ମୁସଲମାନ ଛାତ୍ରୀଙ୍କ ଲାଗି ସ୍ୱତନ୍ତ୍ର କଲେଜ ବିବାଦରୁ ବୋମଇ ସରକାରଙ୍କ ୟୁ-ଟର୍ଣ୍ଣ, କହିଲେ ହୋଇନି ଏ ନେଇ ଆଲୋଚନା
1/12/2022 at 6:40 PM

ବେଙ୍ଗାଲୁରୁ ୧।୧୨: କର୍ଣ୍ଣାଟକରେ ମୁସଲମାନ ଛାତ୍ରୀଙ୍କ ଲାଗି ୧୦ ନୂଆ କଲେଜ ନିର୍ମାଣର ନିଷ୍ପତ୍ତିକୁ ନେଇ ବିବାଦ ଉପୁଜିଥିବା ବେଳେ ବୋମଇ ସରକାର ଏଥିରୁ ୟୁ-ଟର୍ଣ୍ଣ ନେଇଛନ୍ତି। ମୁଖ୍ୟମନ୍ତ୍ରା ବାସବରାଜ ବୋମଇ ଗୁରୁବାର କଲେଜ ନିର୍ମାଣ ନିଷ୍ପତ୍ତି ସମ୍ପର୍କିତ ଖବରକୁ ଖାରଜ କରି ସରକାରୀ ସ୍ତରରେ ଏପରି କୌଣସି ଚର୍ଚ୍ଚା ହୋଇ ନଥିବା କହିଛନ୍ତି। ସେ କହିଛନ୍ତି ଯେ ହୁଏତ ଏହା କର୍ଣ୍ଣାଟକ ରାଜ୍ୟ ୱାକଫ ବୋର୍ଡ ଅଧ୍ୟକ୍ଷ ସାଫି ସାଦିଙ୍କ ବ୍ୟକ୍ତିଗତ ବିଚାର ହୋଇପାରେ।
ମୁସଲମାନ ଛାତ୍ରୀଙ୍କ ଲାଗି ପୃଥକ ଶିକ୍ଷଣାନୁଷ୍ଠାନ ଖୋଲିବା ଲାଗି ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ବୋମଇ ସଫାସଫା କହିଛନ୍ତି। ସେ କହିଛନ୍ତି ଯେ ପ୍ରସଙ୍ଗରେ ୱାକଫବୋର୍ଡ ଅଧ୍ୟକ୍ଷଙ୍କୁ ସରକାରଙ୍କ ସହ ଆଲୋଚନା କରିବା ଦରକାର । ତେବେ ଏହା ପୂର୍ବରୁ ଖବର ଗଣମାଧ୍ୟମକୁ ଯିବା ଉଚିତ ହୋଇନଥିବା ବୋମଇ କହିଛନ୍ତି। ଗଣମାଧ୍ୟମରେ ସରକାର ମୁସଲମାନ ଛାତ୍ରୀଙ୍କ ଲାଗି ଅଲଗା ୧୦ଟି କଲେଜ ସ୍ଥାପନା ଲାଗି ବିଚାର କରୁଥିବା କୁହାଯାଇଛି।

ଏହି ଖବର ପ୍ରକାଶିତ ହେବା ପରେ ହିନ୍ଦୁ ସଙ୍ଗଠନମାନେ ରାଜ୍ୟବ୍ୟାପୀ ବିରୋଧର ଚେତାବନୀ ଦେଇଛନ୍ତି। ଏହା ଛଡା ଏପରି କଲେଜ ନିର୍ମାଣ କରାଇ ଦିଆଯିବନି ବୋଲି ମଧ୍ୟ ସରକାରଙ୍କୁ ଚାଲେଞ୍ଜ କରିଛନ୍ତି। ତେବେ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବୋମଇଙ୍କ ପ୍ରତିକ୍ରିୟା ପରେ ୱାକଫ ବୋର୍ଡ ଅଧ୍ୟକ୍ଷ ମୌଲାନା ସାଫି ସାଦି କହିଛନ୍ତି ଯେ ସେ କେଉଁଠିବି ମୁସଲମାନ ଛାତ୍ରୀଙ୍କ ନିମନ୍ତେ ପୃଥକ କଲେଜ ଖୋଲାଯିବ ବୋଲି କହିନାହାନ୍ତି।
ତେବେ ମହିଳାଙ୍କ ଲାଗି କଲେଜ ଖୋଲାଯିବାର କଥା କହିଥିବା ସ୍ୱୀକାର କରିଛନ୍ତି ଓ କହିଛନ୍ତି ଯେ ୱାକଫ ବୋର୍ଡ ନିକଟରେ ୨୫ କୋଟି ଟଙ୍କାର ଫଣ୍ଡ ଥିବାର ମୁଁ କହିଥିଲି। ଏଥିରେ ପ୍ରତ୍ୟେକ କଲେଜ ଲାଗି ଆମେ ୨.୫ କୋଟି ଟଙ୍କା ଲେଖାଏଁ ଦେବୁ ଓ ୧୦ଟି ଜିଲ୍ଲାରେ କଲେଜ ଖୋଲାଯିବ ବୋଲି କହିଥିଲେ। ଏ ବାବଦେ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ସେ କହିଛନ୍ତି। ତେବେ ମୋର ପୁରା ବୟାନକୁ ମିଡିଆ ପ୍ରକାଶନ କରିନଥିବା ସେ କହିଛନ୍ତି। ଯେଉଁଥି ଲାଗି ଏପରି ବିବାଦୀୟ ପରିସ୍ଥିତି ଉପୁଜିଛି। ମୋ ବୟାନକୁ ବୁଲେଇ ବଙ୍କେଇ ଉପସ୍ଥାପନ କରାଯାଇଛି।

ୱାକଫବୋର୍ଡ ସରକାରଙ୍କ ମାନଦଣ୍ଡ ଅନୁସାରେ ୧୧୨ ଶିକ୍ଷଣାନୁଷ୍ଠାନ ଚଳାଉଛନ୍ତି। ତେବେ ଏହା ସହ ହିଜାବ ବିବାଦ ଅଥବା ପ୍ରସ୍ତାବିତ କଲେଜର କୌଣସି ସମ୍ପର୍କ ନାହିଁ । ସେ କହିଛନ୍ତି ଯେ ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ବେଟି ବଚାଓ ବେଟି ପଢାଓ ସ୍ଲୋଗାନ ଅନୁରୂପେ ହୋଇଛି। ତେବେ ରାଜ୍ୟରେ ମୁସଲମାନ ଛାତ୍ରୀଙ୍କ ଲାଗି ଅଲଗା କଲେଜ ନିର୍ମାଣର କଥା ସାମ୍ନାକୁ ଆସିବାରୁ ହିନ୍ଦୁ ସଙ୍ଗଠନମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବୋଲି ସେ କହିଛନ୍ତି।