ଭୁବନେଶ୍ୱର ୨୬।୦୮: ନିୟମିତ ଚାକିରି ଭଳି ନିଯୁକ୍ତି। ଦରମା କିନ୍ତୁ ଚୁକ୍ତିଭିତ୍ତିକ। ସରକାର ବିଜ୍ଞପ୍ତି ଜାରି କରିବେ। ଆବେଦନ କରିବାକୁ ହେବ। ପରୀକ୍ଷା ସହ ସାକ୍ଷାତକାର ଦେବାକୁ ବି ପଡ଼ିବ। ନିଯୁକ୍ତି କିନ୍ତୁ ମିଳିବ ‘ଠିକା’ରେ। ନା ସମ୍ପୂର୍ଣ୍ଣ ଦରମା, ନା ମହଙ୍ଗା ଭତ୍ତା, ନା ଘରଭଡ଼ା। କିଛି ମିଳିବନି। ୬ ବର୍ଷ କାଳ କେବଳ ଚୁକ୍ତିଭିତ୍ତିକ ଦରମା ଦେବେ ସରକାର। ସେଇ ସ୍ୱଳ୍ପ ଦରମାରେ କାମ କରିବାକୁ ହେବ । ଏମିତି ଦହଗଞ୍ଜ ହୋଇ ୬ ବର୍ଷ କାମ କରିବା ପରେ ସରକାର ବାହାଦୁରଙ୍କ ନିକଟରେ ଭାଗ୍ୟ ଖୋଲିବ । ଜଣେ ନୁହଁ କି ଦି ଜଣ । ବିଭିନ୍ନ ବିଭାଗରେ ଏଭଳି ପ୍ରାୟ ୬୫ ହଜାର କର୍ମଚାରୀ ତ୍ରିଶଙ୍କୁ ଭଳି ‘ଠିକା’ରେ ସଢ଼ୁଛନ୍ତି।
୨୦୧୪ରୁ ରାଜ୍ୟରେ ଆରମ୍ଭ ହେଲା ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରକ୍ରିୟା । ଇତିମଧ୍ୟରେ ୭ ବର୍ଷ ବିତିଲାଣି । ମାତ୍ର ଏ ଅମାନୁଷିକ ନିଯୁକ୍ତି ଢାଞ୍ଚାରୁ ସରକାର ବାହାରୁନାହାନ୍ତି । ମାନସିକତା ବି ବଦଳୁନି । ଶିକ୍ଷକରୁ ନର୍ସ, ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀରୁ ପୁଲିସ ସବ୍ ଇନିସପେକ୍ଟର ଯାଏ ପ୍ରାୟ ୬୦ଟି ବର୍ଗରେ ସରକାର ଠିକା ନିଯୁକ୍ତି ଦେଉଛନ୍ତି । ଗ୍ରୁପ୍ ବି, ସି ଓ ଡି ରେ ଠିକା ନିଯୁକ୍ତି ମିଳୁଛି । ଦକ୍ଷ ମାନବସମ୍ବଳ ଚୟନ କଲାଭଳି ସରକାର ସବୁ ମାପଦଣ୍ଡରେ ପାସ୍ କରିବା ପରେ ନିଯୁକ୍ତି ଦେଉଛନ୍ତି । ମାତ୍ର ତାହା ‘ଠିକା’ରେ । ଦରମା ଯାହା ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ । ଗ୍ରୁପ୍ ‘ସି’ ରେ ୮,୮୦୦ ଏବଂ ‘ବି’ ରେ ସର୍ବାଧିକ ୧୬,୮୦୦ ଟଙ୍କା ଦରମା ମିଳୁଛି । ଗ୍ରୁପ୍-ଡି ରେ ମାସିକ ଦରମା ୭ ହଜାରରୁ କମ୍ । ଦରମା ସହ ଅନ୍ୟ କୌଣସି ସୁବିଧା ସୁଯୋଗ ମିଳେନାହିଁ ।
