ସୁନାର ସଂସାର ଛାରଖାର : କରୋନାରେ ଆଗପଛ ହୋଇ ଚାଲିଗଲେ ପୁଅ-ବୋହୁ ଓ ମାଆ, ୧୪ ମାସର ଶିଶୁପୁତ୍ର ହୋଇଗଲା ଅନାଥ

Published By : Prameya-News7 Bureau | June 14, 2021 IST

ବଅଁରପାଳ,୧୪/୦୬: କରୋନାର କରାଳତାରେ ଛାରଖାର ହୋଇଗଲା ସୁନାର ସଂସାର । ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର । ମାତ୍ର ୬ ଦିନ ଭିତରେ ଡକାଡ଼କି ହୋଇ ଚାଲିଗଲେ ବାପା, ମା ଓ ଜେଜେମା । ନାଲ୍‌କୋ ଟାଉନ୍‌ସିପ୍‌ରେ ଏ ଘଟଣା କର୍ମଚାରୀ, ପଡ଼ୋଶୀ, ବନ୍ଧୁବାନ୍ଧବଙ୍କୁ ନିର୍ବାକ୍‌ କରଦେଇଛି। ଏଥିସହିତ ସମଗ୍ର ଇଲାକାରେ କରୋନାର ଆତଙ୍କ ଖେଳିଯାଇଛି ।

ପ୍ରକାଶ ଯେ, ତାଳଚେର ରଙ୍କାସିଂହା ଗ୍ରାମର ମଳୟ ବସନ୍ତ ଦେହୁରୀ (୪୨) ନାଲ୍‌କୋ ସ୍ମେଲଟର୍‌ ପ୍ଲାଣ୍ଟ୍‌ରେ ଟେକନିସିଆନ୍‌ ଭାବରେ କାର୍ଯ୍ୟ କରୁଥିଲେ । ନାଲ୍‌କୋ ଟାଉନପିସ୍‌ରେ କ୍ୱାର୍ଟର୍ସରେ ରହୁଥିଲେ । ନିକଟସ୍ଥ କୁକୁଡ଼ାଙ୍ଗ ଗ୍ରାମରେ ଘର ମଧ୍ୟ ତୋଳିଥିଲେ । ପରିବାର କହିଲେ ପତ୍ନୀ, ମା’ ଓ ୧୪ ମାସର ଶିଶୁପୁତ୍ର । ହସଖୁସିରେ ସଂସାର ଚାଲିଥିବା ବେଳେ ପରିବାର ମଧ୍ୟକୁ ଧସେଇ ପଶିଆସିଥିଲା ଅଦୃଶ୍ୟ ଭୂତାଣୁ । ମଳୟଙ୍କ ପତ୍ନୀ ପ୍ରଥମେ କରୋନାସଂକ୍ରମିତ ଚିହ୍ନଟ ହୋଇଥିଲେ । ପରେ ପରେ ତାଙ୍କର ମା’ ଓ ଶେଷରେ ମଳୟ ମଧ୍ୟ କରୋନା ଆଁ’ରେ ପଡ଼ିଗଲେ ।

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ତିନିହେଁ ଭର୍ତ୍ତି ହୋଇଥିଲେ । ସେମାନଙ୍କର ଚିକିତ୍ସା ଚାଲିଥିବା ବେଳେ ଗତ ୮ ତାରିଖରେ ମଳୟଙ୍କ ପତ୍ନୀଙ୍କର ପରଲୋକ ଘଟିଥିଲା । ମା’ର ମୃତ୍ୟୁ ପରେ ଏକମାତ୍ର କଅଁଳ ଶିଶୁର ଲାଳନପାଳନ ନେଇ ପରିବାର, ସମ୍ପର୍କୀୟ ଚିନ୍ତାରେ ପଡ଼ିଥିବା ବେଳେ ସତେ ଅବା ପରିବାର ଉପରେ ଦୁଃଖର ପାହାଡ଼ ପଡ଼ିଥିଲା । ଆଜି ସକାଳେ ମଳୟଙ୍କ ମା’ ଓ ସନ୍ଧ୍ୟାରେ ମଳୟ କରୋନା ଲଢ଼େଇରେ ପରାସ୍ତ ହୋଇ ଆଖି ବୁଜିଥିଲେ । ଏହି ଘଟଣାରେ ନାଲ୍‌କୋ କର୍ମଚାରୀ, ଶ୍ରମିକ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି । ମାତ୍ର ୬ ଦିନର ବ୍ୟବଧାନରେ ଏକ ପରିବାରର ୩ ଜଣଙ୍କର ଅକାଳ ବିୟୋଗ ସେମାନଙ୍କୁ ହତବାକ୍‌ କରିଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.