ଗୁଡ଼ଗାଓଁରେ ବିଚାରପତିଙ୍କ ସ୍ତ୍ରୀ ଓ ପୁଅ ଉପରକୁ ଗୁଳି ଚଳାଇଲା ସୁରକ୍ଷା ଦାୟିତ୍ୱରେ ଥିବା କନେଷ୍ଟେବଲ

Published By : Prameya-News7 Bureau | October 13, 2018 IST

ଗୁଡ଼ଗାଓଁ ୧୩/୧୦: ଦିଲ୍ଲୀ ଗୁଡ଼ଗାଓଁ ର ସେକ୍ଟର ୪୯ ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଦିନ ସାଢେ ୩ଟା ବେଳକୁ ସେକ୍ଟର ୪୯ ଆଞ୍ଚଳରେ ଥିବା ଆର୍କାଡିଆ ମାର୍କେଟ ସମ୍ମୁଖରେ ଜଣେ ବିଚାରପତିଙ୍କ ସ୍ତ୍ରୀ ଓ ପୁଅଙ୍କୁ ତାଙ୍କରି ସୁରକ୍ଷା ଦାୟିତ୍ୱରେ ଥିବା ଜଣେ କନେଷ୍ଟବଲ୍ ଗୁଳି ମାରି ହତ୍ୟା ଉଦ୍ୟମ କରିଛି । ଗୁରୁତର ଆବସ୍ଥାରେ ଉଭୟ ମା ଓ ପୁଅଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅପରପକ୍ଷରେ ଗୁଳି ମାରିବା ପରେ ସରକାରୀ ଗାଡ଼ି ନେଇ ଫେରାର୍ ହୋଇଯାଇଥିବା କନେଷ୍ଟେବଲକୁ ପୋଲିସ ଗିରଫ କରି ପଚରା ଉଚରା କରୁଛି । ଏହି ଗୁଳିକାଣ୍ଡ ଘଟଣା ପଛର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ସୂଚନାଯୋଗ୍ୟଯେ, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୃଷ୍ଣକାନ୍ତ ଶର୍ମାଙ୍କ ସୁରକ୍ଷା ଦାୟିତ୍ୱରେ ମହିପାଲ ନାମକ ଜଣେ ହେଡ଼ କନେଷ୍ଟେବଲଙ୍କୁ ଗତ ଦେଢବର୍ଷ ହେଲା ନିୟୋଜିତ କରାଯାଇଥିଲା । ଆଜି ମହିପାଲ ବିଚାରପତିଙ୍କ ପତ୍ନୀ ରେଣୁ ଶର୍ମା ଓ ତାଙ୍କ ପୁଅ ଧ୍ରୁବ ଶର୍ମାଙ୍କୁ ନେଇ କାର୍ ଯୋଗେ ଆର୍କାଡିଆ ମାର୍କେଟକୁ ଯାଇଥିଲେ । ମାର୍କେଟ ସମ୍ମୁଖରେ ରେଣୁ ଓ ଧ୍ରୁବ ଗାଡ଼ିରୁ ଓହ୍ଲାଇବା ମାତ୍ରେ ମହିପାଲ ତା’ର ସର୍ଭିସ ରିଭଲଭରରୁ ସେମାନଙ୍କ ଉପରକୁ ଅତର୍କିତ ଗୁଳି ଚଳାଇଥିଲା । ରେଣୁଙ୍କ ଛାତିରେ ଗୁଳି ବାଜିଥିବା ବେଳେ ପୁଅ ଧ୍ରୁବଙ୍କ ମୁଣ୍ଡରେ ଗୁଳି ବାଜିଥିଲା । ଫଳରେ ଉଭୟ ଘଟଣା ସ୍ଥଳରେ ବେହୋସ ହୋଇ ପଡ଼ିଯାଇଥିଲେ । ଘଟଣା ସ୍ଥଳରେ ବହୁଲୋକ ଥିଲେ ମଧ୍ୟ ଭୟରେ କେହି ପାଖକୁ ଯାଇନଥିଲେ । ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିବା ଧ୍ରୁବଙ୍କୁ ଟାଣିଟାଣି ମହିପାଲ ଗାଡ଼ି ଭିତରେ ଭର୍ତ୍ତି କରିବାପାଇଁ ଚେଷ୍ଟାକରି ବିଫଳ ହୋଇଥିଲା । ଏହାପରେ ମା ଓ ପୁଅଙ୍କୁ ଗୁରୁତର ଆବସ୍ଥାରେ ସେଇଠି ଛାଡ଼ି ମହାପାଲ କାରଟିକୁ ନେଇ ଫେରାର୍ ହୋଇଯାଇଥିଲା । ତେବେ ଖବର ପାଇ ପୋଲିସ ସମଗ୍ର ଅଞ୍ଚଳକୁ ନାକାବନ୍ଦୀ କରି ମହିପାଲକୁ ଗିରଫ କରିବାରେ ସକ୍ଷମ ହୋଇଛି । ଅପରପକ୍ଷରେ ରେଣୁ ଓ ଧ୍ରୁବଙ୍କୁ ଚିକିତ୍ସା ନିମନ୍ତେ ସେମାନଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ବିଚାରପତିଙ୍କ ପତ୍ନୀ ଓ ପୁଅଙ୍କୁ ୩୨ବର୍ଷ ବୟସ୍କ ହେଡ଼ କନେଷ୍ଟେବଲ ମହିପାଲ କାହିଁକି ଗୁଳି ମାରିଲା ତା’ର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପୋଲିସ ପଚରାଉଚରା ଜାରି ରଖିଛି । ଘଟଣା ସ୍ଥଳରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.