ଅଣାୟତ୍ତ କରୋନା , ୧କୋଟି ୩୦ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

Published By : Prameya-News7 Bureau | July 14, 2020 IST

ନୂଆଦିଲ୍ଲୀ ୧୪।୦୭: ସାରାବିଶ୍ୱରେ ପ୍ରତିଦିନ କରୋନା ଗ୍ରାଫ୍ ଉପରମୁହାଁ ହୋଇଚାଲିଛି । ବିଶ୍ୱରେ ଏହି କରୋନା ମହାମାରୀ ପ୍ରତିଦିନ ନୂତନ ନୂତନ ରେକର୍ଡ କରିଚାଲିଛି । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୯୪ ହଜାର ୬୯୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ୩ ହଜାର ୯୫୬ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ବିଶ୍ୱରେ ବର୍ତ୍ତମାନ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୩୧ ଲକ୍ଷ ୧୮ ହଜାର ଟପିଥିଲା ବେଳେ ମୃତ୍ୟୁସଂଖ୍ୟା ୫ ଲକ୍ଷ ୭୩ ହଜାର ଅତିକ୍ରମ କରିଛି । ଅନ୍ୟପକ୍ଷରେ ୭୬ ଲକ୍ଷ ୩୬ ହଜାରରୁ ଅଧିକ ଲୋକ ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଛନ୍ତି ।

ସର୍ବାଧିକ ପ୍ରଭାବିତ ଆମେରିକାରେ ଗତ ୨୪ ଘଣ୍ଟାରେ ୫୮ ହଜାର ୩୪୯ ନୂଆ ମାମଲା ସାମ୍‌ନାକୁ ଆସିଛି ଏବଂ ଏହି ସମୟ ଭିତରେ ୩୮୦ ଜଣଙ୍କ ମୃତ୍ୟୁ ହୋଇଛି । ଆମେରିକାରେ ପ୍ରତିଦିନ ହେଉଥିବା ମୃତ୍ୟୁସଂଖ୍ୟା ମଧ୍ୟରେ ଏହା ସବୁଠାରୁ କମ୍‌ । ଦେଶରେ ଏପର୍ଯ୍ୟନ୍ତ ୩୪ ଲକ୍ଷ ୩୬ ହଜାର ୧୫୨ ଜଣ ସଂକ୍ରମିତ ହୋଇଥିଲା ବେଳେ ୧ ଲକ୍ଷ ୩୭ ହଜାର ୮୬୩ ଜଣଙ୍କ ଜୀବନ ଯାଇଛି । ଦେଶର ଟେକ୍ସାସ ରାଜ୍ୟରେ ଆୟୋଜିତ ଏକ କୋଭିଡ ପାର୍ଟିରେ ସାମିଲ ଜଣେ ୩୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ପ୍ରକୃତରେ କରୋନା ଭାଇରସ୍‌ ସଂକ୍ରମଣ ହେଉଛି ନା ନାହିଁ ତାହା ଜାଣିବା ପାଇଁ ଜଣେ ସଂକ୍ରମିତ ବ୍ୟକ୍ତି ଏହି ପାର୍ଟିର ଆୟୋଜନ କରିଥିଲେ । ସେଥିରେ ସେ ନିଜର ସାଙ୍ଗସାଥୀଙ୍କୁ ଡାକିଥିଲେ ।

ସେହିଭଳି ସର୍ବାଧିକ ସଂକ୍ରମିତ ରାଷ୍ଟ୍ର ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ବ୍ରାଜିଲରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ୬୬ ହଜାର ଟପିଥିଲା ବେଳେ ମୃତ୍ୟୁସଂଖ୍ୟା ୭୨ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟାରେ ଦେଶରେ ୨୫ ହଜାର ୩୬୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ଏହି ସମୟରେ ୬୫୯ କରେନା ସଂକ୍ରମିତଙ୍କର ମୃତ୍ୟୁ ମଧ୍ୟ ହୋଇଛି ।

