ପୁରୀ: ପୁରୀରୁ ନକଲି ମହାପ୍ରସାଦ ବା ଅବଢା ମିଳିବା ନେଇ ଜନ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି। ଏହା ଜନତା ଏବଂ ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଖେଳା ଯାଉଥିବା ମତ ପ୍ରକାଶ ପାଇଛି। ଏବେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ନାଁରେ ରନ୍ଧନ ଗ୍ରହଣୀୟ ନୁହେଁ। ଏହା କଳିଯୁଗର ପ୍ରଭାବ ବୋଲି କହିଛନ୍ତି ଗଜପତି ମହାରାଜ।
ଇସ୍କନ ପକ୍ଷରୁ ହେଉଥିବା ଅଦିନିଆ ରଥଯାତ୍ରା ବନ୍ଦ ହେବା ଆବଶ୍ୟକ। ବିଧି ଓ ଶାସ୍ତ୍ର ଅନୁଯାୟୀ ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ହିଁ ରଥଯାତ୍ରା ହେବାକଥା। ସ୍ଥଳ ବିଶେଷରେ ଆଷାଢ଼ ଶୁକ୍ଳ ଦ୍ୱିତୀୟାରୁ ତ୍ରୟୋଦଶୀ ତିଥି ମଧ୍ୟରେ ରଥଯାତ୍ରା ହୋଇପାରିବ। ଖଜାର ବ୍ୟବସାୟୀକରଣ, ନିର୍ମାଲ୍ୟ ବିକ୍ରି ଓ ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ନାଁ ରେ ରନ୍ଧନ କରି ବିକ୍ରୀ ହେଉଥିବା ଖବର ଆଦୌ ଗ୍ରହଣୀୟ ନୁହେଁ। ମହାପ୍ରସାଦର ସ୍ବତନ୍ତ୍ର ମର୍ଯ୍ୟାଦା ଓ ପ୍ରସ୍ତୁତ ପ୍ରଣାଳୀ ସ୍ବତନ୍ତ୍ର ରହିଥିବାରୁ ବାହାରେ କୁଡୁଆରେ ରନ୍ଧନ କରି ମହାପ୍ରସାଦ ନାଁ ରେ ବିକ୍ରି କରିବା ଆଦୌ ଉଚିତ ନୁହେଁ। ଏହା କଳି ଯୁଗର ପ୍ରଭାବ ବୋଲି କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ।
ଏହା ଉପରେ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେବା ଉଚିତ୍। ମହାପ୍ରଭୁଙ୍କ ସଂସ୍କୃତି, ପରମ୍ପରା, ଯାନିଯାତ୍ରା ଓ ପର୍ବ ପର୍ବାଣୀ ସମ୍ପର୍କରେ ଓଡ଼ିଶା ବାହାରେ ଥିବା ଲୋକଙ୍କୁ ଜଣାଇବା ପାଇଁ ବିଭିନ୍ନ ଭାଷାରେ ଅଧିକ ପୁସ୍ତକ ପ୍ରକାଶ ପାଇବା ଆବଶ୍ୟକ। ସେହିପରି ଗଜପତିଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ରାଜ୍ୟର ପ୍ରତି ଅନୁକୋଣରେ ଆୟୋଜନ ହେବା ଆବଶ୍ୟକ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଗଜପତି ମହାରାଜା।
ସୂଚନାଯୋଗ୍ୟ, ପୁରୀ ଲୋକନାଥ ରୋଡ଼ ପାଇକ ସାହିରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏକ ଅସ୍ଥାୟୀ ଟେଣ୍ଟରେ ଅନ୍ନ, ଡ଼ାଲି, ବେସର, ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତି କରାଯାଉଥିବା ଦେଖିବାକୁ ମିଳିଥିଲା। ଏହାକୁ ଭକ୍ତଙ୍କ ନିକଟକୁ ବିକ୍ରି ପାଇଁ ପ୍ରସ୍ତୁତ ହୋଇଥିବା ଅଭିଯୋଗ ହୋଇଥିଲା।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅଣସର ଚାଲିଥିବା ବେଳେ ମନ୍ଦିରରେ ମହାପ୍ରସାଦ ମିଳୁନଥିବା ଭକ୍ତମାନଙ୍କୁ କୁହାଯାଉଛି । ଅନେକ ଭକ୍ତ ଏ ନେଇ କିଛି ଜାଣି ନଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି କିଛି ଅସାଧୁ ବ୍ୟକ୍ତି । କିଛି ଅସାଧୁ ବ୍ୟକ୍ତି ସେବାୟତଙ୍କ ସହ ମିଶି ବାହାରେ ଅନ୍ନ, ଡ଼ାଲି, ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରି ବିକ୍ରି ପାଇଁ ବ୍ୟବସ୍ଥା କରିଥିବା ଅଭିଯୋଗ ହୋଇଛି ।
wp:heading {"level":4}