Uber କ୍ୟାବ୍ ଯୋଗୁ ମିସ୍‌ ହେଲା ପାସେଞ୍ଜରଙ୍କ ଫ୍ଲାଇଟ୍‌, ଏବେ କମ୍ପାନୀକୁ ଦେବାକୁ ହେବ ୨୦ ହଜାର ଟଙ୍କା ଜରିମନା

Published By : Prameya-News7 Bureau | October 26, 2022 IST

ମୁମ୍ବାଇ ୨୬।୧୦: ଜିଲ୍ଲା ଉପଭୋକ୍ତା ନ୍ୟାୟାଳୟ ଉବେର ଇଣ୍ଡିଆକୁ ଜଣେ ମହିଳା ପାସେଞ୍ଜରଙ୍କୁ ଜରିମନା ଆକାରରେ ୨୦ ହଜାର ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହିଳା ଯାତ୍ରୀ କଞ୍ଜ୍ୟୁମର କୋର୍ଟରେ ଦାଖଲ କରିଥିବା ପିଟିସନରେ ଉବେର ବିରୋଦ୍ଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଏଥିରେ ଉବେର କ୍ୟାବ୍ ଚାଳକଙ୍କ ଯୋଗୁ ତାଙ୍କ ଫ୍ଲାଇଟ୍‌ ମିସ୍ ହୋଇଥିଲା, ଯେଉଁଥି ପାଇଁ ତାଙ୍କୁ ଦ୍ୱିତୀୟବାର ଫ୍ଲାଇଟ୍‌ ବୁକ୍ କରିବାକୁ ପଡିଥିଲା ବୋଲି ଅଭିଯୋଗ କରିଥିଲେ।

କୋର୍ଟରେ ମହିଳାଙ୍କ ଅଭିଯୋଗ ଉବେର ବିରୋଧରେ ପ୍ରମାଣିତ ହୋଇଥିବା ବେଳେ କମ୍ପାନୀକୁ ଜରିମନା ପୈଠ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିବରଣୀରୁ ପ୍ରକାଶ ଯେ ପେଷାରେ ଓକିଲ ଡୋମ୍ବିଭାଲି ନିବାସୀ ଜନୈକ ମହିଳା ମୁମ୍ବାଇ ଏୟାରପୋର୍ଟ ଯିବା ଲାଗି ଉବେର ଆପରେ କ୍ୟାବ୍‌ ବୁକ୍ କରିଥିଲେ। ସେ ମୁମ୍ବାଇରୁ ଚେନ୍ନାଇ ଫ୍ଲାଇଟ ଧରିବାର ଥିଲା। ତେବେ କ୍ୟାବ୍‌ ଡ୍ରାଇଭରଙ୍କ ବିଳମ୍ବ ଯୋଗୁ ମହିଳା ଯାତ୍ରୀ ବିଳମ୍ବରେ ଏୟାରପୋର୍ଟରେ ପହଞ୍ଚିଥିଲେ, ଏଣୁ ତାଙ୍କ ଫ୍ଲାଇଟ୍ ଚାଲିଯାଇଥିଲା।

{"id":700631,"width":839,"height":472,"sizeSlug":"full","linkDestination":"none"}

ସେ ୧୨ ଜୁନ ୨୦୧୮ ରେ ମୁମ୍ବାଇରୁ ଚେନ୍ନାଇ ଯିବାର ଥିଲା। ମୁମ୍ବାଇ ଏୟାରପୋର୍ଟରେ ୫ଟା ୫୦ ମିନିଟ୍‌ରେ ତାଙ୍କର ବିମାନ ଥିଲା। ଏଥିଲାଗି ସେ ୩ଟା ୨୯ ମିନିଟ୍‌ରେ ଉବେର ବୁକ୍ କରିଥିଲେ। ଏୟାରପୋର୍ଟରୁ ତାଙ୍କ ଘର ପାଖାପାଖି ୩୬ କିଲୋମିଟର ଦୂର । ଅଭିଯୋଗାକାରିଣୀଙ୍କ ଅନୁସାରେ ତାଙ୍କ କ୍ୟାବ୍ ବାରମ୍ବାର ଫୋନ କରିବା ପରେ ୧୪ ମିନିଟ୍‌ ବିଳମ୍ବରେ ପହଞ୍ଚିଥିଲା। କ୍ୟାବ ଚାଳକ ବିଳମ୍ବରେ ଆସିଥିବା ବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ଫୋନରେ ଗପୁଥିଲେ। ଫୋନ ଗପସପ ସରିବା ପରେ ଚାଳକ ଟ୍ରିପ୍‌ ଆରମ୍ଭ କରିଥିଲା।

ପ୍ରଥମେ କ୍ୟାବ୍‌ ସିଏନଜି ଫିଲିଂ ଷ୍ଟେସନକୁ ଯାଇଥିଲା। ଗ୍ୟାସ୍‌ ଫିଲିଂ କରିବା ପରେ କ୍ୟାବ୍‌ ଡ୍ରାଇଭର ଦୀର୍ଘ ବାଟରେ ଚାଲିବା ଆରମ୍ଭ କରିଥିଲେ। ଫଳରେ ଯାତ୍ରୀଙ୍କର ଅନେକ ସମୟ ବରବାଦ ହୋଇଥିଲା ଓ ସେ ବିମାନ ବନ୍ଦରରେ ୫ଟା ୨୩ ମିନିଟ୍‌ରେ ପହଞ୍ଚିଥିଲେ। ଏଣୁ ବିମାନରେ ବୋର୍ଡ କରିପାରିନଥିଲେ। ଫଳରେ  ତାଙ୍କୁ  ପୁଣି ପଇସା ଦେଇ ଅନ୍ୟ ଫ୍ଲାଇଟ୍‌ ବୁକ୍ କରିବାକୁ ପଡିଥିଲା। ଏ ନେଇ ମହିଳା ଯାତ୍ରା କଞ୍ଜ୍ୟୁମର କୋର୍ଟରେ ଆବେଦନ କରିଥିଲେ।

କୋର୍ଟରେ ମାମଲାର ଶୁଣାଣି କାଳରେ ଉବେର ନିଜ ସପକ୍ଷରେ ବିଭିନ୍ନ ଦଲିଲ ରଖିଥିଲା। ଯେଉଁଥିରେ ସେ କେବଳ ଏଗ୍ରିଗେଟର ବୋଲି ନିଜକୁ ପ୍ରମାଣିତ କରିବାକୁ ଚାହିଁଥିଲା। ଏପରିକି କ୍ୟାବ୍‌ ଅଥବା କ୍ୟାବ ଚାଳକ ତାଙ୍କ ଅଧୀନରେ ନଥିବା ମଧ୍ୟ ଉଲ୍ଲେଖ କରିଥିଲା। ତେବେ କୋର୍ଟ ତାଙ୍କର ତର୍କକୁ ଅଗ୍ରାହ୍ୟ କରି ଉବେରକୁ ମହିଳାଙ୍କ ଫ୍ଲାଇଟ୍ ଚାଲିଯିବା ଯୋଗୁ ୧୦ ହଜାର ଟଙ୍କା ଓ ତାଙ୍କ ମାନସିକ କଷ୍ଟ ଲାଗି ଆଉ ୧୦ ହଜାର ଟଙ୍କା ଏପରି ୨୦ ହଜାର ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.