ବେଳେ ୯୨ ଜଣଙ୍କର ମୃତ୍ୟୁ ହୋଇଛି।

ଏହାସହ ମଧ୍ୟପ୍ରଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୧୩୮ ସଂକ୍ରମିତ ହୋଇଥିବା ବେଳେ ୧୮୫ ଜଣଙ୍କର ମୃତ୍ୟୁ ଘଟିଛି । ଉତ୍ତରପ୍ରଦେଶରେ କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ବର୍ତ୍ତମାନ ରୋଗୀଙ୍କ ସଂଖ୍ୟା ୨୯୯୮ରେ ପହଞ୍ଚିଛି ଯେଉଁଥିରେ ୬୦ ଜଣ ଲୋକ ପ୍ରାଣ ହରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.