ସମାନ ଅଫିସରେ ସମାନ କାମ କରୁଥିବା ଜଣେ ନିୟମିତ କର୍ମଚାରୀ ଯେତିକି ଦରମା ପାଆନ୍ତି, ଠିକା କର୍ମଚାରୀ ପାଆନ୍ତି ପ୍ରାୟ ଏକ ଚତୁର୍ଥାଂଶ । ଏମିତି ସମ୍ବେଦନହୀନ ନିଯୁକ୍ତି ବ୍ୟବସ୍ଥାରେ ଚାକିରି ପାଇଥିବା ବ୍ୟକ୍ତି କି ମାନସିକ ଅବସ୍ଥାରେ କାମ କରୁଥିବ ତାହା ଜଳଜଳ । ଜଣେ ଯେତେ ନିଷ୍ଠାର ସହ ପରିଶ୍ରମ କଲେ ମଧ୍ୟ ସେ ନିଶ୍ଚିତ ଥାଆନ୍ତି ଯେ ୬ ବର୍ଷ ପୂର୍ବରୁ ଭାଗ୍ୟଦେବୀ ପ୍ରସନ୍ନ ହେବାର ପ୍ରଶ୍ନ ଉଠୁନି ।ସାଧାରଣ ଭାବେ ଜଣେ ସ୍ଥାୟୀ ପୁଲିସ୍ ଏସ୍ଆଇ ୪୫ ହଜାର ଟଙ୍କା ଦରମା ପାଉଥିଲା ବେଳେ ଠିକାରେ ନିଯୁକ୍ତ ଏସ୍ଆଇଙ୍କ ଦରମା ୧୭ ହଜାର ଟଙ୍କା ।
ସେହିଭଳି ଜଣେ ନିୟମିତ ସ୍କୁଲ ଶିକ୍ଷକ ସର୍ବନିମ୍ନ ୪୦ ହଜାର ଟଙ୍କା ପାଉଥିଲା ବେଳେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ସର୍ବାଧିକ ୧୭ ହଜାର ଟଙ୍କା ମିଳେ । ସ୍ଥାୟୀ ନର୍ସଙ୍କୁ ସରକାର ଦେଉଛନ୍ତି ମାସିକ ୩୫ ହଜାର ଟଙ୍କା, ଠିକା ନର୍ସ ପାଆନ୍ତି ୯ ହଜାର ଟଙ୍କା । ଦରମାର ଏମିତି ତାରତମ୍ୟରେ ସରକାର ସମାନ କାମର ଆଶା ରଖିବା କେତେଦୂର ଯୁକ୍ତିଯୁକ୍ତ । ଏମିତି କରି ସରକାର ରାଜ୍ୟର ୬୫ ହଜାର ପରିବାରରେ ଅଶାନ୍ତି ଓ ଅନିଶ୍ଚିତତା ଭରି ଦେଇଛନ୍ତି । ସରକାରଙ୍କ ଏ ‘ଠିକା’ ନିଯୁକ୍ତି ଅମାନୁଷିକ । ଏହା ପରୋକ୍ଷ ଭାବେ ମାନବ ସମ୍ବଳର ହତ୍ୟା ବୋଲି ବହୁ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ ଅଭିଯୋଗ କରିଆସୁଛନ୍ତି । ମାତ୍ର ସରକାର କିନ୍ତୁ ଠିକା ନିଯୁକ୍ତି ହାର ବଢ଼ାଇ ଚାଲିଛନ୍ତି ।
ଶିକ୍ଷାରେ ‘ଠିକା ନିଯୁକ୍ତି’ ପରିମାଣ ସର୍ବାଧିକ । ସରକାରୀ ହାଇସ୍କୁଲରେ ପ୍ରାୟ ୧୧ ହଜାର ଠିକା ଶିକ୍ଷକ ଅଛନ୍ତି । ପ୍ରାଥମିକ ଶିକ୍ଷାରେ ପ୍ରାୟ ୨୦ ହଜାର କନିଷ୍ଠ ଶିକ୍ଷକ ଏବଂ ଚୁକ୍ତିଭିତ୍ତିକ ଶିକ୍ଷକ ୧୫ ହଜାର ପାଖାପାଖି ଅଛନ୍ତି । ‘ଠିକା’ ଖିଅରେ ଝୁଲୁଛି ଏମାନଙ୍କ ଭାଗ୍ୟ । ସ୍ୱାସ୍ଥ୍ୟ ବିଭାଗ ସହ ଜାତୀୟ ସ୍ୱାସ୍ଥ୍ୟ ମିଶନରେ ପ୍ରାୟ ୯ ହଜାର କର୍ମଚାରୀ ଠିକାରେ ନିଯୁକ୍ତି ପାଇଥିଲା ବେଳେ ପୁଲିସ ବିଭାଗରେ ୮୭୦ ସବ୍ ଇନିସପେକ୍ଟର ଓ ୬୫୦୦ କନଷ୍ଟେବଳ ନିଯୁକ୍ତ ହୋଇଛନ୍ତି । ରାଜସ୍ୱ ନିରୀକ୍ଷକରୁ ଆରମ୍ଭ କରି ଏକଲବ୍ୟ ମଡେଲ ସ୍କୁଲରେ ମଧ୍ୟ ଠିକାରେ ଶିକ୍ଷକ ଅଛନ୍ତି । ଦିନ ଗଡ଼ୁଛି, ଭାଗ୍ୟ ଫିଟୁନି ।
