୨ ସପ୍ତାହରେ ରାଜ୍ୟରେ କମିବ କରୋନା କେସ୍, ଏବେ ଖାଲି ରହିଛି ୯୦ ପ୍ରତିଶତ ବେଡ୍

Published By : Prameya-News7 Bureau | July 08, 2021 IST

ଭୁବନେଶ୍ୱର ୦୮।୦୭: ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ୍‌ ଧୀରେ ଧୀରେ କମିବାରେ ଲାଗିଛି । ଆଗାମୀ ୨ ସପ୍ତାହ ମଧ୍ୟରେ ଏହା ଆହୁରୀ କମିଯିବ । ରାଜ୍ୟରେ ଏବେ ୯୦ ପ୍ରତିଶତ ବେଡ଼୍‌ ଖାଲି ରହିଛି । ରାଜ୍ୟ ସରକାର କରୋନାର ତୃତୀୟ ଲହର ପାଇଁ ପୁରା ପ୍ରସ୍ତୁତ ରହିଛନ୍ତି ବୋଲି କହିଛନ୍ତି ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ୨୮ ହଜାର ୧୫ ମାମଲା ସକ୍ରିୟ ରହିଛି । ବର୍ତ୍ତମାନ ୩.୪୯ ପ୍ରତିଶତ ପଜିଟିଭିଟି ରିପୋର୍ଟ ରହିଛି । ପୂର୍ବରୁ ୧୫.୪୭ ପ୍ରତିଶତ ପଜିଟିଭିଟି ହାର ରହୁଥିଲା ତାହା ଏବେ କମିବାରେ ଲାଗିଛି । ୧୦ ଜିଲ୍ଲାରେ କୋଭିଡ ପଜିଟିଭିଟି ହାର ୧ ପ୍ରତିଶତରୁ କମ୍ ରହିଛି । ପାଖାପାଖି ୨୪ ଜିଲ୍ଲାରେ ପଜିଟିଭିଟି ହାର ୫ ପ୍ରତିଶତ ତଳେ ରହିଥିବା ବେଳେ ଆଉ ୬ଟି ଜିଲ୍ଲାରେ ପଜିଟିଭିଟି ହାର ୫ପ୍ରତିଶତରୁ ସାମାନ୍ୟ ଉପରେ ରହିଛି । ଆସନ୍ତା ୨ ସପ୍ତାହ ମଧ୍ୟରେ ସ୍ଥିତି ଆହୁରେ ଆହୁରି ସୁଧାର ଆସିବ ବୋଲି ଏସିଏସ୍ କହିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟରେ ପାଖାପାଖି ୯୦ ପ୍ରତିଶତ ବେଡ୍ ଖାଲି ରହିଛି । ଜେନେରାଲ୍ ବେଡ୍ ରେ ୧୩ ପ୍ରତିଶତ ରୋଗୀ ଚିକିତ୍ସିତ ହେଉଥିବା ବେଳେ ୬୦ ପ୍ରତିଶତ କ୍ରିଟିକାଲ ବେଡ୍ ଖାଲି ରହିଛି । ସେହିପରି ରାଜ୍ୟରେ ୧୪୦ ବ୍ଳାକ୍ ଫଙ୍ଗସ୍ ରୋଗୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେଣି । ଏଥିସହିତ ଶିଶୁମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି ବୋଲି ଅତିରିକ୍ତ ଶାସନ ସଚିବ କହିଛନ୍ତି । ଅନ୍ଯପଟେ ଆସନ୍ତା ଅଗଷ୍ଟ ମାସ ପର୍ଯ୍ୟନ୍ତ ପ୍ରତି ଘରକୁ ଡୋର ଟୁ ଡୋର କ୍ୟାମ୍ପେନ୍ ଚାଲିବ । ଏହି ସମୟ ମଧ୍ୟରେ ଆଶା, ଅଙ୍ଗନୱାଡି କର୍ମୀ ଓ ଏଏନଏମ ମାନେ ପ୍ରତି ଘରକୁ ଥରେ ନୁହେଁ, ୬ ଥର ଯାଇ ସର୍ଭେ କରିବେ ।

ସେହିପରି ରାଜ୍ୟରେ କରୋନା ମୃତ୍ୟୁ ହାରକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି । ରାଜ୍ୟରେ ପ୍ରତିଦିନ ଆସୁଥିବା ମୃତ୍ୟୁ ହାର ଏବେର ନୁହେଁ ମେ ଏବଂ ଜୁନ୍ ମାସର । ସେତେବେଳେ କରୋନା ଗ୍ରାଫ ଅଧିକ ରହିଥିଲା ଏବଂ ଅଧିକ ମୃତ୍ୟୁ ମଧ୍ୟ ହେଉଥିଲା । ମାତ୍ର ଡାକ୍ତରମାନଙ୍କ ପାଖରେ ସମୟର ଅଭାବରୁ ଏବେ ସେ ସବୁ ରିପୋର୍ଟ ସାମ୍ନାକୁ ଆସୁଛି । ତେବେ ରାଜ୍ୟରେ କୋଭିଡ୍ ମୃତ୍ୟୁ ହାର ୩ ଥାକିଆ ଅଡିଟ୍ ଦ୍ୱାରା ହିଁ ପ୍ରସ୍ତୁତ ହୋଇଥାଏ ତେଣୁ ରିପୋର୍ଟ ଆସିବାରେ ବିଳମ୍ବ ହୋଇଛି ।

ଟିକାକରଣ ନେଇ ଏସସିଏସ କହିଛନ୍ତି ପୂର୍ବରୁ କେବଳ ଭୁବନେଶ୍ବରରେ କୋଭାକ୍ସିନ୍ ଦିଆଯଉଥିଲା । ଭୁବନେଶ୍ବର ଅଞ୍ଚଳରେ ପ୍ରାୟ ସମସ୍ତେ ପ୍ରଥମ ଡୋଜ ନେଇସାରିଲେଣି । ଜୁଲାଇ ମାସ ସୁଦ୍ଧା ସମସ୍ତଙ୍କୁ ଦ୍ବିତୀୟ ଡୋଜ୍ ଦିଆଯିବ । ସେହିପରି କେନ୍ଦ୍ର ସରକାରଙ୍କ ନୂଆ ଭ୍ୟାକ୍ସିନ୍ ପଲିସ୍ ଅନୁସାରେ ଜୁଲାଇ ମାସରେ ୩୦ ଲକ୍ଷ ଟିକାକରଣ କରିବା ପାଇଁ ନିର୍ଦ୍ଦେଶ ରହିଛି । ଗତ ୫ ତାରିଖରେ ଆମେ ୪ ଲକ୍ଷ ୨ ହଜାର ଟିକାକରଣ କରି ରେକର୍ଡ କରିଛୁ । ଅନ୍ୟପଟେ ରାଜ୍ୟକୁ ଆଉ ୯ ଟି ଇକମୋ ମେସିନ୍ ଖୁବ୍ ଶୀଘ୍ର ଆସିବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି ଏସିଏସ୍ । ଏବଂ ସବୁ ଇକମୋ ମେସିନ୍ କଟକ ଏସସିବିରେ ଲାଗିବାକୁ ଯାଉଛି । ଏହି ୯ ଟି ଇକ୍ ମୋ ମେସିନ୍ ରୁ ୬ ଟି ରାଜ୍ୟ ସରକାରଙ୍କ ପାଣ୍ଠିରୁ ଓ ଆଉ ୩ ଟି ସିଏସଆର୍ ପାଣ୍ଠିରୁ କିଣାଯିବ ବୋଲି ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.