ଶରୀରରେ ୫ମାସ ରହୁଛି କରୋନା ଆଣ୍ଟିବଡି : ଗବେଷଣା

Published By : Prameya-News7 Bureau | October 16, 2020 IST

ନୂଆଦିଲ୍ଲୀ ୧୬।୧୦: କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କଠାରେ ଆଣ୍ଟିବଡି ଏତେ ଶୀଘ୍ର ଉଭାନ ହୋଇଯାଉ ନାହିଁ । ଭୂତାଣୁ ବିରୋଧରେ ଲଢ଼ିବା ପାଇଁ ଏହି ଆଣ୍ଟିବଡି ୫ ମାସ ପର୍ଯ୍ୟନ୍ତ ତିଷ୍ଠି ରହୁଛି । ଆମେରିକାରେ କୋଭିଡ-୧୯ ଭୂତାଣୁ ଉପରେ ଗବେଷଣା କରୁଥିବା କିଛି ବିଶେଷଜ୍ଞ ଏଭଳି ଦାବି କରିଛନ୍ତି । ଏହି ଗବେଷକଙ୍କ ମଧ୍ୟରେ ଭାରତୀୟ ପ୍ରଫେସର ଦୀପ୍ତ ଭଟ୍ଟାଚାର୍ଯ୍ୟ ରହିଛନ୍ତି ।

ଦୀପ୍ତ ଭଟ୍ଟାଚାର୍ଯ୍ୟଙ୍କ ନେତୃତ୍ୱରେ ଗବେଷକ ଦଳ ଆମେରିକାରେ ୬,୦୦୦ ସଂକ୍ରମିତ ଲୋକଙ୍କ ନମୁନା ସଂଗ୍ରହ କରିଥିଲେ । ଏହା ଉପରେ କିଛିଦିନ ଧରି ଗବେଷଣା କରିଥିଲେ । କରୋନାରୁ ଆରୋଗ୍ୟ ଲାଭ କରିଥିବା ଏହି ଲୋକଙ୍କ ଶରୀରରେ ସେମାନେ ଆଣ୍ଟିବଡି ଠାବ କରିଥିଲେ । ଲୋକଙ୍କ ଶରୀରରେ ଆଣ୍ଟିବଡି ହାରାହାରି ୫-୭ ମାସ ରହୁଥିବା ସେମାନେ ଜାଣିବାକୁ ପାଇଥିଲେ ।

ୟୁନିଭର୍ସିଟି ଅଫ୍‌ ଆରିଜୋନାରେ ସହକାରୀ ପ୍ରଫେସର ଥିବା ଭଟ୍ଟାଚାର୍ଯ୍ୟ କହିଛନ୍ତି, ସାର୍ସ-କୋଭ-୨ ସଂକ୍ରମଣ ପରେ ୫ ମାସ ପର୍ଯ୍ୟନ୍ତ ଉଚ୍ଚଗୁଣଯୁକ୍ତ ଆଣ୍ଟିବଡି ଆମେ ସ୍ପଷ୍ଟ ଭାବେ ଦେଖିପାରିଛୁ । କିଛି କ୍ଷେତ୍ରରେ ୭ ମାସ ପର୍ଯ୍ୟନ୍ତ ବି ଏହା ଦେଖିବାକୁ ମିଳୁଛି । ପ୍ରତିରୋଧକ ଶକ୍ତି ବେଶି ଦିନ ପର୍ଯ୍ୟନ୍ତ ରହିପାରୁ ନ ଥିବାରୁ ଏହାକୁ ନେଇ ଅନେକ ବିଶେଷଜ୍ଞ ଚିନ୍ତାପ୍ରକଟ କରିଛନ୍ତି । କିନ୍ତୁ ଆମେ ବ୍ୟାପକ ଗବେଷଣା ପରେ ଜାଣିବାକୁ ପାଇଛୁ ଯେ ପ୍ରତିରୋଧକ ଶକ୍ତି ଅତିକମ୍‌ରେ ୫ ମାସ ପର୍ଯ୍ୟନ୍ତ ସ୍ଥିର ରହୁଛି । ତେଣୁ ଏ ଦିଗରୁ ଭୟଭୀତ ହେବା ଉଚିତ ନୁହେଁ । ଉଲ୍ଲେଖଯୋଗ୍ୟ, ଅଧିକାଂଶ ରାଷ୍ଟ୍ରରେ କରୋନାର ପୁନଃ ସଂକ୍ରମଣ ମାମଲା ଦେଖିବାକୁ ମିଳିଛି । ନିକଟରେ ଆମେରିକାର ଜଣେ ବ୍ୟକ୍ତି ୪୮ ଦିନ ମଧ୍ୟରେ ଆଉଥରେ ସଂକ୍ରମିତ ହୋଇଛନ୍ତି ।

