ଚନ୍ଦ୍ରରେ କେବେ ଉଠିବେ ବିକ୍ରମ ଓ ପ୍ରଜ୍ଞାନ, ଜାଣନ୍ତୁ କ’ଣ କହୁଛନ୍ତି ISRO ବୈଜ୍ଞାନିକ?
23/09/2023 at 7:15 PM

ବେଙ୍ଗାଲୁରୁ ୨୩।୯: ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭରକୁ ସ୍ଲିପମୋଡକୁ ନିଆଯିବା ବେଳେ କିଛି ସର୍କିଟ୍କୁ ଅନ୍ ଛଡା ଯାଇଥିଲା, ଯେପରି ଇସ୍ରୋଙ୍କ ଦ୍ୱାରା ପ୍ରେରଣ କରାଯାଉଥିବା ବାର୍ତ୍ତା ଗ୍ରହଣ ହୋଇପାରିବ। ହେଲେ ଏବେ ବିକ୍ରମ ଓ ପ୍ରଜ୍ଞାନଙ୍କଠାରୁ କୌଣସି ପ୍ରକାରର ପ୍ରତିକ୍ରିୟା ଆସୁ ନାହିଁ। ଏଥିରେ ଇସ୍ରୋ ମୁଖ୍ୟ ଡ.ଏସ୍. ସୋମନାଥ କହିଛନ୍ତି ଯେ ଏଥିରେ ଚିନ୍ତିତ ହେବାର କୌଣସି କାରଣ ନାହିଁ। ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭରରେ ଏପରି ଜ୍ଞାନକୌଶଳ ଖଞ୍ଜା ଯାଇଛି ଯେ ସୂର୍ଯ୍ୟଙ୍କ କିରଣରୁ ଶକ୍ତି ହାସଲ କରିବାମାତ୍ରେ ସେମାନେ ନିଜେ ନିଜେ ଜବାବ ଦେବା ଆରମ୍ଭ କରିବେ।
ଡ. ସୋମନାଥ କହିଛନ୍ତି ଯେ ଆମେ ଏବେ କେବଳ ଏଠାରୁ ସେମାନଙ୍କ ଉପରେ ନଜର ରଖିଛୁ। ଆମ ପାଖରେ ଏବେ ୧୩-୧୪ ଦିନ ବାକି ଅଛି। ଏହି ସମୟ ମଧ୍ୟରେ ବିକ୍ରମ ଓ ପ୍ରଜ୍ଞାନ ସୂର୍ଯ୍ୟଙ୍କ କିରଣରୁ ଶକ୍ତି ସଂଗ୍ରହ କରି ନିଜକୁ ନିଜେ ସ୍ଲିପ ମୋଡରୁ ବାହାରକୁ ଆସିବେ। ଏଣୁ ଏହି ଅବଧିରେ କୌଣସି ନା କୌଣସି ଦିନ ବିକ୍ରମ ଓ ପ୍ରଜ୍ଞାନଠାରୁ ଖୁସିଖବର ଆସିପାରେ। ସୂର୍ଯ୍ୟ ଅସ୍ତ ପୂର୍ବରୁ ଅର୍ଥାତ ଶିବଶକ୍ତି ପଏଣ୍ଟରୁ ସୂର୍ଯ୍ୟଙ୍କ କିରଣ ହଟିବା ପୂର୍ବରୁ ଆମକୁ ନିଶ୍ଚିତ ଖୁସି ଖବର ମିଳିବ ବୋଲି ସେ କହିଛନ୍ତି।

ତେବେ ଏହା ପୂର୍ବରୁ ଅହମଦାବାଦସ୍ଥିତ ଇସ୍ରୋଙ୍କ ସ୍ପେସ୍ ଆପ୍ଲିକେସନ ସେଣ୍ଟର ନିର୍ଦ୍ଦେଶକ ନିଲେଶ ଦେଶାୟୀ କହିଥିଲେ ଯେ ଇସ୍ରୋଙ୍କ ଚନ୍ଦ୍ରଯାନ-୩ ଅର୍ଥାତ ଲ୍ୟାଣ୍ଡର ଓ ରୋଭରକୁ ସେପ୍ଟେମ୍ବର ୨୩ ତାରିଖ ଦିନ ସ୍ଲିପମୋଡରୁ ବାହାରକୁ ଆଣିବା ପାଇଁ ଉଦ୍ୟମ କରାଯିବ। ତେବେ ଲ୍ୟାଣ୍ଡର ଓ ରୋଭର ଏବେ ନିଷ୍କ୍ରିୟ ଅଛନ୍ତି। ହେଲେ ସେମାନଙ୍କୁ ସ୍ଲିପମୋଡରୁ ବାହାରକୁ ଆଣିବା ପାଇଁ ସେ ପର୍ଯ୍ୟନ୍ତ ଉଦ୍ୟମ କରାଯିବ ଯେଉଁ ପର୍ଯ୍ୟନ୍ତ ସେମାନଙ୍କଠାରୁ କୌଣସି ପ୍ରତିକ୍ରିୟା ଆସି ନାହିଁ ବୋଲି କହିଛନ୍ତି।
ଚନ୍ଦ୍ରରେ ଦିନ ହୋଇଗଲାଣି, ଲ୍ୟାଣ୍ଡର ଓ ରୋଭରକୁ ପ୍ରଚୁରମାତ୍ରାରେ ସୂର୍ଯ୍ୟକିରଣ ମିଳୁଛି, ହେଲେ ଏଥିରେ ସେମାନେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଚାର୍ଜ ହୋଇପାରି ନାହାନ୍ତି। ତେବେ ଚନ୍ଦ୍ରଯାନ-୩ରୁ କିଛି ଇନପୁଟ୍ ମିଳିଛି, ଯାହାକୁ ଏବେ ଇସ୍ରୋ ବୈଜ୍ଞାନିକମାନେ ଗହନତାର ସହ ଯାଞ୍ଚ କରୁଛନ୍ତି। ଏହା ସହିତ ଗତ ୧୦ ଦିନର ଡାଟା ମଧ୍ୟ ବିଶ୍ଲେଷଣ କରାଯାଉଛି। ଏହି ସମୟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ତାପମାତ୍ରା ବିଯୁକ୍ତ ୧୨୦ରୁ ୨୨୦ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ହୋଇଥିଲା। ଏପରି କମ୍ ତାପମାତ୍ରାରେ ଯନ୍ତ୍ରର ସର୍କିଟ୍ ଖରାପ ହେବାର ମଧ୍ୟ ସମ୍ଭାବନା ଥାଏ।
‘ସ୍ଲିପ ମୋଡରୁ’ ବାହାରକୁ ବାହାରିନି ଚନ୍ଦ୍ରଯାନ-୩, ଜାଣନ୍ତୁ କେବେ ନିଦରୁ ଉଠିବେ ବିକ୍ରମ ଓ ପ୍ରଜ୍ଞାନ