ତୃତୀୟ ସର୍ବାଧିକ ସଂକ୍ରମିତ ଦେଶ ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୭୮ ହଜାର ୨୫୪ରେ ପହଞ୍ଚିଥିଲା ବେଳେ ମୃତ୍ୟୁସଂଖ୍ୟା ୨୩ ହଜାର ୧୭୪ରେ ପହଞ୍ଚିଛି । ସେହିଭଳି ରୁଷରେ ଗତକାଲି ୬ ହଜାର ୫୩୭ ନୂଆ ମାମଲା ସାମ୍‌ନାକୁ ଆସିଛି ଏବଂ ୧୩୪ ଜଣ ପ୍ରାଣ ହରାଇଛନ୍ତି । ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୩୩ ହଜାର ୬୯୯ରେ ପହଞ୍ଚିଥିଲା ବେଳେ ମୃତ୍ୟୁସଂଖ୍ୟା ୧୧ ହଜାର ୪୩୯ ହୋଇଛି । ପଞ୍ଚମ ସ୍ଥାନରେ ଥିବା ପେରୁରେ ୩ ଲକ୍ଷ ୨୬ ହଜାର ୩୨୬ ଜଣ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ୧୧ ହଜାର ୮୭୦ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ମୃତ୍ୟୁସଂଖ୍ୟାରେ ଇଟାଲୀକୁ ଟପିଛି ମେକ୍ସିକୋ । ମେକ୍ସିକୋରେ ମୃତ୍ୟୁସଂଖ୍ୟା ୩୫ ହଜାର ଅତିକ୍ରମ କରିଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୩ ଲକ୍ଷରେ ପହଞ୍ଚିଛି । ଇଟାଲୀରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୪୩ ହଜାର ଥିଲାବେଳେ ମୃତ୍ୟୁସଂଖ୍ୟା ରହିଛି ୩୪ ହଜାର ୯୫୪ ।

ସେପଟେ କରୋନାର ଉତ୍ପତ୍ତିସ୍ଥଳ ଚୀନ୍‌ରେ ୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସେମାନେ ସମସ୍ତେ ବାହାର ଅଞ୍ଚଳର ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ସେମାନଙ୍କ ମଧ୍ୟରେ କୌଣସି ସ୍ଥାନୀୟ ସଂକ୍ରମିତ ନାହାନ୍ତି । ଦେଶରେ ଏବେ ୩୨୦ ଜଣ ସକ୍ରିୟ ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅଷ୍ଟ୍ରେଲିଆରେ କରୋନା ସଂକ୍ରମଣ ବଢ଼ୁଥିବାରୁ ତାକୁ ରୋକିବା ଲାଗି ସରକାର ପୂର୍ବରୁ ନିୟୋଜିତ କରିଥିବା ସୈନ୍ୟସଂଖ୍ୟା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଭିକ୍ଟୋରିଆରେ ୧ ହଜାରରୁ ଅଧିକ ସୈନ୍ୟ ମୁତୟନ କରାଯିବ । ସେଠାରେ ଗତ କିଛି ଦିନ ହେଲା ନୂଆ ମାମଲା ସାମ୍‌ନାକୁ ଆସୁଛି । ରବିବାର ୧୭୭ ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଗ୍ରେଟ ହଣ୍ଟ୍‌ କହିଛନ୍ତି । ସର୍ବାଧିକ ସଂକ୍ରମିତ ରାଷ୍ଟ୍ର ତାଲିକାର ୭୨ତମ ସ୍ଥାନରେ ଥିବା ଅଷ୍ଟ୍ରେଲିଆରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ହଜାର ୯୮୦ ହୋଇଥିଲା ବେଳେ ମୃତ୍ୟୁସଂଖ୍ୟା ୧୦୮ ରହିଛି । ଆଜି ଦେଶରେ ୧୮୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.