ସୋନାଲି ଫୋଗାଟ୍ଙ୍କ ମୃତ୍ୟୁ ପଛରେ ଷଡଯନ୍ତ୍ର ? ଅସ୍ଵାଭାବିକ ମୃତ୍ୟୁ ମାମଲା ରୁଜୁ କଲା ଗୋଆ ପୋଲିସ୍
23/08/2022 at 11:43 PM

ନୂଆଦିଲ୍ଲୀ: ହରିୟାଣାର ୪୨ ବର୍ଷୀୟ ବିଜେପି ନେତା ତଥା ଟିକଟକ୍ ଷ୍ଟାର ସୋନାଲି ଫୋଗାଟଙ୍କ ଆକସ୍ମିକ ମୃତ୍ୟୁ ମାମଲାରେ ଗୋଆ ପୋଲିସ ଅସ୍ଵାଭାବିକ ମୃତ୍ୟୁ ମାମଲା ରୁଜୁ କରିଛି। ମଙ୍ଗଳବାର ସକାଳେ ସୋନାଲି ଫୋଗାଟଙ୍କ ଗୋଆର ଏକ ହସ୍ପିଟାଲରେ ମୃତ୍ୟୁ ଘୋଷିତ କରାଯାଇଥିଲା। ତାଙ୍କର ମୃତ୍ୟୁ କେମିତି ଘଟିଲା ତାକୁ ନେଇ ସସପେନ୍ସ ଜାରି ରହିଛି।
ପୋଲିସ୍ ଅନୁଯାୟୀ, ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି ସୋନାଲି ଅଗଷ୍ଟ ୨୨ରେ ଗୋଆ ଆସିଥିଲେ ଏବଂ ଅଞ୍ଜୁନାର ଏକ ହୋଟେଲ୍ରେ ରହିଥିଲେ। ମଙ୍ଗଳବାର ସକାଳେ ତାଙ୍କ ସ୍ଵାସ୍ଥ୍ୟ ଅଚନାକ ବିଗିଡିଥିଲା ଏବଂ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ମାମଲାରେ ଅଞ୍ଜୁନା ଥାନା ପୋଲିସ୍ ଅସ୍ଵାଭାବିକ ମୃତ୍ୟୁ ମାମଲା ରୁଜୁ କରିଛି। ପୋଲିସ ସମ୍ବନ୍ଧିତ ସାକ୍ଷୀଙ୍କ ବୟାନ ରେକର୍ଡ କରୁଛି। ଅଞ୍ଜୁନା ପୋଲିସ୍ ଫୋଗାଟଙ୍କ ପୋଷ୍ଟମର୍ଟମ କରିବା ପାଇଁ ଏକ କମିଟି ନିଯୁକ୍ତ କରିବାକୁ ଗୋଆ ମେଡିକାଲ୍ କଲେଜ୍ର ଫରେନ୍ସିକ ବିଭାଗକୁ ଚିଠି ଲେଖିଛି।
ସୋନାଲିଙ୍କ ଭଉଣୀ ଅଭିଯୋଗ କରିଛନ୍ତି ଯେ, ସୋନାଲିଙ୍କ ଖାଦ୍ୟରେ ବିଷ ମିଶାଯାଇଛି। ଭଉଣୀଙ୍କ ମୃତ୍ୟୁ ପଛରେ ଷଡଯନ୍ତ୍ର ରହିଛି। ଗଣମାଧ୍ୟମ ସହ ଆଲୋଚନା ବେଳେ ସେ କହିଛନ୍ତି, ଭଉଣୀ ଘରକୁ ଫୋନ କରି ଖାଇବା ପରେ ଅଜବ ଲାଗୁଥିବା କହିଥିଲେ। ସୋନାଲି ସନ୍ଦେହ କରିଥିଲେ ଯେ, ତାଙ୍କ ଖାଦ୍ୟରେ କେହି ବିଷ ମିଶାଇ ଦେଇଛି।
ସୋନାଲି ଫୋଗାଟ୍ ୨୦୧୯ ହରିୟାଣା ବିଧାନସଭା ନିର୍ବାଚନରେ ଆଦମପୁର ବିଧାନସଭା ଆସନରୁ ବିଜେପି ଟିକେଟରେ ମଇଦାନକୁ ଓହ୍ଲାଇଥିଲେ। ତାଙ୍କୁ କଂଗ୍ରେସର କୁଲଦୀପ ବିଷ୍ନୋଇ ହରାଇଥିଲେ। ହେଲେ ବର୍ତ୍ତମାନ କୁଲଦୀପ ବିଷ୍ନୋଇ କଂଗ୍ରେସ ଛାଡି ବିଜେପିରେ ମିଶି ସାରିଛନ୍ତି। ଏହି ଆସନରୁ ସେ ନିଜ ପୁଅଙ୍କୁ ନିର୍ବାଚନ ଲଢାଇବାକୁ ଚାହାନ୍ତି। କିଛି ଦିନ ପୂର୍ବେ ସୋନାଲି କୁଲଦୀପ ବିଷ୍ନୋଇଙ୍କୁ ଭେଟିଥିଲେ।