ଗବେଷକମାନେ କହିଛନ୍ତି, ଭୂତାଣୁ ଯେତେବେଳେ ପ୍ରଥମେ କୋଷଗୁଡ଼ିକୁ ସଂକ୍ରମିତ କରେ, ସେତେବେଳେ ପ୍ରତିରୋଧକ ବ୍ୟବସ୍ଥା ଆଣ୍ଟିବଡି ସୃଷ୍ଟି ପାଇଁ ଅସ୍ଥାୟୀ ପ୍ଲାଜମା ସେଲକୁ ନିର୍ଦ୍ଦେଶ ଦେଇଥାଏ, ଯାହା କି ତୁରନ୍ତ ଭୂତାଣୁ ବିରୋଧରେ ଲଢ଼ିଥାଏ । ସଂକ୍ରମଣର ୧୪ ଦିନ ମଧ୍ୟରେ ରକ୍ତ ପରୀକ୍ଷାରେ ଆଣ୍ଟିବଡି ଦେଖିବାକୁ ମିଳିଥାଏ । କିନ୍ତୁ ପ୍ରତିରୋଧ ପ୍ରତିକ୍ରିୟାର ଦ୍ୱିତୀୟ ପର୍ଯ୍ୟାୟରେ ଦୀର୍ଘକାଳୀନ ପ୍ଲାଜମା ସେଲ ସୃଷ୍ଟି ହୋଇଥାଏ, ଯାହା ଉଚ୍ଚ ଗୁଣଯୁକ୍ତ ଆଣ୍ଟିବଡି ଉତ୍ପାଦନ କରିଥାଏ । ଏହା ୫-୭ ମାସ ପର୍ଯ୍ୟନ୍ତ ଶରୀରରେ ରହିଥାଏ । ଏହାପରେ ମଧ୍ୟ ଶରୀରର ପ୍ରତିରୋଧକ ବ୍ୟବସ୍ଥା ଦୀର୍ଘଦିନ ପର୍ଯ୍ୟନ୍ତ ସୁଦୃଢ଼ ରହିଥାଏ ବୋଲି ଗବେଷକମାନେ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ସାର୍ସ-କୋଭ-୨ ଭୂତାଣୁଠାରୁ ସ୍ଥାୟୀ ଭାବେ ସୁରକ୍ଷା ଯୋଗାଇବାରେ ଆଣ୍ଟିବଡି ସମର୍ଥ କି ନାହିଁ, ତାହାର ଉତ୍ତର ଦେବା କଷ୍ଟକର ବ୍ୟାପାର ବୋଲି ଆରିଜୋନା ହେଲ୍‌ଥ ସାଇନ୍ସେସର ବରିଷ୍ଠ ଉପସଭାପତି ମାଇକେଲ ଡି ଡେକ୍‌ କହିଛନ୍ତି । ଏହି ଗବେଷଣା ଆମକୁ କରୋନା ଆଣ୍ଟିବଡିର ଠିକ୍‌ ପରୀକ୍ଷା କରାଇବାର ଦକ୍ଷତା ପ୍ରଦାନ କରିଛି । ଏମିତି କି ବାସ୍ତବରେ ପ୍ରତିରୋଧକ ଶକ୍ତି ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ରହିପାରିବ ବୋଲି ଆମେ ଭାବିପାରୁଛୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.