ଠିକାଦାରଙ୍କ ଛୁରାମାଡ଼ରେ ଯନ୍ତ୍ରୀ ଗୁରୁତର, ଅଭିଯୁକ୍ତ ଫେରାର, ଠିକା କାମକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ

Published By : Prameya-News7 Bureau | August 16, 2022 IST

ଫୁଲବାଣୀ: ଠିକାଦାରଙ୍କ ଛୁରାମାଡ଼ରେ ଯନ୍ତ୍ରୀ ଗୁରୁତର l ଗୁରୁତର ଅବସ୍ଥାରେ ଯନ୍ତ୍ରୀଙ୍କୁ ଚିକିତ୍ସା ପାଇଁ ସଦର ମହକୁମା ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି l ଆହତ ଜଣଙ୍କ ଫୁଲବାଣୀ ପୂର୍ତ୍ତ ବିଭାଗ ନର୍ଥ ସେକ୍ସେନର ଯନ୍ତ୍ରୀ ଚକ୍ରଧର ନାହାକ ବୋଲି ଜଣାପଡ଼ିଛି l ଯନ୍ତ୍ରୀ ଚକ୍ରଧର ନାହାକଙ୍କ ପେଟ ଓ ହାତରେ ଆଘାତ ଲାଗିଛି l ଆକ୍ରମଣ କରିଥିବା ଠିକାଦାର ଜଣକ ହେଉଛନ୍ତି ଫୁଲବାଣୀ ସାହିର ଆକାଶ ମହାନ୍ତି l

ଯନ୍ତ୍ରୀ ଚକ୍ରଧର ନାହାକ ଅନ୍ୟ ଜଣଙ୍କ ସହ ମିଶି ବାଇକରେ ଅଫିସକୁ ଯିବା ସମୟରେ କୋର୍ଟ ଛକରେ ଠିକାଦାର ଆକାଶ ବାଇକ ଅଟକାଇ ଛୁରାମାଡ଼ କରିଥିଲେ l ଆକ୍ରମଣ ଏତେ ଜୋରଦାର ଥିଲା ସରକାରୀ କର୍ମଚାରୀ ଜଣକ ତଳେ ପଡିଯାଇଥିଲେ l ଅଭିଯୁକ୍ତ ଠିକାଦାର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ପୋଲିସ କହିଛି । ୧୪୬/୨୨ରେ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଥିବା ଟାଉନ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ କହିଛନ୍ତି l

କୌଣସି ଠିକା କାମକୁ ନେଇ ଠିକାଦାର ଆକ୍ରୋଶ ରଖି ଏହି ଆକ୍ରମଣ କରିଥିବା କୁହାଯାଉଛି l ପୂର୍ବରୁ ମଧ୍ୟ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ କାର୍ଯ୍ୟାଳୟ ଭିତରେ ଆକ୍ରମଣ କରି ଗିରଫ ହୋଇଥିଲେ ଅଭିଯୁକ୍ତ ଠିକାଦାର ଆକାଶ ମହାନ୍ତି । ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଯନ୍ତ୍ରୀମାନେ ଦାବି କରିଛନ୍ତି l ଏହି ଘଟଣା ପରେ ଯନ୍ତ୍ରୀମାନେ ନିଜକୁ ଅସୁରକ୍ଷିତ ମନେ କରି ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.