ପ୍ରତ୍ୟାହାର ହେଲା ୩ ଅପରାଧ ବିଲ୍, ପରିବର୍ତ୍ତନ ପରେ ପୁଣି ଚିଠା ବିଲ୍ ଆଗତ

Published By : Prameya-News7 Bureau | December 13, 2023 IST

ନୂଆଦିଲ୍ଲୀ ୧୩/୧୨: ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ ମଙ୍ଗଳବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକସଭାରେ ୩ କ୍ରିମିନାଲ ବିଲ୍‌କୁ ପ୍ରତ୍ୟାହାର କରିଛନ୍ତି । ଏହା ବଦଳରେ ୩ ନୂଆ କ୍ରିମିନାଲ ଚିଠା ବିଧେୟକ ଆଗତ କରିଛନ୍ତି । ସଂସଦୀୟ କମିଟି ଏହି ବିଧେୟକରେ କିଛି ପରିବର୍ତ୍ତନ ସୁପାରିସ୍‌ କରିଥିଲା ।

ତେଣୁ ବିଲ୍‌ରେ ସଂଶୋଧନ ବଦଳରେ ଏଥିରେ ପରିବର୍ତ୍ତନ କରି ପୁନଃ ସେହି ବିଧେୟକ ଆଣିବା ଲାଗି ସରକାର ନିଷ୍ପତ୍ତି ନେଇଥିଲେ ବୋଲି ଶାହ କହିଥିଲେ । ବିଲ୍‌କୁ ପଢ଼ିବା ଲାଗି ଯଥେଷ୍ଟ ସମୟ ଦରକାର ବୋଲି ବିରୋଧୀ ଦାବି କରିଥିଲେ । ଏହି ବିଲ୍‌ ଉପରେ ଗୁରୁବାର ଆଲୋଚନା ହେବ । ଶୁକ୍ରବାର ଭୋଟିଂ ହେବ ବୋଲି ଶାହ କହିଛନ୍ତି ।

ଗତ ଅଗଷ୍ଟରେ ଶାହ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମକୁ ଲୋକସଭାରେ ଆଗତ କରିଥିଲେ । ଏହା ବ୍ରିଟିଶ ଅମଳରୁ ଥିବା ଆଇପିସି, ସିଆର୍‌ପିସି ଏବଂ ଆଇଇଏର ସ୍ଥାନ ନେବ ବୋଲି ଶାହ କହିଥିଲେ । ପରେ ତାହାର ଅଧିକ ସମୀକ୍ଷା ପାଇଁ ସଂସଦୀୟ କମିଟି ନିକଟକୁ ପଠାଯାଇଥିଲା ।

ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୩ ଅନୁସାରେ, ଯେଉଁମାନେ ନକଲି ଭାରତୀୟ ନୋଟ୍‌ ଛାପି କିମ୍ବା ପ୍ରଚଳନ ସହ ଭାରତର ମୁଦ୍ରା ସ୍ଥିରତା କିମ୍ବା ଅର୍ଥନୀତିକୁ ପ୍ରଭାବିତ କରି ଦେଶକୁ ଧମକ ଦେବେ କିମ୍ବା ଧମକ ଦେବାର ଆଶଙ୍କା ଥିବା ଜଣାପଡ଼େ ତେବେ ତାହାକୁ ଆତଙ୍କବାଦୀ କାର୍ଯ୍ୟକଳାପ ବିବେଚନା କରାଯିବ ।

ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ପ୍ରମାଣିତ ହେଲେ ସେମାନଙ୍କୁ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ ଜେଲ ଦଣ୍ଡାଦେଶ ମିଳିବ । ଯେଉଁମାନେ ଏହି ଷଡ଼ଯନ୍ତ୍ରରେ ସାମିଲ ଥିବେ କିମ୍ବା ଏହାକୁ ପ୍ରୋତ୍ସାହିତ କରିବା ଉଦ୍ୟମ କରିଥିବେ କିମ୍ବା ଜାଣିଶୁଣି କୌଣସି ଆତଙ୍କବାଦୀ କାର୍ଯ୍ୟକଳାପକୁ ରୂପ ଦେବାରେ ସାହାଯ୍ୟ କରିଥିବେ ସେମାନଙ୍କୁ ଅତିକମ୍‌ରେ ୫ ବର୍ଷରୁ ଆଜୀବନ ଜେଲଦଣ୍ଡ ମିଳିବ ।