ରାଜ୍ୟର ଆର୍ଥିକ ସ୍ଥିତିକୁ ଦେଖି ସାଧାରଣ ପ୍ରଶାସନ ବିଭାଗ ୨୦୧୪, ଜାନୁଆରୀ ୧୭ରେ ଚୁକ୍ତିଭିତ୍ତିକ ନିଯୁକ୍ତି ନେଇ ଗେଜେଟ୍ ନୋଟିଫିକେସନ କଲା । ବିଭାଗୀୟ ମୁଖ୍ୟ ଦପ୍ତର ସହ ଜିଲ୍ଲା ମୁଖ୍ୟାଳୟ ଏବଂ ଅନ୍ୟ ଅଫିସରେ ନିଯୁକ୍ତି ବେଳେ ଠିକା ନିଯୁକ୍ତି ଦେବାକୁ ସରକାରୀ ପ୍ରକ୍ରିୟା ଆରମ୍ଭ ହେଲା । ୩ ବର୍ଷ ପରେ ଏଭଳି ନିଯୁକ୍ତି ବିରୋଧରେ ଅସନ୍ତୋଷ ଜୋର୍ ଧରିବାରୁ ୨୦୧୭ ରେ ସରକାର ପୁଣି ଧରାଇଲେ ଲଲିପପ୍ । ନିଷ୍ପତ୍ତି ହେଲା ଏଣିକି ଠିକା ନିଯୁକ୍ତି ବେଳେ ପୁରୁଣା ଦରମା ଉପରେ ୨୫% ବୃଦ୍ଧି ହେବ । କର୍ମଚାରୀ ଜଣକ ନିୟମିତ ହେବା ଯାଏ ବାର୍ଷିକ ୧୦% ହାରରେ ଦରମା ବଢ଼ିବ ।
କର୍ମଚାରୀମାନେ ଏଥିରେ ଅସନ୍ତୋଷ ପ୍ରକାଶ କରିବାରୁ ସରକାର ପ୍ରତିଶ୍ରୁତି ଦେଲେ ଯେ, ଆଗକୁ ସମସ୍ତ ଠିକା କର୍ମଚାରୀ ସ୍ଥାୟୀ ହେବେ। ଆଉ ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି କରାଯିବନି। ମାତ୍ର ଦିନ କେଇଟା ପରେ ସରକାର ଦେଇଥିବା ପ୍ରତିଶ୍ରୁତି ଭୁଲିଗଲେ। ସପ୍ତମ ବେତନ କମିଶନ ଲାଗୁ ହେବା ପରେ ଗ୍ରେଡ୍ ପେ ବ୍ୟବସ୍ଥା ହଟିଗଲା। ମାତ୍ର ଠିକା କର୍ମଚାରୀଙ୍କ କ୍ଷେତ୍ରରେ ତାହା ଲାଗୁ ହେଲାନି। ସର୍ବନିମ୍ନ ଦରମା ନଦେଇ ସରକାର କିଭଳି ଗୁଣାତ୍ମକ ଶିକ୍ଷା ଓ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବାର ଚିତ୍କାର କରୁଛନ୍ତି? ଚୁକ୍ତିଭିତ୍ତିକ କର୍ମଚାରୀ ସଂଘର ଯୁକ୍ତି ହେଲା, ସରକାରର ବରିଷ୍ଠ ଅମଲାମାନେ ନିଜ ଚାକିରି ସର୍ତ୍ତାବଳୀ ଓ ସୁରକ୍ଷାକୁ ନେଇ ବେଶ୍ ଖୁସିରେ ଅଛନ୍ତି। ଠିକା କର୍ମଚାରୀ କିନ୍ତୁ ଛଟପଟ ହେଉଛନ୍ତି। ନିୟମିତ କର୍ମଚାରୀଙ୍କ ଭଳି ସମାନ କାମ କରି ସର୍ବନିମ୍ନ ଦରମା ବି ମିଳୁନି। ଏହା ମାନବାଧିକାରର ଉଲ୍ଲଂଘନ।
ରାଜ୍ୟ ଏବେ ଆର୍ଥିକ ଦୃଷ୍ଟିକୋଣରୁ ବେଶ୍ ସ୍ୱଚ୍ଛଳ। ରାଜ୍ୟ ନିଜସ୍ୱ ପାଣ୍ଠିରୁ ଯୋଜନା ପରେ ଯୋଜନା କରୁଛି। ରାଜ୍ୟବାସୀଙ୍କୁ ମାଗଣା ବହୁ ଜିନିଷ ସରକାର ବାଣ୍ଟୁଛନ୍ତି। ମାତ୍ର ଏଯାଏ ‘ଠିକା ନିଯୁକ୍ତି’ ନିଷ୍ପତ୍ତି କାହିଁକି ବଦଳାଉ ନାହାନ୍ତି? ରାଜ୍ୟର ହଜାର ହଜାର କର୍ମଚାରୀଙ୍କ ଭାଗ୍ୟକୁ ସରକାର ଅନିଶ୍ଚିତତା ବଳୟକୁ ନଠେଲି ମାନବ ସମ୍ବଳର ପୂର୍ଣ୍ଣ ବିନିଯୋଗ କରନ୍ତୁ। ମାନବ ସମ୍ବଳର ବିକାଶ ସହ ରାଜ୍ୟର ବିକାଶ ମଧ୍ୟ ଜଡ଼ିତ।