ଖାଉଟିଙ୍କ ଉପରେ ମହଙ୍ଗା ମାଡ: ବଢ଼ିଲା ପିଆଜ, ରୋଷେଇ ତେଲ, ଡାଲି, ଦର, ଜୁଲାଇ ଯାଏଁ ରହିବ

Published By : Prameya-News7 Bureau | February 27, 2021 IST

ନୂଆଦିଲ୍ଲୀ ୨୭/୦୨ : ପେଟ୍ରୋଲ-ଡିଜେଲ ଦର ଲଗାତାର ବୃଦ୍ଧି ପାଇବା ପରେ ରୋଷେଇ ସାମଗ୍ରୀ ମହଙ୍ଗା ହୋଇଛି ଯେଉଁଥିପାଇଁ ସାଧାରଣ ଖାଉଟିଙ୍କ ଅଣ୍ଟା ଭାଙ୍ଗି ପଡ଼ିଲାଣି। ଚଳିତ ମାସରେ ପିଆଜ, ଡାଲି, ଖାଇବା ତେଲ, ମସଲା ଆଦି ସାମଗ୍ରୀର ଦାମ ବୃଦ୍ଧି ପାଇଛି। ପିଆଜ ଦର ଜାନୁଆରୀ ତୁଳନାରେ ୨୫ ରୁ ୩୦ ପ୍ରତିଶତ ଅଧିକ ରହିଛି। ମଶୁରି ଡାଲି ଓ ବିରି ଡାଲି ଦାମ ଜାନୁଆରୀ ତୁଳନାରେ ୧୦ ପ୍ରତିଶତ ବୃଦ୍ଧି ପାଇଛି। ହରଡ ଡାଲି ୨୦ ପ୍ରତିଶତ ବୃଦ୍ଧି ପାଇଛି। ରୋଷେଇ ତେଲ ୩୦ ରୁ ୬୦ ପ୍ରତିଶତ ବୃଦ୍ଧି ପାଇଛି।

ମାସେ ହେଲାଣି ପିଆଜ ଦର ଲଗାତାର ବୃଦ୍ଧି ପାଉଛି। ଖୁଚୁରା ବଜାରରେ ପିଆଜ ଦର କିଲୋ ପ୍ରତି ୬୦ ଟଙ୍କା ରହିଛି। ଗାଜିପୁର ମଣ୍ଡିରେ ପିଆଜ ଦର କିଲୋ ପ୍ରତି ୨୦ ରୁ ୪୦ ଟଙ୍କା ଅଛି।

ମସଲା ଦର ମଧ୍ୟ ବୃଦ୍ଧି ପାଇଛି। ଜାନୁଆରୀରୁ ଏବେ ସୁଦ୍ଧା ଧନିଆ ଦର ପାଖାପାଖି ୨୫ ପ୍ରତିଶତ ବୃଦ୍ଧି ପାଇଛି। ସୋୟାବିନ ଦର ରେକର୍ଡ ସ୍ଥରରେ ପହଞ୍ଚିଛି। ଚୀନର ଚାହିଦା ଯୋଗୁଁ CBOT ସୋୟାବିନ ଦର ବୃଦ୍ଧି ପାଇଛି। ସୋରିଷ ଉତ୍ପାଦନ ରେକର୍ଡ ସ୍ଥରରେ ରହିବା ନେଇ ଅନୁମାନ କରାଯାଉଛି।

ପେଟ୍ରୋଲ-ଡିଜେଲ ଦର ବୃଦ୍ଧିର ପ୍ରଭାବ ସିଧାସଳଖ ବଜାର ଉପରେ ପଡିଛି। ଡିଜେଲ ଦର ବୃଦ୍ଧି ପାଇବାରୁ ଟ୍ରାନ୍ସପୋର୍ଟ ଶୁଳ୍କ ବୃଦ୍ଧି ପାଇଛି ଯେଉଁଥିପାଇଁ ଟ୍ରାନ୍ସପୋର୍ଟର ଭଡା ବଢ଼ାଇବାକୁ ବିଚାର କରୁଛନ୍ତି। ଟ୍ରାନ୍ସପୋର୍ଟରଙ୍କ କହିବାନୁଯାୟୀ ୧୫ ପ୍ରତିଶତ ବୃଦ୍ଧି କରିବା ଜରୁରୀ। ଯାହାଫଳରେ ତାର ପ୍ରଭାବ ସିଧା ବଜାର ଉପରେ ପଡୁଛି ଏବଂ ଖାଉଟି ହନ୍ତସନ୍ତ ହେଉଛନ୍ତି।

ବିଶେଷଜ୍ଞଙ୍କ କହିବାନୁଯାୟୀ, ଅତ୍ୟଧିକ ବର୍ଷା ଯୋଗୁଁ ଫସଲ ନଷ୍ଟ ହେବା କାରଣରୁ ପିଆଜ ଓ ଡାଲି ଦର ବୃଦ୍ଧି ପାଇଛି। କିନ୍ତୁ ଆନ୍ତର୍ଜାତୀୟ ଯୋଗାଣ ଅଭାବ ଯୋଗୁଁ ତୈଳ ଦର ବୃଦ୍ଧି ପାଇଛି। ପିଆଜ ଦର ଆହୁରି ମାସେ ଯାଏଁ ଏତିକି ରହିବ ଏବଂ ମାସେ ପରେ କମିପାରେ ବୋଲି ବିଶେଷଜ୍ଞ କହିଛନ୍ତି। ଅପରପକ୍ଷରେ ତୈଳ ଦର ଜୁନ-ଜୁଲାଇ ଆଡକୁ କମିପାରେ ବୋଲି ବିଶେଷଜ୍ଞ ଅନୁମାନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.