ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଏବଂ ଉତ୍ତର ଆଫ୍ରିକାରେ ଆସୁଥିବା ଦେଶରେ କାର୍ଯ୍ୟରତ ମହିଳା ସବୁଠାରୁ କମ୍ । ଓ୍ବାର୍ଲଡ ବ୍ୟାଙ୍କ ରିପୋର୍ଟ ମୁତାବକ ପ୍ରାୟ ୧ ପ୍ରତିଶତରୁ କମ୍ ହେବ । ଏହାଛଡ଼ା ଏହି ଦେଶମାନଙ୍କରେ ମହିଳାଙ୍କ ସ୍ଥିତି ଠିକ୍ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି । ଘରୋଇ ହିଂସା ଠାରୁ ଆରମ୍ଭ କରି ବୟସ ପୂର୍ବରୁ ବିବାହରେ ଜୁଝି ହେଉଛନ୍ତି ମହିଳାମାନେ । ଏହାର ଭିତରେ ପୁଣି ଏକ କଟ୍ଟରପନ୍ଥୀ ନୀତି ସବୁ ସୀମା ଲଙ୍ଘିଛି । ଇରାକ ସରକାର ଏକ ନୂଆ ବିଲ୍ ଆଗତ କରିଛନ୍ତି । ଯେଉଁଥିରେ ଝିଅଙ୍କ ଆଇନଗତ ବିବାହ ବୟସ ହ୍ରାସ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ବିଲ୍ ପାସ୍ ହେଲେ ବିବାହ ବୟସ ୧୮ ପରିବର୍ତ୍ତେ ୯ ବର୍ଷ ବୈଧ ହେବ । ଏହାକୁ ଘୋର୍ ବିରୋଧ କରିଛନ୍ତି ମାନବଧିକାର ସଂସ୍ଥା ।
ଇରାକ୍ ମିଡିଆ ରିପୋର୍ଟ ମୁତାବକ, ପର୍ଶନାଲ୍ ଷ୍ଟେଟ୍ସ ଲ’ ୧୯୫୯ର ୧୮୮ତମ ନିୟମକୁ ବଦଳାଇବାକୁ କୁହାଯାଇଛି । ଇରାକ ସଂସଦରେ ଝିଅଙ୍କ ବିବାହ ବୟସ ୯ବର୍ଷ ରଖିବାକୁ ଇରାକ୍ ନ୍ୟାୟ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି। ପୂର୍ବରୁ ମହିଳାଙ୍କ ଆଇନଗତ ବିବାହ ବସୟ ୧୮ ବର୍ଷ ଥିଲା । ଏହି ନିୟମକୁ ସଂଶୋଧନ କରି ଝିଅମାନଙ୍କ ବାହାଘର ବୟସ ୯ବର୍ଷ ରଖିବାକୁ ଦାବି ହୋଇଛି । ଏହାପୂର୍ବରୁ ଅବ୍ଦୁଲ କରୀମ କାଶିମ୍ ସରକାର ବିବାହ ବୟସ ୧୮ ରଖିଥିଲେ ।
ଯଦି ଏହି ବିଲ୍ ପାସ୍ ହୁଏ ତେବେ ଦେଶରେ ପୁଅ ଓ ଝିଅଙ୍କର ବିବାହ ବୟସ ୧୫ ଏବଂ ୯ ବର୍ଷ ହେବ । ଏପରି ହେଲେ ବାଲ୍ୟ ବିବାହ, ଶୋଷଣ ବୃଦ୍ଧି, ଛାଡ଼ପତ୍ର, ପାରିବାରିକ ହିଂସା ଆଦି ବୃଦ୍ଧି ପାଇବ । ଏଥିସହ ମହିଳାଙ୍କ ଅଧିକାର ଏବଂ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ ପାଇଁ ଦଶନ୍ଧି ଧରି ଯେଉଁ ପ୍ରଗତି ହୋଇଛି ତାହା କ୍ଷୁର୍ଣ୍ଣ ହେବ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା କରିଛନ୍ତି ।