ଶ୍ରମିକଙ୍କୁ ନକଲି ନୋଟ୍‌ ମଜୁରୀ ଟଙ୍କା ଦେଲେ ଠିକାଦାର, ଅଭିଯୋଗ ପରେ ବାନ୍ଧିଲା ପୋଲିସ

Published By : Prameya-News7 Bureau | January 01, 2022 IST

ମାଲକାନଗିରି ୧।୧: ଅସଲି ଶ୍ରମିକଙ୍କୁ ନକଲି ଟଙ୍କା ଦେଇ ପୋଲିସ ହାତରେ ଗିରଫ ହେଲେ ଠକ ଠିକାଦାର । ମାଲକାନଗିରି ଜିଲ୍ଲା ଏମ.ଭି. ୭୯ ଥାନା ଅଞ୍ଚଳରେ ଘଟିଛି ଏପରି ଘଟଣା ।

ସୂଚନାଯୋଗ୍ୟ ଯେ, ଏମ.ଭି. ୭୯ ଗ୍ରାମର ରସିକ ମଣ୍ଡଳ ନାମକ ଜଣେ ଠିକାଦାର ଗୋରଖପାଲୀ ଗ୍ରାମର କିଛି ଶ୍ରମିକଙ୍କୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାକୁ ନେଇଥିଲେ କାମ କରିବା ଲାଗି । ହେଲେ ପ୍ରାୟ ବର୍ଷେ ତମାମ ସେଠାରେ କାମ କରିବା ପରେ ମଧ୍ୟ ଠିକାଦାର ଜଣକ ଶ୍ରମିକମାନଙ୍କୁ ସେମାନଙ୍କ ମଜୁରୀ ଟଙ୍କା ଦେଉନଥିଲେ । ଏନେଇ ବାରମ୍ବାର ଗାଁରେ ସଭା ହେବା ପରେ ଶ୍ରମିକଙ୍କ ଟଙ୍କା ଫେରାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ ଠିକାଦାର ।

ଗତ କିଛି ଦିନ ତଳେ ଠିକାଦାର ଜଣଙ୍କ ରାତିରେ ଶ୍ରମିକମାନଙ୍କ ଘରକୁ ଯାଇ ଟଙ୍କା ଦେଇଥିଲେ । ତେବେ ଶ୍ରମିକମାନେ ଏହି ଟଙ୍କା ନେଇ ଯେତେବେଳେ ଦୋକାନ ବଜାରକୁ ସାମଗ୍ରୀ କିଣିବାକୁ ଯାଇଥିଲେ ସେତେବେଳେ ଏହା ନକଲି ନୋଟ୍ ବୋଲି ଜଣାପଡିଥିଲା । ଏମ.ଭି. ୭୯ ଥାନାରେ ଏହି ଅଭିଯୋଗ ପହଞ୍ଚିବା ପରେ ପୋଲିସ ଗତ ଏକ ସପ୍ତାହ ଧରି ଠକ ଠିକାଦାରଙ୍କୁ ଧରିବା ଲାଗି ଚେଷ୍ଟା କରିବା ପରେ ଶୁକ୍ରବାର ଗିରଫ କରିବାରେ ସଫଳ ହୋଇଛି । ଏମ.ଭି. ୭୯ ପୋଲିସ ଠିକାଦାରଙ୍କ ନାମରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରସିକ ମଣ୍ଡଳଙ୍କୁ କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.