ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର: ଶିକ୍ଷକଙ୍କ ସମେତ ୩ଜଣ ମୃତ୍ୟୁ, ବହୁ କଷ୍ଟରେ ମୃତଦେହ ବାହାର କଲା ପୋଲିସ
3/12/2020 at 12:03 PM

ରେବାଡ଼ି ୦୩/୧୨ : ହରିୟାଣା ରେବାଡ଼ିରେ ଏକ ସଡକ ଦୁର୍ଘଟଣା ହୋଇଛି। ରେବାଡ଼ି ଜିଲ୍ଲାରେ ନିର୍ମାଣାଧୀନ ରେବାଡ଼ି-ନାରନୌଲ ରୋଡରେ କୁଣ୍ଡ ନିକଟରେ ଏକ ଚଳନ୍ତା କାର ଉପରେ କଣ୍ଟେନର ଓଲଟି ପଡିଛି। କାରରେ ଯାତ୍ରା କରୁଥିବା ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ୩ ମୃତକ ମହେନ୍ଦ୍ରଗଡ ଜିଲ୍ଲା ବେଵଲ ଗାଁର ବାସିନ୍ଦା। ମୃତକଙ୍କ ମଧ୍ୟରେ ଜଣେ ସରକାରୀ ଶିକ୍ଷକ ଥିଲେ। ସେ ଗୁରୁଃଗ୍ରାମକୁ ଔଷଧ ଆଣିବାକୁ ଯାଇଥିଲେ ଏବଂ ଔଷଧ ଆଣି ଫେରୁଥିଲେ। ଫେରିବା ସମୟରେ ଦୁର୍ଘଟଣାରେ ତାଙ୍କ ପ୍ରାଣ ଚାଲିଯାଇଛି। କଣ୍ଟେନର କାର ଉପରେ ଓଲଟି ପଡିବାରୁ କାର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି। କାରରୁ ମୃତକଙ୍କ ମୃତଦେହ ବାହାର କରିବାକୁ ପୋଲିସକୁ ବହୁତ ପରିଶ୍ରମ କରିବାକୁ ପଡିଥିଲା।

ପୋଲିସ ସୂଚନା ଦେଇଛି ଯେ ମହେନ୍ଦ୍ରଗଡ ଜିଲ୍ଲା ବେଵଲ ଗାଁର ୫୫ ବର୍ଷ ବୟସ୍କ ଶିକ୍ଷକ ବିକ୍ରମ ସିଂହ ଗୁରୁଃଗ୍ରାମ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଔଷଧ ନେବାକୁ ଯାଇଥିଲେ। ସେହି ହସ୍ପିଟାଲରେ ତାଙ୍କର ଉପଚାର ଚାଲିଥିଲା। ବୁଧବାର ରାତିରେ ବିକ୍ରମ ସିଂହ ନିଜ ଗାଁର ୪୨ ବର୍ଷ ବୟସ୍କ ରାମକିଶନ ଓ ୩୨ ବର୍ଷୀୟ ସତ୍ୟେନ୍ଦ୍ରଙ୍କ ସହ କାରରେ ନିଜ ଗାଁକୁ ଫେରୁଥିଲେ।

ଗାଁକୁ ଫେରିବା ରାସ୍ତାରେ ଏକ ଏକ କଣ୍ଟେନର ସାମ୍ନା ପଟୁ ଆସୁଥିଲା। କୁଣ୍ଡ ନିକଟରେ କାର ଓ କଣ୍ଟେନର ପାଖାପାଖି ଆସିବା ପରେ ହଠାତ କଣ୍ଟେନର ନିୟନ୍ତ୍ରଣ ହରାଇ କାର ଉପରେ ଓଲଟି ପଡିଲା। କଣ୍ଟେନର ତଳେ ଦବି କାର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି। କାର ସମ୍ପୂର୍ଣ୍ଣ ଚାପି ହୋଇଯିବାରୁ କାରରେ ଥିବା ୩ଜଣଙ୍କ ମୃତ୍ୟୁ ହୋଇଛି।