ସଂସଦ ପ୍ରତିରକ୍ଷା କମିଟି ବୈଠକରୁ ୱାକ-ଆଉଟ୍ କଲେ ରାହୁଲ ଗାନ୍ଧି, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | July 14, 2021 IST

ନୂଆଦିଲ୍ଲୀ ୧୪।୭:  ସଂସଦ ପ୍ରତିରକ୍ଷା କମିଟିର ବୁଧବାର ଅନୁଷ୍ଠିତ ବୈଠକରୁ କଂଗ୍ରେସ ୱାକ୍‌ ଆଉଟ କରିଛି। ବୈଠକରେ ରାହୁଲ ଗାନ୍ଧି ଓ  କଂଗ୍ରେସ  ସାଂସଦମାନେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ଉପରେ ଆଲୋଚନା ଦାବି କରିଥିଲେ। ତେବେ କମିଟି ଅଧ୍ୟକ୍ଷ ଜୁଏଲ ଓରାମ ଏଥିଲାଗି ଅନୁମତି ନ ଦେବାରୁ ରାହୁଲ ବୈଠକରୁ ଉଠି ଚାଲି ଆସିବା ବେଳେ କଂଗ୍ରେସର ଅନ୍ୟ ସାଂସଦ ମଧ୍ୟ ୱାକ୍‌ ଆଉଟ୍ କରିଯାଇଛନ୍ତି। ବୈଠକ ସଂସଦ ଭବନରେ ଅନୁଷ୍ଠିତ ହେଉଥିଲା ଓ ଏଥିରେ ଡିଫେନ୍ସ ସମ୍ପର୍କିତ ପ୍ରସଙ୍ଗ ଉପରେ ଆଲୋଚନା ହେବାର ଥିଲା।

ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ରାହୁଲ ଗାନ୍ଧି ଏଲଏସିର ପରିସ୍ଥିତି, ଚୀନ୍‌ ସହିତ ହୋଇଥିବା ବୁଝାମଣା ଓ ରାଫେଲ ଜେଟ୍‌ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ତେବେ ଅଧ୍ୟକ୍ଷ ଏଥିଲାଗି ଅନୁମତି ଦେଇ ନଥିଲେ। ଏହା ପୂର୍ବରୁ ମଙ୍ଗଳବାର ରାହୁଲ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିଲେ। ଏକ ସମ୍ବାଦପତ୍ରର ନ୍ୟୁଜ୍‌ କ୍ଲିପ ସେୟା କରି ଏହି ଟ୍ୱିଟ୍‌ରେ ରାହୁଲ କରିଥିବା ଅଭିଯୋଗକୁ ଭାରତୀୟ ସେନା ଏକ ବିବୃତ୍ତି ଜାରି କରି ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରିଦେଇଛି।

ରିପୋର୍ଟରେ ଚୀନ୍‌ ସେନା ପୂର୍ବ ଲଦ୍ଦାଖରେ ଅନୁପ୍ରବେଶ କରିଥିବାର ଖବର ଥିଲା। ତେବେ ସେପରି କିଛି ହୋଇ ନଥିବା ସେନା ବିବୃତ୍ତିରେ କହିଛି। ୧୪ ଜୁଲାଇରେ ପ୍ରକାଶିତ ଏହି ଖବରକୁ ସେନା ଭୁଲ ରିପୋର୍ଟ ବୋଲି କହିଥିବା ବେଳେ ଏହା ମିଥ୍ୟା ଖବର ଆଧାରିତ ବୋଲି କହିଛି। ସେହିପରି ରିପୋର୍ଟରେ ଭାରତ ଓ ଚୀନ ମଧ୍ୟରେ ଯେଉଁ ଏଗ୍ରିମେଣ୍ଟର କଥା କୁହାଯାଇଛି ତାହା ମଧ୍ୟ ନିରାଧାର ଓ ଭୁଲ ତଥ୍ୟ ଆଧାରିତ ବୋଲି କହିଛି।

ସେନା ପକ୍ଷରୁ ଦିଆ ଯାଇଥିବା ବିବୃତ୍ତିରେ ଯେଉଁକ୍ଷେତ୍ରରେ ଅନୁପ୍ରବେଶ କଥା କୁହାଯାଇଛି ସେଠାରେ ନା ଭାରତ ନା ଚୀନ୍‌ କେହି ବି ଅନୁପ୍ରବେଶ ଉଦ୍ୟମ କରି ନାହାନ୍ତି। କ୍ଷେତ୍ରକୁ ନେଇ ଉପୁଜିଥିବା ସମସ୍ୟାକୁ ନେଇ ଉଭୟପକ୍ଷ ଏବେବି ଆଲୋଚନା ଜାରି ରଖିଥିବା ସେନା କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.