'କଂଗ୍ରେସ କର୍ମୀ ଲଙ୍ଗଳା ବୁଲିବା ଉଚିତ୍…' ସଲମାନ ଖୁର୍ସିଦଙ୍କ ବୟାନ ଉପରେ ବିଜେପି ନେତାଙ୍କ ବିବାଦୀୟ ଟିପ୍ପଣୀ

Published By : Prameya-News7 Bureau | December 27, 2022 IST

ନୂଆଦିଲ୍ଲୀ: ଭାରତ ଯୋଡୋ ଯାତ୍ରା ବିଷୟରେ ଆଲୋଚନା ସମୟରେ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କରିଥିଲେ ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ। ଏବେ ଏହା ଉପରେ ଜବାବ ଦେଇଛନ୍ତି ବିଜେପି ନେତା ଦୁଷ୍ୟନ୍ତ ଗୌତମ। ସେ କହିଛନ୍ତି, ଯଦି ରାହୁଲ ରାମଙ୍କ ଅବତାର, ତେବେ ସେ ନିଜ ସେନାଙ୍କୁ ଜଣାଇବା ଉଚିତ୍ ଯେ, ସେ କଣ ଖାଉଛନ୍ତି ଯଦ୍ଵାରା ତାଙ୍କୁ ଭୀଷଣ ଶୀତରେ ବି ଥଣ୍ଡା ଲାଗୁନି। ତାଙ୍କ ସେନା ବିନା ପୋଷାକରେ କାହିଁକି ବୁଲୁ ନାହାନ୍ତି ? କଂଗ୍ରେସର ଲୋକଙ୍କୁ ଭଗବାନ ରାମଙ୍କ ପରି ଲଙ୍ଗଳା ବୁଲିବା ଉଚିତ୍ ବୋଲି ବିଜେପି ନେତା ଦୁଷ୍ୟନ୍ତ କହିଛନ୍ତି।

ଉଲ୍ଲେଖନୀୟ ସଲମାନ ଖୁର୍ସିଦ ଭାରତ ଯୋଡୋ ଯାତ୍ରା ବିଷୟରେ ଆଲୋଚନା ସମୟରେ କହିଥିଲେ, ରାହୁଲ ଗାନ୍ଧୀ ରାମ ଅଟନ୍ତି ଯିଏ ଯାତ୍ରାର ନେତୃତ୍ଵ ନେଉଛନ୍ତି ଏବଂ ବିରୋଧୀ ଦଳ ହେଉଛନ୍ତି ଭରତ। ତାଙ୍କର ଏହି ବୟାନ ଉପରେ ଦୁଷ୍ୟନ୍ତ କଡା ପ୍ରତିକ୍ରିୟା ଦେଇଛନ୍ତି। ସୋମବାର ଖୁର୍ସିଦ ରାହୁଲଙ୍କୁ ଅଲୌକିକ ମଣିଷ ଦର୍ଶାଇଥିଲେ। ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ସେ କହିଥିଲେ, ରାହୁଲ ଜଣେ ଯୋଗୀଙ୍କ ପରି ଧ୍ୟାନର ସହ ତପସ୍ୟା କରୁଛନ୍ତି। ଯେଉଁ ସମୟରେ ଆମେ ଥଣ୍ଡାରେ ଥରୁଛୁ ଏବଂ ଜ୍ୟାକେଟ୍ ପିନ୍ଧୁଛୁ ସେହି ସମୟରେ ରାହୁଲ ନିଜର ଭାରତ ଯୋଡୋ ଯାତ୍ରା କେବଳ ଟି ସାର୍ଟ ପିନ୍ଧି କରୁଛନ୍ତି।

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଶନିବାର ଦିଲ୍ଲୀରେ ପହଞ୍ଚିଥିଲା। ଏହି ଦିନ ଦିଲ୍ଲୀରେ ପ୍ରଥମ ଶୀତ ଲହରି ଅନୁଭୂତ ହୋଇଥିଲା। ଫଳରେ ରାଜଧାନୀର ପାରଦ ୫ ଡିଗ୍ରୀ ସେଲସିୟସକୁ ଖସି ଆସିଥିଲା। ଆଉ ପାଦେ ଆଗକୁ ଯାଇ ସଲମାନ ଖୁର୍ସିଦ କହିଥିଲେ, ଭଗବାନ ରାମ ଯେଉଁଠି ପହଞ୍ଚି ପାରୁନଥିଲେ ସେଠି ଭରତ କଠଉ ନେଇ ପହଞ୍ଚି ଯାଉଥିଲେ। ଏମିତିରେ ଆମେ କଠଉ ନେଇ ଉତ୍ତର ପ୍ରଦେଶରେ ବାହାରିଛୁ। କଠଉ ୟୁପିରେ ପହଞ୍ଚି ଯାଇଛି, ରାମ ଜୀ(ରାହୁଲ ଗାନ୍ଧୀ) ମଧ୍ୟ ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.