ଶ୍ରୀଲଙ୍କାରେ କମୁନି ସଂକ୍ରମଣ, ଅଗଷ୍ଟ ୩୦ ଯାଏଁ ଲକଡାଉନ୍ ଘୋଷଣା କଲେ ରାଷ୍ଟ୍ରପତି

Published By : Prameya-News7 Bureau | August 20, 2021 IST

କଲୋମ୍ବୋ, ୨୦|୦୮:  କରୋନା ଭାଇରସର ଆତଙ୍କ କମୁନି । ଭୋଭିଡ-୧୯ ଭାଇରସର ୩ୟ ଲହରକୁ ରୋକିବା  ପାଇଁ ବିଭିନ୍ନ ଦେଶ ଅନେକ ପଦକ୍ଷେପ ନେଉଛନ୍ତି । ଏହାମଧ୍ୟରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟଭାୟା ରାଜପକ୍ଷେ ଶୁକ୍ରବାର ରାତିରୁ ୧୦ ଦିନ ଯାଏଁ ରାଷ୍ଟ୍ରବ୍ୟାପି ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି ।

ନ୍ୟାସନାଲ ଅପରେସନ ସେଣ୍ଟର  ଫର୍‌ କୋଭିଡ୍‌ ପ୍ରିଭେନ୍ସନର କହିବାନୁସାରେ, ଏହି ଲକ୍‌ଡାଉନ୍‌ ଶୁକ୍ରବାର ରାତି ୧୦ଟାରୁ ଲାଗୁ ହୋଇ ୩୦ ଅଗଷ୍ଟ ସକାଳ ୪ଯାଏ ବଳବତ୍ତର ରହିବ ।  ନ୍ୟାସନାଲ ଅପରେସନ୍ସ ସେଣ୍ଟର ଫର୍‌ କୋଭିଡ୍‌ ପ୍ରିଭେନ୍ସନର ପ୍ରମୁଖ ଥିବା ସେନା ମୁଖ୍ୟ ଜେନେରାଲ ଶାଭେନ୍ଦ୍ର ସିଲଭା କହିଛନ୍ତି ଯେ, କ୍ୱାରେଣ୍ଟାଇନ୍‌ କର୍ଫ୍ୟୁ ରାତି ୧୦ ଟାରୁ ୩୦ ଅଗଷ୍ଟ ଯାଏ ଚାଲିବ। ଏହା ପୂର୍ବରୁ ରାଜପକ୍ଷେ ଏହାକୁ ଲାଗୁ କରିବାକୁ ମନା କରି ଦେଇଥିଲେ । ଦେଶକୁ ବନ୍ଦ କରିବା କାରଣରୁ ଅର୍ଥବ୍ୟବସ୍ଥା ଉପରେ ବହୁତ ଖରାପ ପ୍ରଭାବ ପଡ଼ୁଥିବା ସେ କହିଥିଲେ ।

ସୂଚନାଯୋଗ୍ୟ, ଗୁରୁବାର ଶ୍ରୀଲଙ୍କାରେ କରୋନା ଭାଇରସ୍‌ କାରଣରୁ ୧୮୬ଜଣ ଲୋକଙ୍କର ଜୀବନ ଯାଇଛି । ଏହାସହ ୩୮୦୦ଟି ରେକର୍ଡ ସଂଖ୍ୟକ ନୂଆ ମାମଲା ସାମ୍ନାକୁ ଆସିଛି । ସରକାରୀ ତଥ୍ୟ ମୁତାବକ,  ଶ୍ରୀଲଙ୍କାରେ ଏବେସୁଦ୍ଧା କରୋନା ଭାଇରସ କାରଣରୁ ୬,୭୯୦ଜଣଙ୍କର ମୃତ୍ୟୁ ହୋଇ ସାରିଛି । ସେହିପରି ୩୭୩,୧୬୫ଜଣ ଲୋକ ସଂକ୍ରମିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.