ଉତ୍ତର ପ୍ରଦେଶର ୧୭ ଆସନରେ ଲୋକସଭା ନିର୍ବାଚନ ଲଢିବ କଂଗ୍ରେସ, ସମାଜବାଦୀ ପାର୍ଟି ସହ ମେଣ୍ଟ ଘୋଷଣା; ଦେଖନ୍ତୁ ଲିଷ୍ଟ

Published By : Prameya-News7 Bureau | February 21, 2024 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ଉପରେ ମୋହର ବାଜିଛି । ଦୁହେଁ ମିଳିମିଶି ନିର୍ବାଚନ ଲଢିବା ନେଇ ବୁଧବାର ସଂଧ୍ୟାରେ ଆନୁଷ୍ଠାନିକ ଘୋଷଣା କରିଛନ୍ତି । ଉତ୍ତର ପ୍ରଦେଶରେ ୮୦ ଆସନରୁ ୧୭ରେ କଂଗ୍ରେସ ଲଢିବ । ଅନ୍ୟ ୬୩ ଆସନରେ ସମାଜବାଦୀ ପାର୍ଟି ଏବଂ ଏହାର ଅନ୍ୟ ସହଯୋଗୀ ନିର୍ବାଚନ ଲଢିବେ । ସେହିପରି ମଧ୍ୟପ୍ରଦେଶରେ ସମାଜବାଦୀ ପାର୍ଟିକୁ ଗୋଟିଏ ଆସନ ଦେବ କଂଗ୍ରେସ । ମଧ୍ୟପ୍ରଦେଶର ଖଜୁରାହୋ ଆସନରେ ସପା ନିଜ ପ୍ରାର୍ଥୀ ଦେବ । ସମାଦବାଦୀ ପାର୍ଟି ଉତ୍ତର ପ୍ରଦେଶରେ ନିଜ ଭାଗର ଗୋଟିଏ ଆସନକୁ  ଆଜାଦ ସମାଜ ପାର୍ଟିକୁ ଦେବ । ନଗୀନା ଆସନରେ ଏହାର ନେତା ଚନ୍ଦ୍ରଶେଖର ଆଜାଦଙ୍କ ଲଢିବା ଏକ ପ୍ରକାର ନିଶ୍ଚିତ ।

ଉତ୍ତର ପ୍ରଦେଶର ରାୟବରେଲି, ଅମେଠି, କାନପୁର ନଗର, ଫତେହପୁର ସିକରି, ବାଂସଗାଓଁ, ସହାରନପୁର, ପ୍ରୟାଗରାଜ, ମହରାଜଗଞ୍ଜ, ବାରାଣସୀ, ଅମରୋହା, ଝାଂସୀ, ବୁଲନ୍ଦସହର, ଗାଜିଆବାଦ, ମଥୁରା, ସୀତାପୁର, ବାରାବାଙ୍କି, ଦେବରିଆ ଆସନରେ କଂଗ୍ରେସ ଲଢିବ ।

ପଢନ୍ତୁ: ଚାଷୀ ଆନ୍ଦୋଳନକୁ ଦେଖି ଯୋଗୀ ସରକାରଙ୍କ ବଡ଼ ପଦକ୍ଷେପ, ୬ ମାସ ହରତାଳ ଉପରେ ପ୍ରତିବନ୍ଧକ

ଲକ୍ଷ୍ନୌରେ ବୁଧବାର ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ରାଜ୍ୟସ୍ତରୀୟ ନେତାଙ୍କ ମିଳିତ ସାମ୍ୱାଦିକ ସମ୍ମିଳନୀରେ ଆସନ ଭାଗବଣ୍ଟା ନେଇ ଘୋଷଣା କରାଯାଇଛି । କଂଗ୍ରେସ ପକ୍ଷରୁ ରାଜ୍ୟ ପ୍ରଭାରୀ ଅବିନାଶ ପାଣ୍ଡେ ଏବଂ ପ୍ରଦେଶ ଅଧ୍ୟକ୍ଷ ଅଜୟ ରାୟ ଉପସ୍ଥିତ ରହିଥିଲେ । ସେହିପରି ସପା ପକ୍ଷରୁ ପ୍ରଦେଶ ଅଧ୍ୟକ୍ଷ ନରେଶ ଉତ୍ତମ ପଟେଲ ଏବଂ ମୁଖପାତ୍ର ରାଜେନ୍ଦ୍ର ଚୌଧୁରୀ ଉପସ୍ଥିତ ରହିଥିଲେ ।

ଦାବି କରାଯାଉଛି ଯେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ଫୋନରେ କଥା ହେବା ପରେ ମେଣ୍ଟ ଉପରେ ସହମତି ହୋଇଛି । ଏହାପରେ ଅଖିଳେଶ ଯାଦବଙ୍କ ପ୍ରତିକ୍ରିୟା ସାମନାକୁ ଆସିଥିଲା ଏବଂ ମେଣ୍ଟ ନେଇ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.