ଚାକିରୀରୁ ଛଟେଇ ପରେ ହାରିଲେ ଜୀବନ, ବନ୍ଦ ଘରୁ ମିଳିଲା ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗ ଠିକା କର୍ମଚାରୀଙ୍କ ମୃତଦେହ

Published By : Prameya-News7 Bureau | December 04, 2020 IST

ଢେଙ୍କାନାଳ ୪।୧୨: ଚାକିରୀରୁ ଛଟେଇ ପରେ ପରିବାର ପୋଷଣର ବୋଝ ଓ ଆର୍ଥିକ ଅନାଟନ ଅସହ୍ୟ କଲା । ଆଉ ଶେଷରେ ପରିବାରର ଅନୁପସ୍ଥିତିରେ ନିଜ ସରକାରୀ କ୍ବାର୍ଟରରେ ଜଣେ ଠିକା କର୍ମଚାରୀ ଆତ୍ମହତ୍ୟା କରିଛନ୍ତି । ଢେଙ୍କାନାଳ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗରେ ଠିକା କର୍ମଚାରୀ ଭାବେ କାମ କରୁଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ ବେକରେ ପିନ୍ଧାଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

୧୪ବର୍ଷ ହେଲା କରୁଥିବା ଚାକିରୀ ଗଲା । ଆର୍ଥିକ ଅନଟନରେ ପିଲାଛୁଆଙ୍କ ଭରଣ ପୋଷଣ ଚିନ୍ତା ଅସହ୍ୟ କଲା । ଆଉ ଶେଷରେ ହତାସ ଜଣେ ଚତୁର୍ଥ ଶ୍ରେଣୀ ଠିକା କର୍ମଚାରୀ ବେକରେ ପିନ୍ଧାଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳରେ । ଢେଙ୍କାନାଳ ସହରର ମ୍ୟୁନିସିପାଲଟି ଅଫିସ ନିକଟସ୍ଥ ରେଭେନ୍ୟୁ କ୍ବାର୍ଟରରୁ ଏହି ଠିକା କର୍ମଚାରୀଙ୍କ ମୃତଦେହ ଟାଉନ ପୋଲିସ ଉଦ୍ଧାର କରିଛି । ମୃତକ ଜଣଙ୍କ ଢେଙ୍କାନାଳ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗରେ ଠିକା ଚତୁର୍ଥ ଶ୍ରେଣୀ କର୍ମଚାରୀ ସୂର୍ଯ୍ୟକାନ୍ତ ସ୍ବାଇଁ ବୋଲି ଜଣାପଡିଛି । ସୂର୍ଯ୍ୟକାନ୍ତଙ୍କ ମୃତଦେହକୁ ବେକରେ ପିନ୍ଧାଲୁଗା ଲାଗି ଝରକା ରେଲିଂରେ ଲଗାଇ ବସିଥିବା ଅବସ୍ଥାରେ ଟାଉନ ପୋଲିସ ଜବତ କରିଛି । ତେବେ ଭିତର ପଟୁ କବାଟ ବନ୍ଦ ଥିବା ଓ ପୋଲିସ କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିବା ଘଟଣା ଏହା ଏକ ଆତ୍ମହତ୍ୟା ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି । ପୋଲିସ ଫୋରେନସିକ୍ ଟିମ୍ ସାହାଯ୍ୟରେ ତଦନ୍ତ କରୁଛି । ତେବେ ଚାକିରୀ ଛଟେଇ ଯୋଗୁଁ ପରିବାର ପୋଷଣ ବୋଝ ଓ ମାନସିକ ଚିନ୍ତାରେ ବ୍ୟତିବ୍ୟସ୍ତ ଥିଲେ ସୂର୍ଯ୍ୟକାନ୍ତ ।

ସୂର୍ଯ୍ୟକାନ୍ତ ଆଉଟ ସୋରସିଂ ମାଧ୍ୟମରେ ଗତ ୨୦୦୬ ମସିହାରୁ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟ କରି ଆସୁଥିଲେ । ନିଜ ପତ୍ନୀ ଓ ୧୦ବର୍ଷର ପୁଅକୁ ନେଇ ଅଫିସ ପାଖ ରାଜସ୍ବ ବିଭାଗର ଖାଲିପଡିଥିବା ଏକ ସରକାରୀ କ୍ବାର୍ଟରରେ ରହୁଥିଲେ । ତେବେ ଗତ ଫେବୃଆରୀ ମାସରୁ ତାଙ୍କର ଠିକା ନିଯୁକ୍ତି ଅବଧି ସରି ଯାଇଥିଲେ ମଧ୍ୟ ପୁନଃ ଠିକା ଚାକିରୀ ନବୀକରଣ ଆଶାରେ ଗତ ଜୁଲାଇ ମାସ ପର୍ଯ୍ୟନ୍ତ ଅଫିସକୁ ଯାଉଥିଲେ । ମାତ୍ର ସରକାରଙ୍କ ପକ୍ଷରୁ ଜୁଲାଇ ୧୫ରେ ଆଉ ଉକ୍ତ କାର୍ଯ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ହେବ ନାହିଁ ବୋଲି ଚିଠି ଆସିବା ପରେ ସୂର୍ଯ୍ୟକାନ୍ତ ଆଉ ଅଫିସ  ଆସୁନଥିଲେ ବୋଲି ପ୍ରକାଶ କରିଛନ୍ତି ବିଭାଗୀୟ ଅଧିକାରୀ ।

ସୂର୍ଯ୍ୟକାନ୍ତଙ୍କ ନିଜ ଘର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ପଥରଖମ୍ବ ଗ୍ରାମରେ । ଅତ୍ୟନ୍ତ ଗରିବ ତଥା ପରିବାରର ଆର୍ଥିକ ଅବସ୍ଥା ତାଙ୍କର ଭଲ ନଥିଲା । କିଛି ବର୍ଷ ହେଲା ତାଙ୍କ ବାପା-ମା’ଙ୍କର ମୃତ୍ୟୁ ହୋଇସାରିଛି । ପତ୍ନୀ ଓ ୧୦ବର୍ଷର ପୁଅ ସାଙ୍ଗକୁ ବେକାରୀ ସାନଭାଇର ଭରଣ ପୋଷଣର ବୋଝ ସୂର୍ଯ୍ୟକାନ୍ତଙ୍କ ମୁଣ୍ଡରେ ରହିଥିଲା । ଏପରି ସ୍ଥଳେ ହଠାତ ଚାକିରୀ ଚାଲିଯିବା ତାଙ୍କୁ ଅସହ୍ୟ କରିଥିଲା । ଫଳରେ ମାନସିକ ଭାରସାମ୍ୟ ହରାଇ ଏପରି ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ ଉଠାଇ ତାଙ୍କ ପରିବାରର ଭରଣ ପୋଷଣ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.