‘କୁକୁର ମାଂସ ଖାଉଛନ୍ତି ଆସାମ ଲୋକେ’, ମହାରାଷ୍ଟ୍ର ବିଧାୟକଙ୍କ ବୟାନକୁ ନେଇ ବିବାଦ
10/03/2023 at 6:54 PM

ନୂଆଦିଲ୍ଲୀ, ୧୦/୦୩: ଆସାମ ବିଧାନସଭାର ବଜେଟ ଅଧିବେଶନ ପୂର୍ବରୁ ଗୃହରେ ହଙ୍ଗାମା ଦେଖିବାକୁ ମିଳିଛି। ମହାରାଷ୍ଟ୍ରର ଜଣେ ବିଧାୟକଙ୍କ ଦ୍ବାରା କରାଯାଇଥିବା ଏକ ଟିପ୍ପଣୀକୁ ନେଇ ବିବାଦ ହୋଇଛି । ଯେଉଁଥିରେ ମହାରାଷ୍ଟ୍ରର ବିଧାନସଭା ସଦସ୍ୟ ବଚ୍ଚୁ କଡ଼ୁ ଆସାମ ଲୋକେ ବୁଲା କୁକୁରଙ୍କ ମାଂସ ଖାଇଥାନ୍ତି ବୋଲି କହିଥିଲେ। ଆଉ ତାଙ୍କର ଏହି ବୟାନ ପରେ ବିବାଦ ଦେଖାଦେଇଛି।
ବିଧାୟକଙ୍କ ବିବାଦୀୟ ଟିପ୍ପଣୀ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ, ରାଜ୍ୟପାଳ ଗୁଲାବ ଚନ୍ଦ କଟାରିଆଙ୍କ ଅଭିଭାଷଣରେ ବାଧା ସୃଷ୍ଟି କରିଥିଲେ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ କଟାରିଆକୁ ବଜେଟ୍ ଅଧିବେଶନର ପ୍ରଥମ ଦିନରେ ନିଜର ଅଭିଭାଷଣ ୧୫ ମିନିଟରେ ହିଁ ଶେଷ କରିବାକୁ ପଡ଼ିଥିଲା। ବିରୋଧୀ ମହାରାଷ୍ଟ୍ର ବିଧାୟକଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଜାଣିବା ପାଇଁ ଦାବି କରିଥିଲେ।
ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭାର ସଦସ୍ୟ ବଚ୍ଚୁ କଡ଼ୁ ଗୃହରେ ଏକ ପ୍ରସ୍ତାବ ରଖିଥିଲେ ଯେ ବୁଲା କୁକୁରଙ୍କ ସଂଖ୍ୟାକୁ ନିୟନ୍ତ୍ରିତ କରିବା ପାଇଁ ସେମାନଙ୍କୁ ଆସାମ ପଠାଯାଉ, କାରଣ ଏହି ପୂର୍ବୋତ୍ତର ରାଜ୍ୟରେ ସ୍ଥାନୀୟ ଲୋକେ ଏମାନଙ୍କୁ ଖାଉଛନ୍ତି।