FICCIଙ୍କ ସୂଚନା: କରୋନା ସଂକଟ ଯୋଗୁ ଭାରତରେ ହୋଇପାରେ ଔଷଧ ଅଭାବ
16/02/2020 at 4:29 PM

ନୂଆଦିଲ୍ଲୀ ୧୬।୨: ଚୀନରେ ଦେଖାଦେଇଥିବା କରୋନା ଭାଇରସ ସଂକ୍ରମଣ ଏବେ ବ୍ୟବସାୟକୁ ପ୍ରଭାବିତ କରିଛି। ଏଥିରେ ବିଭିନ୍ନ ଇଲେକ୍ଟ୍ରିକ ଓ ଇଲେକ୍ଟ୍ରୋନିକ ସାମଗ୍ରୀ ରପ୍ତାନୀ ଚୀନରୁ ବନ୍ଦ ଥିବା ବେଳେ ଜୀବନରକ୍ଷାକାରୀ ଔଷଧ ଲାଗି ମଧ୍ୟ ଏବେ କଞ୍ଚାମାଲ ଅଭାବ ଦେଖାଦେଇଛି। ଭାରତୀୟ ଔଷଧ ନିର୍ମାତାମାନେ ଅଧିକ ୨ରୁ ୩ ମାସ ଲାଗି କଞ୍ଚାମାଲ ମହଜୁଦ ରଖନ୍ତି। ଏଥିରେ ଚୀନରୁ ଆସୁଥିବା ସାମଗ୍ରୀର ଯୋଗାଣ ବନ୍ଦ ହୋଇଥିବା ଯୋଗୁ ଆଗକୁ ଦେଶରେ ପାରାସିଟାମଲ, ଇବ୍ରୁଫେନ, ଆମ୍ପିସିଲିନ ଓ ସିପ୍ରୋଫ୍ଲୋକ୍ସାସିନ ଭଳି ଔଷଧର ପ୍ରସ୍ତୁତି ସାଙ୍ଗକୁ ଯୋଗାଣ ପ୍ରଭାବିତ ହେବାର ଆଶଙ୍କା କରାଗଲାଣି।

ଚୀନରୁ ସ୍ମାର୍ଟ ଫୋନ, ସୌର ଶକ୍ତି ଉତ୍ପାଦନ ସାମଗ୍ରୀର ଯନ୍ତ୍ରାଂଶ ସାଙ୍ଗକୁ ଅନ୍ୟ ଇଲେକ୍ଟ୍ରିକ୍ ଓ ଇଲୋକ୍ଟ୍ରନିକ ସାମଗ୍ରୀ ଭାରତ ଆମଦାନୀ କରିଥାଏ। ଏଥିରେ ଔଷଧ ପ୍ରସ୍ତୁତି ନିମନ୍ତେ କିଛି କଞ୍ଚାମାଲ ବି ଚୀନରୁ ଆସିଥାଏ ବୋଲି ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିଜ (ଫିକି) କହିଛନ୍ତି । ଚୀନରେ ଭୂତାଣୁ ସଂକ୍ରମଣ ପରଠାରୁ ଦେଶର ଉତ୍ପାଦନ ଓ ମହଜୁଦ ଉପରେ ଫିକି ବରାବର ନଜର ରଖିଛନ୍ତି। ଏଥିରେ ଭାରତରେ ଚୀନ ଆମଦାନୀ ସାମଗ୍ରୀର ମହଜୁଦ ସରି ଆସିଥିବା ଜଣାଇଦେଇଛନ୍ତି।

ତେବେ ଚଳିତମାସରେ ଉତ୍ପାଦନ ଅଥବା ଯୋଗାଣ ଉପରେ ଏତେ ପ୍ରଭାବ ପଡୁନଥିବା ବେଳେ ଯଦି ଚୀନରେ ଉପୁଜିଥିବା ପରିସ୍ଥିତି ରେ ସୁଧାର ନ ଆସେ ତେବେ ଏହାର ପ୍ରଭାବ ଭାରତର ବେପାର ବଣିଜ ଓ ସ୍ୱାସ୍ଥ୍ୟ ସେବା ଉପରେ ବି ପଡିବ ବୋଲି ଏବେ ଆଶଙ୍କା କରାଗଲାଣି। ଚୀନର କରୋନା ଭାଇରସ ସଂକ୍ରମଣ ପରଠାରୁ ଏପର୍ଯ୍ୟନ୍ତ ୧ ହଜାର ୬୬୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବଢି ଚାଲିଛି।