ଜଳନ୍ଧର: ପଞ୍ଜାବ ଜଳନ୍ଧର ଲୋକସଭା ଆସନ ଉପନିର୍ବାଚନରେ ବିଜୟୀ ହୋଇଛି ଆମ୍ ଆଦ୍ମୀ ପାର୍ଟି। କଂଗ୍ରେସ, ବିଜେପି ଓ ଶିରୋମଣି ଅକାଳୀ ଦଳକୁ ଟକ୍କର ଦେଇ ଆପ୍ ବିଜୟ ହାସଲ କରିଛି। ବହୁ ବର୍ଷ ହେଲା ଅର୍ଥାତ ୧୯୯୯ରୁ କଂଗ୍ରେସ ଲଗାତର ଭାବେ ଜଳନ୍ଧର ଲୋକସଭା ଆସନ ଜିତି ଆସୁଥିଲା। ହେଲେ ଉପନିର୍ବାଚନରେ କଂଗ୍ରେସ୍ ପ୍ରାର୍ଥୀ ଆପ୍ର ସୁଶୀଲ ରିଙ୍କୁଙ୍କ ଠାରୁ ୫୮ ହଜାର ଭୋଟ୍ରେ ହାରି ଯାଇଛନ୍ତି।
ଦଳିତଙ୍କ ଗଡ଼ କୁହାଯାଉଥିବା ଜଳନ୍ଧର ଲୋକସଭା ଆସନ କଂଗ୍ରେସ ସାଂସଦ ସନ୍ତୋଖ ସିଂହ ଚୌଧୁରୀଙ୍କ ନିଧନ ପରେ ଖାଲି ପଡ଼ିଥିଲା। ଚଳିତ ବର୍ଷ ଜାନୁଆରୀ ମାସରେ ଭାରତ ଯୋଡ଼ୋ ଯାତ୍ରା ବେଳେ ହୃଦ୍ଘାତରେ ସନ୍ତୋଖଙ୍କର ମୃତ୍ୟୁ ହୋଇଥିଲା।
ଏହି ଆସନ କଂଗ୍ରେସ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଦଳ ଏଠାରେ ସନ୍ତୋଖଙ୍କର ପତ୍ନୀ କରମଜିତ କୌରଙ୍କୁ ପ୍ରାର୍ଥୀ କରିଥିଲା। ଟପ୍ କଂଗ୍ରେସ ନେତା ହରିଶ ଛୌଧୁରୀ, ବିଧାୟକ ରାଜ କୁମାର, ଓ ପୂର୍ବତନ ମନ୍ତ୍ରୀ ବ୍ରହ୍ମ ମୋହିନ୍ଦ୍ରା ଓ ଭାରତ ଭୂଷଣ ଆଶୁ ଓ ପୂର୍ବତନ ପଞ୍ଜାବ ବାଚସ୍ପତି ରାଣା କେପି ସିଂହ କମରଜିତଙ୍କ ପାଇଁ ପ୍ରଚାର କରିଥିଲେ।
ଏହି ଉପନିର୍ବାଚନରେ ସୁଶୀଲ ରିଙ୍କୁକୁ ୩,୦୨,୦୯୭ ଭୋଟ ମିଳିଥିବା ବେଳେ କରମଜିତଙ୍କୁ ୨,୪୩,୪୫୦ ଭୋଟ୍ ମିଳିଥିଲା। ଅକାଳି ଓ ବିଏସ୍ପି ମିଶି ୧,୫୮,୩୫୪ ଭୋଟ୍ ପାଇଥିବା ବେଳେ ବିଜେପିକୁ ୧,୩୪,୭୦୬ ଭୋଟ୍ ମିଳିଛି।
ଆପ୍ ପ୍ରାର୍ଥୀ ବିଜୟୀ ହେବା ପରେ ଏହାକୁ ଅବିଶ୍ୱସନୀୟ ବିଜୟ ବୋଲି କହିଛନ୍ତି ଆପ୍ ସଂସ୍ଥାପକ ଅରବିନ୍ଦ କେଜରିୱାଲ୍। ଭଗୱନ୍ତ ମାନଙ୍କ ସରକାର ରାଜ୍ୟରେ ଭଲ କାମ କରୁଥିବାରୁ ଏହି ବିଜୟ ସମ୍ଭବ ବୋଲି କେଜରିୱାଲ୍ କହିଛନ୍ତି।
.