ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଜାରି ନିମନ୍ତେ ହେଉଛି ଷଡ଼ଯନ୍ତ୍ର: ଆତିଶୀ

Published By : Prameya-News7 Bureau | April 12, 2024 IST

ନୂଆଦିଲ୍ଲୀ ୧୨।୪: ଅରବିନ୍ଦ କେଜରିୱାଲଙ୍କ ଗିରଫ ପରଠାରୁ ଦିଲ୍ଲୀରେ ଆମ ଆଦମୀ ପାର୍ଟି (ଆପ) ଓ ବିଜେପି ମଧ୍ୟରେ ଆରୋପ   ଓ ପ୍ରତ୍ୟାରୋପର ପର୍ବ ଜାରି ରହିଛି। ଏହି କ୍ରମରେ ଦିଲ୍ଲୀ ମନ୍ତ୍ରୀ ତଥା ଆପ ନେତ୍ରୀ ଆତିଶୀ କହିଛନ୍ତି ଯେ ଦିଲ୍ଲୀର ସରକାରୀ ଅଧିକାରୀମାନେ ଏବେ ବୈଠକକୁ ଆସିବା ବନ୍ଦ କରିସାରିଲେଣି। ଏଥିରୁ ଯାହା ଅନୁମାନ କରାଯାଉଛି ଦିଲ୍ଲୀରେ ଅରବିନ୍ଦ କେଜରିୱାଲଙ୍କ ନିର୍ବାଚିତ ସରକାରକୁ ଭାଙ୍ଗିବା ଓ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଷଡ଼ଯନ୍ତ୍ର ହେଉଛି।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀ ମଦ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ ମାମାଲାରେ ଗିରଫ ହୋଇ ଏବେ ତିହାର ଜେଲରେ ଅଛନ୍ତି। ଆତିଶୀଙ୍କ ଏପରି ବୟାନବାଜିରେ ବିଜେପି ନେତା ମନୋଜ ତିୱାରୀ ତାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଚାଞ୍ଚଲ୍ୟ ଖେଳାଇବାକୁ ଆପ ନେତାମାନେ ଯାହା ଇଛା ତାହା ଗପୁଛନ୍ତି। ତେବେ ମୂଳ ସମସ୍ୟା ହେଉଛି ଦିଲ୍ଲୀବାସୀ ଏବେ ସମସ୍ୟାରେ ଘେରିଯାଇଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀର ସବୁ କାମ ଏବେ ବାଧିତ ହେଉଛି। ହେଲେ କ୍ଷମତା ଲୋଭି ଏବେ ଜେଲରୁ ସରକାର ଚଳାଇବାକୁ ଚାହୁଁଛନ୍ତି। 

ପ୍ରଶାସନିକ ଢାଞ୍ଚାରେ ଜେଲରୁ ସରକାର ଚଳାଇବା ସମ୍ଭବ ନୁହେଁ। ହେଲେ ସେମାନଙ୍କୁ ଦିଲ୍ଲୀର ଚିନ୍ତା ପଡିନି, ସେମାନେ ଏବେ କେବଳ ବ୍ୟକ୍ତିଗତ ଲାଭ ପାଇଁ ଚେୟାରରେ ବସି ରହିବାକୁ ଚାହୁଁଛନ୍ତି। ଏଣୁ ଅନ୍ୟ କାହାରିକୁ ଆଣିବାକୁ ଚାହୁଁ ନାହାନ୍ତି ଓ ଦିଲ୍ଲୀର କାମ ବାଧିତ ହେଉଛି। ତିୱାରୀ କହିଛନ୍ତି ଯେ ଦିଲ୍ଲୀ ଏବେ ଯେଉଁ ସମସ୍ୟାର ସମ୍ମୁଖୀନ ହୋଇଛି ଏହାର ସମାଧାନ କିଏ କରିବ?ଆମମାନେ ଲୋକପ୍ରତିନିଧି ଆମର ପ୍ରଥମ କାମ ହେଉଛି ଦିଲ୍ଲୀ ଜନତାର କାମ ହେଉ, ଯାହା ଦୈନନ୍ଦିନ କାର୍ଯ୍ୟ ତାହା ହେଉ। ହେଲେ ବର୍ତ୍ତମାନ ସମୟରେ ଦିଲ୍ଲୀରେ ତାହା ହୋଇପାରୁ ନାହିଁ। 