ଅନ୍ୟପକ୍ଷରେ ମହିଳାଙ୍କ ପ୍ରତି କ୍ରୁରତା ପରିଭାଷାରେ ତାଙ୍କ ମାନସିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇବା ମଧ୍ୟ ଏହି ସଂଶୋଧନରେ ସାମିଲ କରାଯାଇଛି । ପୂର୍ବରୁ ମହିଳାଙ୍କ ପ୍ରତି ଅତ୍ୟାଚାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସ୍ୱାମୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ୩ ବର୍ଷ ଜେଲଦଣ୍ଡ ହେବା ନେଇ ଭାରତୀୟ ନ୍ୟାୟ ସଂହିତାର ଧାରା ୮୫ରେ ପ୍ରାବଧାନ ରହିଥିଲା । ପୂର୍ବ ପ୍ରାବଧାନରେ ସ୍ପଷ୍ଟ ଭାବେ ମାନସିକ ଅତ୍ୟାଚାର କଥା ଉଲ୍ଲେଖ ନ ଥିଲା ।

ପରିବର୍ତ୍ତନ ପରେ ଏବେ ତାହାକୁ ବିଧେୟକରେ ସାମିଲ କରାଯାଇଛି । ପରିବର୍ତ୍ତିତ ପ୍ରାବଧାନ ତଥା ଧାରା ୮୬ ଅନୁସାରେ, ମହିଳାଙ୍କୁ ମାନସିକ ସ୍ତରରେ ଆଘାତ ପହଞ୍ଚାଇବା ଦ୍ୱାରା ଯଦି ସେ ଆତ୍ମହତ୍ୟା କରନ୍ତି କିମ୍ବା ନିଜର କିଛି ଗମ୍ଭୀର କ୍ଷତି କରନ୍ତି କିମ୍ବା ନିଜ ଜୀବନକୁ ବିପଦ ଥିବା ଭଳି ପଦକ୍ଷେପ ନିଅନ୍ତି କିମ୍ବା ସ୍ୱାସ୍ଥ୍ୟ ପ୍ରତି ବିପଜ୍ଜନକ ଥିବା କୌଣସି କାର୍ଯ୍ୟ କରନ୍ତି ତାହାକୁ ମଧ୍ୟ ଅତ୍ୟାଚାର ପରିଭାଷା ଦିଆଯିବ ।

ବିଧେୟକରେ ଆଉ ଏକ ପରିବର୍ତ୍ତନ ମଧ୍ୟ ଅଣାଯାଇଛି । ତାହା ହେଲା ଯୌନ ନିର୍ଯାତନା କିମ୍ବା ବଳାତ୍କାରର ଶିକାର ହୋଇଥିବା କୌଣସି ପୀଡ଼ିତାଙ୍କ ନାଁ ପ୍ରଘଟ କରୁଥିବା ବ୍ୟକ୍ତିଙ୍କୁ ୨ ବର୍ଷ ଜେଲଦଣ୍ଡାଦେଶ ମିଳିପାରେ । ତେବେ କେନ୍ଦ୍ର ସଂସଦୀୟ କମିଟିର ଦୁଇ ପ୍ରସ୍ତାବ ସହ ଅସହମତ ହୋଇଛି । ସେଥିରୁ ଗୋଟିଏ ହେଲା ପରକୀୟାପ୍ରୀତି ଏବଂ ସମଲିଙ୍ଗୀ ସମ୍ପର୍କକୁ ପୁନଃଅପରାଧିକରଣ କରାଯିବା ।

ଏହି ଦୁଇଟି ସୁପାରିସ୍‌ ସୁପ୍ରିମକୋର୍ଟଙ୍କ ରାୟର ଉଲ୍ଲଂଘନ କରିବା ଆଶଙ୍କା ରହିଛି । ୨୦୧୮ରେ ସୁପ୍ରିମକୋର୍ଟ ପରକୀୟାପ୍ରୀତିକୁ ବୈଧ ଦର୍ଶାଇଥିଲେ । ବ୍ୟଭିଚାରକୁ ଅପରାଧୀକରଣ କରାଯିବା ମହିଳାଙ୍କ ପ୍ରତି ଭେଦଭାବ ବୋଲି ସୁପ୍ରିମକୋର୍ଟ କହିଥିଲେ । ସେହିପରି ୨୦୧୮ରେ ସୁପ୍ରିମକୋର୍ଟ ସଙ୍ଗଲିଙ୍ଗୀ ସମ୍ପର୍କକୁ ମଧ୍ୟ ଅପରାଧମୁକ୍ତ କରିଥିଲେ । ସଂସଦୀୟ କମିଟି ପରକୀୟାପ୍ରୀତି ଏବଂ ସମଲିଙ୍ଗୀ ସମ୍ପର୍କକୁ ପୁନଃ ଅପରାଧୀକରଣ କରାଯାଉ ବୋଲି ସୁପାରିସ୍‌ କରିଥିଲା ।

you can also read...

wp:embed {"url":"https://www.prameyanews7.com/cooking-gas-available-in-india-under-ujjwala-yojana-is-cheapest-compared-to-neighboring-countries-central-govt/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cooking-gas-available-in-india-under-ujjwala-yojana-is-cheapest-compared-to-neighboring-countries-central-govt/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.