ନ୍ୟୁୟର୍କର ପିଚ୍କୁ ନେଇ ହଙ୍ଗାମା, କ'ଣ ଏଠାରୁ ଟି-୨୦ ବିଶ୍ଵକପ୍ ମ୍ୟାଚ୍ ସିଫ୍ଟ କରିବ ଆଇସିସି ?

Published By : Prameya-News7 Bureau | June 06, 2024 IST

livehindustan

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ୨୦୨୪ ଆରମ୍ଭ ହୋଇ ଯାଇଛି। ତେବେ ଏହା ସହିତ ଏକ ବିବାଦ ମଧ୍ୟ ସୃଷ୍ଟି ହୋଇଛି। ନ୍ୟୁୟର୍କର ନୂତନ ଅସ୍ଥାୟୀ ନସାଓ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମର ପିଚ୍‌ର ସମାଲୋଚନା ହେବା ଆରମ୍ଭ ହୋଇ ଯାଇଛି। ଏଥିପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)କୁ ଟାର୍ଗେଟ୍ କରାଯାଉଛି। ଏପରିକି ଏଠାରେ ଖେଳା ଯିବାକୁ ଥିବା ମ୍ୟାଚ୍ ଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି ଉଠିଛି। ଏହା ସତ୍ତ୍ଵେ ଆଇସିସି ନ୍ୟୁୟର୍କ ବାହାରକୁ ଗୋଟିଏ ବି ମ୍ୟାଚ୍ ଆୟୋଜିତ କରିବାକୁ ଚାହୁଁନାହିଁ।

ନସାଓ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳା ଯାଇଥିବା ଟି-୨୦ ବିଶ୍ଵକପ୍ ୨୦୨୪ର ପ୍ରଥମ ଦୁଇଟି ମ୍ୟାଚ୍‌ରେ ପିଚ୍‌ର ଅସମାନତା ବାଉନ୍ସ ଏବଂ ଅପ୍ରତ୍ୟାଶିତ ପ୍ରକୃତିକୁ ଦେଖି ଚିନ୍ତା ବଢି ଯାଇଛି। ସୋମବାର ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ହୋଇଥିଲା। ଏଥିରେ ଶ୍ରୀଲଙ୍କା ୭୭ ରନରେ ଅଲଆଉଟ୍ ହୋଇଥିବା ବେଳେ ଭାରତ ବୁଧବାର ଖେଳା ଯାଇଥିବା ଦ୍ଵିତୀୟ ମୁକାବିଲାରେ ଆୟରଲାଣ୍ଡକୁ ୧୦୦ ରନ ଭିତରେ ଅଲଆଉଟ୍ କରିଛି। ଅନେକ ଥର ପିଚ୍‌ର ଅସମାନତା ବାଉନ୍ସ ବ୍ୟାଟରଙ୍କୁ ହଇରାଣରେ ପକାଇଛି।

ବିବିସି ସ୍ପୋର୍ଟର ରିପୋର୍ଟ ଅନୁଯାୟୀ, ଭାରତ ପିଚ୍‌କୁ ଅସମତୁଲ ବାଉନ୍ସ ଓ ଅସ୍ଵାଭାବିକ ପ୍ରକୃତିକୁ ନେଇ ପ୍ରଶ୍ନ ଉଠାଇଛି। କାରଣ ଏମିତି ପିଚ୍‌ରେ ବ୍ୟାଟରଙ୍କ ସୁରକ୍ଷା ବିପଦରେ ପଡ଼ିଛି। ହେଲେ ଆଇସିସି ନିକଟରେ ଭାରତ କୌଣସି ଆନୁଷ୍ଠାନିକ ଅଭିଯୋଗ କରି ନାହିଁ। ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ମଇଦାନରେ ଜୁନ ୯ ତାରିଖରେ ମହାମୁକାବିଲା ଖେଳାଯିବ। ଏହି ଷ୍ଟାଡିୟମର ଦର୍ଶକ ଧାରଣ କ୍ଷମତା ହେଉଛି ୩୨ ହଜାର। ଆଇସିସି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ମ୍ୟାଚ୍ ନ୍ୟୁୟର୍କରେ ଖେଳାଯିବ। 

ଆଇସିସିର ଅଧିକାରୀ କହିଛନ୍ତି, ନ୍ୟୁୟର୍କର କୌଣସି ବି ମ୍ୟାଚ୍‌କୁ ଫ୍ଲୋରିଡା କିମ୍ବା ଟେକ୍ସାସ ସ୍ଥାନାନ୍ତର କରିବାର କୌଣସି ଯୋଜନା ନାହିଁ। ଏହି ଦୁଇ ଷ୍ଟାଡିୟମର ପିଚ୍ ସ୍ଵାଭାବିକ ବ୍ୟବହାର କରୁଛି। ଏଠାରେ ଡ୍ରପ ଇନ ପିଚ୍‌ର ବ୍ୟବହାର କରାଯାଇ ନାହିଁ। 

ଅନୁମାନ କରାଯାଉଛି ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ରେ ଏମିତି ଏକ ପିଚ୍‌ ବ୍ୟବହାର କରାଯିବ, ଯେଉଁଥିରେ ଗୋଟିଏ ବି ମ୍ୟାଚ୍ ଖେଳା ଯାଇ ନାହିଁ। ତେବେ ଏହି ମ୍ୟାଚ୍ ପୂର୍ବରୁ ଅନ୍ୟ ପିଚ୍‌ର ବ୍ୟବହାର ଆଧାରରେ କେଉଁ ପିଚ୍‌ରେ ଖେଳିବା ନେଇ ନିର୍ଣ୍ଣୟ ନିଆଯାଇପାରେ। ଉଲ୍ଲେଖନୀୟ ଆମେରିକା ଟି-୨୦ ବିଶ୍ଵକପ୍ ୨୦୨୪ର ସହ ଆୟୋଜନ। ମୋଟ୍ ୫୫ ମ୍ୟାଚ୍‌ରୁ ୧୬ ମ୍ୟାଚ୍ ଆମେରିକାରେ ଖେଳା ଯାଉଛି। ଅବଶିଷ୍ଟ ମ୍ୟାଚ୍ ଓ୍ଵେଷ୍ଟଇଣ୍ଡିଜରେ ଖେଳାଯିବ। ଏଥିରେ ଫାଇନାଲ୍ ଓ ସେମି ଫାଇନାଲ୍ ମ୍ୟାଚ୍ ବି ସାମିଲ। 

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ନ୍ୟୁୟର୍କର ନସାଓ ଇଣ୍ଟର ନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ ୨୫୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଏଥିପାଇଁ ୧୦ ପିଚ୍ ଅଷ୍ଟ୍ରେଲିଆର ଆଡିଲେଡ୍‌ରୁ ମଗା ଯାଇଥିଲା। କେବଳ ଏତିକି ନୁହେଁ ଷ୍ଟାଡିୟମର ଆଉଟ ଫିଲ୍ଡ ମଧ୍ୟ ବାହାରେ ପ୍ରସ୍ତୁତ କରାଯାଇଛି। ଏହି ଷ୍ଟାଡିୟମର ଆଉଟ୍ ଫିଲ୍ଡ ମଧ୍ୟ ସେତେ ଭଲ ନୁହେଁ। ତଥାପି ଆଇସିସି ଏଠାରେ ବାକି ମ୍ୟାଚ୍ କରିବାକୁ ନିଜ ଜିଦରେ ଅଟଳ। 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.