ଆତିଶୀ କହିଛନ୍ତି ଯେ ଅରବିନ୍ଦ କେଜରିୱାଲଙ୍କ ସରକାର ବିରୋଧରେ ଏକ ବହୁତ ବଡ଼ ରାଜନୈତିକ ଷଡଯନ୍ତ୍ର କରାଯାଉଛି। ଆଗାମୀ କିଛି ଦିନରେ ବିଜେପି ଶାସିତ କେନ୍ଦ୍ର ସରକାର ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଯାଉଛି। ଦିଲ୍ଲୀରେ ଗତ କିଛି ଦିନ ହେଲା କୌଣସି ଅଫିସରଙ୍କ ପୋଷ୍ଟିଂ ହେଉ ନାହିଁ। ଦିଲ୍ଲୀରେ ଅନେକ ବିଭାଗ ଏବେ ଖାଲି ପଡିଛି। ଏଥିରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗତ ୧ ସପ୍ତାହ ହେଲା ବିନା କୌଣସି କାରଣରେ ଦିଲ୍ଲୀ ସରକାରଙ୍କ ବିରୋଧରେ ଗୃହମନ୍ତ୍ରାଳୟଙ୍କୁ ଚିଠି ଲେଖୁଛନ୍ତି। ଏକ ୨୦ ବର୍ଷ ପୁରୁଣା ମାମଲାକୁ ଉଠାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ବରଖାସ୍ତ କରିଦିଆଗଲା। ଏଇ ସବୁଥିରୁ ଜଣାପଡୁଛି ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ ହେବ ବୋଲି ଅତିଶୀ କହିଛନ୍ତି। 

ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଆତିଶୀ କହିଛନ୍ତିଯେ ବିଜେପି ଜାଣିଛି ସେ ଦିଲ୍ଲୀରେ କଦାପି ଅରବିନ୍ଦ କେଜରିୱାଲ ସରକାରକୁ ହରାଇ ପାରିବନି। ଦିଲ୍ଲୀବାସୀ ଆପକୁ ପସନ୍ଦ କରନ୍ତି। ଖାସ ଏହି କାରଣରୁ ଦିଲ୍ଲୀର ଲୋକେ ବିଜେପିର ସବୁ ପ୍ରୟାସ ସତ୍ତ୍ୱେ ଆପକୁ ଜିତାଇ ଆଣିଛନ୍ତି। ବିଜେପି ଦିଲ୍ଲୀରେ ନିର୍ବାଚନ ଜିତିବାର ନାହିଁ, ଏଣୁ ଜାତୀୟ ରାଜଧାନୀରେ ରାଷ୍ଟ୍ରପତି ଶାସନ ଜାରି କରି ଅରବିନ୍ଦ କେଜରିୱାଲଙ୍କ ସରକାରକୁ ଭାଙ୍ଗିବାକୁ ଏବେ ଉଦ୍ୟମ କରୁଛି। 

ତେବେ ଆତିଶୀ କହିଛନ୍ତି ଯେ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ବେଆଇନ ହେବ। ଏହା ଜନାଦେଶର ବିପରୀତ ହେବ। ଦିଲ୍ଲୀରେ ଭାରତୀୟ ପ୍ରଶାସନିକ ସେବାର କୌଣସି ଅଧିକାରୀଙ୍କୁ ନିଯୁକ୍ତ କରାଯାଉନି। ବ୍ୟୁରୋକ୍ରାଟମାନେ ନିର୍ବାଚନ ଆଚରଣ ବିଧିର ବାହାନା କରି ସରକାରଙ୍କ ବୈଠକକୁ ଆସୁ ନାହାନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.